ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା : ପଶ୍ଚିମ ଓଡ଼ିଶାର ପ୍ରବାସୀ ଶ୍ରମିକଙ୍କୁ ଆଣିବାର ବ୍ୟବସ୍ଥା ହେଉ

ଭୁବନେଶ୍ବର : ବାହାର ରାଜ୍ୟରେ କାମ କରୁଥିବା ପଶ୍ଚିମ ଓଡ଼ିଶାର ପ୍ରବାସୀ ଶ୍ରମିକମାନଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

ଏଥିରେ ସେ ଦର୍ଶାଇଛନ୍ତି, ପଶ୍ଚିମ ଓଡ଼ିଶାର ଜିଲ୍ଲା ବିଶେଷ କରି କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର ଓ ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ସବ୍‌ଡିଭିଜନ୍ ଅଞ୍ଚଳରୁ ବହୁ ଦାଦନ ଶ୍ରମିକ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନକୁ ଯାଇ ଇଟାଭାଟି ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଲକ୍‌ଡାଉନ୍ ଯୋଗୁ ବର୍ତ୍ତମାନ ଏହି ଅଞ୍ଚଳରୁ ପାଖାପାଖି ସାଢ଼େ ଲକ୍ଷ ପ୍ରବାସୀ ଶ୍ରମିକ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ଏପରିକି ମହାରାଷ୍ଟ୍ର, ଗୁଜୁରାଟରୁ ନିଜ ନିଜ ବ୍ୟବସ୍ଥାରେ ଫେରିବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କୁ ଅନୁମତି ପ୍ରଦାନ କରାଯାଉ ନାହିଁ। ବର୍ତ୍ତମାନ ସୁଦ୍ଧା ୫୪ଟି ଟ୍ରେନ୍ ଯୋଗେ ଗଞ୍ଜାମ, ଭଦ୍ରକ, ବାଲେଶ୍ବର ଜିଲ୍ଲାର ପ୍ରବାସୀମାନେ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିସାରିଲେଣି। କେବଳ ଗଞ୍ଜାମ ଜିଲ୍ଲାକୁ ୩୦ଟି ଟ୍ରେନ୍ ଆସିଥିଲା ବେଳେ ପଶ୍ଚିମାଞ୍ଚଳର ପ୍ରବାସୀମାନଙ୍କ ପାଇଁ ମାତ୍ର ଦୁଇଟି ଟ୍ରେନ୍ ବଲାଙ୍ଗୀରକୁ ଆସିଛି। ଏ ଦିଗରେ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବା ପାଇଁ ଶ୍ରୀ ନାଏକ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର