ଓସ୍‌ଡମାର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ : ବିପର୍ଯ୍ୟୟ ପରିଚାଳନାରେ ନୂଆ ପ୍ରଯୁକ୍ତିବିଦ୍ୟା ସହ ଦକ୍ଷତା ବୃଦ୍ଧି ଲୋଡ଼ା

ଦକ୍ଷତା ବୃଦ୍ଧି ପାଇଁ ୨୦୫ କୋଟି

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡମା)ର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଆୟୋଜିତ ଏହି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବିପର୍ଯ୍ୟୟ ପରିଚାଳନାରେ ଆନ୍ତର୍ଜାତିକ ସ୍ବୀକୃତି ଲାଭ କଲା ପରେ ଏ କ୍ଷେତ୍ରରେ ରାଜ୍ୟର ଦକ୍ଷତା ଅଭିବୃଦ୍ଧିରେ ନୂଆ ପ୍ରଯୁକ୍ତି କୌଶଳ ଓ ଯନ୍ତ୍ରପାତି ପ୍ରୟୋଗର ଆବଶ୍ୟକତା ରହିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ସହ ସମ୍ଭାବ୍ୟ ରସାୟନିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ସଂସ୍ଥାଗୁଡ଼ିକୁ ଅଧିକ ସଶକ୍ତ ଓ ଦକ୍ଷ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

ଚଳିତ ଆର୍ଥିକ ବର୍ଷ ପାଇଁ ଓଡ୍ରାଫ୍‌, ଅଗ୍ନିଶମ ସେବା ଓ ବିପର୍ଯ୍ୟୟ ପରିଚାଳନା ତାଲିମ ପ୍ରତିଷ୍ଠାନ ଆଦିକୁ ବୈଷୟିକ ଯନ୍ତ୍ରପାତି ବାବଦରେ ମିଳିଥିବା ପ୍ରାୟ ୫୫.୨୨ କୋଟି ଟଙ୍କାର ପ୍ରସ୍ତାବ ବୈଠକରେ ଅନୁମୋଦିତ ହୋଇଥିଲା। ଏହା ସହ ଚଳିତ ଆର୍ଥିକ ବର୍ଷରେ ଦକ୍ଷତା ବୃଦ୍ଧି ଓ ବୈଷୟିକ ଯନ୍ତ୍ରପାତି ବାବଦରେ ମଞ୍ଜୁର ଅର୍ଥର ପରିମାଣ ୨୦୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଓଡ଼ିଶାର ଓଡ୍ରାଫ୍‌ ଓ ଅଗ୍ନିଶମ ସେବା ଟିମ୍‌ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଲଗାତର ଭାବେ ଉଚ୍ଚ ମାନର ସେବା ପ୍ରଦାନ ବଜାୟ ରଖି ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବାରୁ ମୁଖ୍ୟ ଶାସନ ସଚିବ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ନୂଆ ଯନ୍ତ୍ରପାତି କ୍ରୟ ପ୍ରସ୍ତାବ ମଞ୍ଜୁର କଲା ବେଳେ ସେଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ଓ କାମରେ ଲଗାଇ ଯନ୍ତ୍ରପାତିଗୁଡ଼ିକୁ କାର୍ଯ୍ୟଦକ୍ଷ ଅବସ୍ଥାରେ ରଖିବା ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ଅଗ୍ନିଶମ ସେବା ୟୁନିଟ୍‌ର କାର୍ଯ୍ୟ ପରିସରକୁ ଅଧିକ ସମ୍ପ୍ରସାରିତ କରି ସେମାନଙ୍କୁ ବହୁମୁଖୀ ବିପର୍ଯ୍ୟୟର ପ୍ରଥମ ସାହାଯ୍ୟକାରୀ ସଂସ୍ଥା ଭାବେ ଗଢ଼ି ତୋଳିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଜେନା କହିଥିଲେ ଯେ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଅନୁସନ୍ଧାନ, ଉଦ୍ଧାର, ଜୀବନ ରକ୍ଷାକାରୀ ଯନ୍ତ୍ରପାତି ଓ ଦକ୍ଷତା ବୃଦ୍ଧି ବାବଦକୁ ମୋଟ୍‌ ୨୦୫.୨୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଅର୍ଥ ବିନିଯୋଗରେ ଓଡ୍ରାଫ୍‌, ଅଗ୍ନିଶମ ସେବା ଓ ବିପର୍ଯ୍ୟୟ ପରିଚାଳନା ତାଲିମ ପ୍ରତିଷ୍ଠାନକୁ ଅଧିକ ଦକ୍ଷ କରାଯାଇଛି।

ରାଜ୍ୟରେ କାର୍ଯ୍ୟ କରୁଥିବା ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ଓ ମରାମତି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ରାଜ୍ୟର ୨୫ଟି ଜିଲ୍ଲାରେ ଥିବା ୮୧୪ଟି ଆଶ୍ରୟସ୍ଥଳୀର କ୍ଷେତ୍ର ଅନୁଧ୍ୟାନ କରାଯାଇ ଆବଶ୍ୟକ ପଡ଼ୁଥିବା ୭୯୫ଟି ଆଶ୍ରୟସ୍ଥଳୀରେ ମରାମତି କାର୍ଯ୍ୟ ସରିଛି। ଏ ବାବଦରେ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୪୫ କୋଟି ଟଙ୍କା ବିନିଯୋଗ କରାଯାଇଛି ବୋଲି ଶ୍ରୀ ଜେନା ସୂଚନା ଦେଇଥିଲେ। ବୈଠକ‌େର ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର, ପୁଲିସ୍‌ ମହାନିର୍ଦ୍ଦେଶକ ଅଭୟଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଓସ୍‌ଡମାର କାର୍ଯ୍ୟନିର୍ବାହୀ ଅଧିକାରୀ କମଳ ମିଶ୍ର ଆବଶ୍ୟକ ତଥ୍ୟ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର