ବିପଦକୁ ଆମନ୍ତ୍ରଣ: ଇଲେଭେନ୍ କେଭି ଲାଇନ୍ ତଳେ ନିର୍ମାଣ ହେଉଛି ମୁକ୍ତାକାଶ ବ୍ୟାୟାମଶାଳା

ବଢ଼ୁଛି ଅସନ୍ତୋଷ, ବିପଜ୍ଜନକ ସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି

ଜଟଣୀ : ସାଧାରଣ ଲୋକଙ୍କୁ ବିନା ମୂଲ୍ୟରେ ଜିମ୍ ଯିବାର ସୁବିଧା‌ ଯୋଗାଇଦେବା ଲକ୍ଷ୍ୟ ନେଇ ମୁକ୍ତା (ମୁଖ୍ୟମନ୍ତ୍ରୀଙ୍କ କର୍ମ ତତ୍ପର ଯୋଜନା) ଯୋଜନାରେ ନିର୍ମାଣ ହେଉଛି ମୁକ୍ତାକାଶ ବ୍ୟାୟା‌ମଶାଳା। ତେବେ ଅନେକ ସ୍ଥାନରେ ଏହି ବ୍ୟାୟାମଶାଳାଗୁଡ଼ିକ ଅସୁରକ୍ଷିତ ତଥା ବିପଜ୍ଜନକ ସ୍ଥାନରେ ନିର୍ମାଣ କରାଯାଉଥିବା ଲକ୍ଷ୍ୟ କରାଯାଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଟଣୀ ପୌରପାଳିକାର ୯ ନମ୍ବର ୱାର୍ଡର ଗାନ୍ଧୀନଗରସ୍ଥିତ ରାଜାରାଣୀ ଆପାର୍ଟମେଣ୍ଟ ନିକଟରେ। ଏଠାରେ ନିର୍ମାଣ ହେଉଥିବା ମୁକ୍ତାକାଶ ବ୍ୟାୟାମଶାଳାଟି ଆଶ୍ଚର୍ଯ୍ୟଜନକ ଭାବେ ୧୧ କେଭି ବିଦ୍ୟୁତ୍‌ ତାର ତଳେ ନିର୍ମାଣ ହେଉଛି। ଫଳରେ ଆଗାମୀ ସମୟରେ ଏଠାରେ ବଡ଼ ଧରଣର ଦୁର୍ଘଟଣା‌ ଘଟିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି କାରଣରୁ ଏଠାରେ ମୁକ୍ତା‌କାଶ ବ୍ୟାୟାମଶାଳା ନିର୍ମା‌ଣକୁ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି। ସାଧାରଣଜନତାଙ୍କ ସହ ଏଠାରେ ଶାରୀରିକ ଅଭ୍ୟାସ କରିବାକୁ ଯାଉଥିବା ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟାୟାମଶାଳାକୁ ଏଭଳି ବିପଜ୍ଜନକ ସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସେମାନେ ଦାବି କରିଛନ୍ତି। ଏହି ବିଷୟ ଅଞ୍ଚଳବାସୀ ଜଟଣୀ ପୌରାଧ୍ୟକ୍ଷ, ଉପାଧ୍ୟକ୍ଷ ଓ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ବାଧ୍ୟହୋଇ ଅଞ୍ଚଳବାସୀ ଏହି ବିଷୟ ଜିଲ୍ଲାପାଳଙ୍କ ନଜରୁ ଆଣିଥିଲେ। ତଥାପି ଏଠାରେ ବ୍ୟାୟାମଶାଳା ନିର୍ମାଣ କାର୍ଯ୍ୟ ପୂର୍ବବତ୍ ଜାରି ରହିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସୂଚନାନୁସାରେ ଏଠାରେ ବ୍ୟାୟାମଶାଳାର ଅଧିକାଂଶ ଉପକରଣ ଲାଗିସାରିଲାଣି। ଯାହା ୧୧କେଭି ଲାଇନ୍‌ର ମାତ୍ର ୭ ଫୁଟ୍‌ ତଳେ ରହିଛି। ସବୁଠୁ ବଡ଼ କଥା ହେଉଛି ପୌରପାଳିକା ମୁକ୍ତା ଯୋଜନାରେ ବ୍ୟାୟାମଶାଳା ନିର୍ମାଣ କରିବା ପୂର୍ବରୁ ସ୍ଥାନୀୟ ଲୋକଙ୍କ ମତାମତ ନେବାର ନିୟମ ରହିଛି। ହେଲେ ଜଟଣୀରେ ଏଭଳି କିଛି କରାଯାଇ ନଥିବା ଅଭିଯୋଗ ହୋଇଛି। ୱାର୍ଡର ବାସିନ୍ଦା କଳିଙ୍ଗ କୁମାର ସାହୁ କହିଛନ୍ତି ଯେ, ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ମୁକ୍ତାକାଶ ବ୍ୟାୟାମଶାଳା ତିଆରି ହେଉଛି। ଏହା ଏକ ବହୁତ ଭଲ ପଦକ୍ଷେପ, କିନ୍ତୁ ସ୍ଥାନୀୟ ଲୋକଙ୍କ ମତାମତ ନେଇ କେଉଁ ସ୍ଥାନରେ ଏହାକୁ ନିର୍ମାଣ କଲେ ଭଲ ହେବ, ତାହା କରାଗଲା ନାହିଁ। ପୌରପାଳିକା କର୍ମଚାରୀ ତାଙ୍କ ମନ ଇଚ୍ଛା କାମ କରୁଛନ୍ତି। ବିପଦପୂର୍ଣ୍ଣ ବିଦ୍ୟୁତ୍ ଲାଇନ୍ ତଳେ ଏହାକୁ ନିର୍ମାଣ କରାଗଲା। ଛୋଟ ପିଲାଙ୍କଠାରୁ ବରିଷ୍ଠ ନାଗରିକମାନେ ସେଠାକୁ ଯିବେ, ହେଲେ ସେଠାରେ ଲୋକେ ଶାରୀରିକ ସୁସ୍ଥତା ଲାଭ କରିବା ପରିବର୍ତ୍ତେ ସେମାନଙ୍କ ଜୀବନ ଯିବାର ଆଶଙ୍କା ରହିଛି। ବିପଦପୂର୍ଣ୍ଣ ଅବସ୍ଥାରେ ଲୋକମାନେ ବ୍ୟାୟାମ କରିବେ। ଯାହାକୁ ଆମେ ସଂପୂର୍ଣ୍ଣ ବିରୋଧ କରୁଛୁ, ଏହି ବ୍ୟାୟାମଶାଳାକୁ ସ୍ଥାନୀୟ ଲୋକଙ୍କ ମତ ନେଇ ୱାର୍ଡର ଅନ୍ୟ କେଉଁ ସ୍ଥାନରେ ନିର୍ମାଣ କରିବାକୁ ଆମେ ଦାବି କରୁଛୁ। ନିର୍ମାଣ ଶେଷ ହେଲେ ମଧ୍ୟ ଏହା ଲୋକଙ୍କ ସେବାରେ ଆସିବ ନାହିଁ।

ସମ୍ବନ୍ଧିତ ଖବର