ଡାକ୍ତରଙ୍କ ଅବସର ବୟସ ବୃଦ୍ଧିକୁ ଓମ୍‌ଟାର ବିରୋଧ

କଟକ : ବିଭିନ୍ନ ଦାବି ନେଇ ଓମ୍‌ଟା ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘର ଦାବିଗୁଡିକ ହେଉଛି ଡିଏମ୍‌ଇଟି, ମେଡିକାଲ କଲେଜ ଅଧ୍ୟକ୍ଷ, ଅଧୀକ୍ଷକ ଭଳି ଗୁରୁତ୍ବପୂର୍ଣ୍ଣ ପଦବି ପୂରଣ ଦିଗରେ ବରିଷ୍ଠ ଓ ବୟୋଜ୍ୟେଷ୍ଠ ପ୍ରଫେସରଙ୍କୁ ବରିଷ୍ଠତା ଭିତ୍ତିରେ ଓ ଡିପିସି ମାଧ୍ୟମରେ ନିଯୁକ୍ତ କରାଯାଉ। ଅସ୍ଥାୟୀ ଅଧୀକ୍ଷକ, ଅସ୍ଥାୟୀ ଅଧ୍ୟକ୍ଷ ପଦ ନରଖି ସ୍ଥାୟୀ ନିଯୁକ୍ତି ଦିଆଯାଉ। ସରକାର ଏମ୍ସ ପ୍ଲସ୍‌ ଯୋଜନା କରୁଛନ୍ତି କିନ୍ତୁ ଅନ୍ୟପଟେ ଠିକା ଭିତ୍ତିରେ ଆସିଷ୍ଟାଣ୍ଟ ‌ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଉଛି। କେବଳ ସେତିକି ନୁହେଁ ଡିପ୍ଲୋଏଡ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ଓପିଏସସି ମାଧ୍ୟମରେ ନିଯୁକ୍ତି ସୁଯୋଗ ବ୍ୟବସ୍ଥା କରିବା ପାଇଁ ମଧ୍ୟ ସଂଘ ଦାବି କରିଛି। ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ସ୍ଥାପନ ସହ ପଦୋନ୍ନତି ଓ ବଦଳି ପ୍ରକ୍ରିୟାରେ ସ୍ବଚ୍ଛତା ଓ ୫ଟି ବ୍ୟବସ୍ଥା ଲାଗୁ କରିବା, ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଦାବି କରାଯାଇଛି। ଡାକ୍ତରଙ୍କ ଅବସର ବୟସ ସୀମାକୁ ଆଉ ବୃଦ୍ଧି କରାନଯାଉ ବୋଲି ଓମ୍‌ଟା ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଓମ୍‌ଟାର ସଭାପତି ଡାକ୍ତର ଆଶିଷ କୁମାର ବାରିକ୍‌ ଓ ସଂପାଦକ କାଳି ପ୍ରସନ୍ନ ସ୍ବାଇଁଙ୍କ ନେତୃତ୍ବରେ ଏହି ସ୍ମାରକପତ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଓପିଏସ୍‌ସି ମାଧ୍ୟମରେ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ପ୍ରାୟ ୪ ବର୍ଷ ହେବ ବନ୍ଦ ରହିଛି।

ସମ୍ବନ୍ଧିତ ଖବର