କୁକୁଡ଼ା ଫାର୍ମରେ ଚିଆଁ ଛାଡ଼ିବାକୁ ବିରୋଧ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଅଙ୍କୁରା ଗ୍ରାମର ଝପାସାହିରେ ଥିବା ଏକ  ବ୍ରଏଲର କୁକୁଡ଼ା ଫାର୍ମରେ ଫାର୍ମ ମାଲିକ ନିତ୍ୟାନନ୍ଦ ମହାନ୍ତ ଆଜି କୁକୁଡ଼ା ଚିଆଁ ଛାଡ଼ିବାରୁ ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ଗ୍ରାମର ବହୁ ସଂଖ୍ୟାରେ  ପୁରୁଷମହିଳା ପାଟଣା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଗାଁ ନିକଟରେ ଆରମ୍ଭ ହୋଇଥିବା ୧୩ ହଜାର କ୍ଷମତା ବିଶିଷ୍ଟ କୁକୁଡ଼ା ଫାର୍ମଟି ଦୀର୍ଘଦିନରୁ ଆରମ୍ଭ ହୋଇଥିଲେ ମଧ୍ୟ  ଗ୍ରାମବାସୀଙ୍କ ବିରୋଧ ଯୋଗୁଁ କାର୍ଯ୍ୟକ୍ଷମ ହୋଇପାରି ନଥିଲା।

ଗାଁରେ ଚାଲୁଥିବା ଅନ୍ୟ ଫାର୍ମ ଗୁଡ଼ିକ ମଧ୍ୟ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ବନ୍ଦ ରହିଛି। ଏହି ଫାର୍ମକୁ ମଧ୍ୟ ବନ୍ଦ କରିବା ଦାବିରେ ଶତାଧିକ ଲୋକେ ପୂର୍ବରୁ ତହସିଲ, ଥାନା ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜନବସତିଠାରୁ ମାତ୍ର ୫୦ ମିଟର ଦୂରରେ ଏହି କୁକୁଡ଼ା ଫାର୍ମ ରହିଛି। ଫାର୍ମ ଚାଲିଲେ ପରିବେଶ ପ୍ରଦୂଷିତ ହେବା ସହିତ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବେ। ତେଣୁ ପ୍ରଶାସନ କୁକୁଡ଼ା ଫର୍ମ ବନ୍ଦ କରିବାକୁ ପଦକ୍ଷେପ ନ ନେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର