ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ : ଶିକ୍ଷକ ମୁତୟନ ନୁହେଁ, ଶିକ୍ଷକ ନିଯୁକ୍ତି ଦିଅ – ଓଷ୍ଟା

ଭୁବନେଶ୍ବର : ପ୍ରଥମ ଶ୍ରେଣୀରୁ ସ୍ପୋକନ୍‌ ଇଂରାଜୀ ଶିକ୍ଷା ନେଇ ଗତକାଲି ରାଜ୍ୟ ସରକାର ଦେଇଥିବା ପ୍ରେସ୍‌ ଇସ୍ତାହାରକୁ ବିରୋଧ କରିଛି ଓଷ୍ଟା(ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ)। ସଂଘ ପକ୍ଷରୁ କୁହାଯାଇଛି ଯେ, ସରକାର ଶିକ୍ଷକ ‘ମୁତୟନ’ ମାନସିକତାରୁ ଓହରି ଖାଲି ପଡ଼ିଥିବା ପଦବୀରେ ଶିକ୍ଷକ ନିଯୁକ୍ତି କରନ୍ତୁ। ‘ମୁତୟନ’ ଶବ୍ଦ ଅନ୍ୟ କର୍ମଚାରୀଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇପାରେ। କିନ୍ତୁ ଶିକ୍ଷାଦାନ ଏକ ଜୀବନ୍ତ ପ୍ରକ୍ରିୟା। ଯେଉଁ ସ୍ଥାନରେ ମୁତୟନ ବା ଡିପ୍ଲୟମେଣ୍ଟ ଛାତ୍ର-ଶିକ୍ଷକଙ୍କ ମଧ୍ୟରେ ଜୀବନ୍ତ ସମ୍ପର୍କ ସୃଷ୍ଟି କରିପାରିବ ନାହିଁ। ତେଣୁ ସରକାର ଏଭଳି ମାନସିକତାରୁ ଓହରନ୍ତୁ ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଅନୁରୋଧ କରିଛନ୍ତି।

ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ଶିକ୍ଷକର ପଦ ମର୍ଯ୍ୟାଦା, ଶିକ୍ଷାର ମୌଳିକତା ନଷ୍ଟ ହେଲା ଭଳି କୌଣସି ନିଷ୍ପତ୍ତି ନିଆଗଲେ ସଙ୍ଗଠନ ତାହାକୁ ଅତୀତରେ ବିରୋଧ କରିଛି। ଆଗକୁ ମଧ୍ୟ ବିରୋଧ କରିବ। ଏବେ କେବଳ ମାଧ୍ୟମିକ ଶିକ୍ଷାରେ ୨୦ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି ପଡ଼ିଛି। ୫ ହଜାର ସରକାରୀ ବିଦ୍ୟାଳୟ ମଧ୍ୟରୁ ୪ ହଜାରରୁ ଅଧିକ ପ୍ରଧାନଶିକ୍ଷକ ପଦ ଖାଲି। ଅନୁଦାନ ପ୍ରାପ୍ତ ବା ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କେହି ପ୍ରଧାନଶିକ୍ଷକ ନାହାନ୍ତି। ସମସ୍ତ ବିଦ୍ୟାଳୟରେ ଭାରପ୍ରାପ୍ତ ବରିଷ୍ଠ ଶିକ୍ଷକମାନେ ପ୍ରଧାନଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି। ଶିକ୍ଷକ ଅଭାବରୁ ଅନେକ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଭାଙ୍ଗିଯିବାକୁ ବସିଲାଣି। ଏଭଳି ସମୟରେ ନିଜର ତ୍ରୁଟି ତଥା ଅପାରଗତାକୁ ଲୁଚାଇବାକୁ ଯାଇ ଶିକ୍ଷକ ମୁତୟନ କଥା କୁହାଯାଇଛି। ଶିକ୍ଷକ ନିଯୁକ୍ତି ନ କରି ଜଣେ ଶିକ୍ଷକଙ୍କୁ ଦୁଇ ତିନୋଟି ସ୍କୁଲକୁ ପଠାଇ ଯେନ ତେନ ପ୍ରକାରେ ଶିକ୍ଷାଦାନକୁ ଚଳାଇ ରଖିବାକୁ ସରକାର ଉଦ୍ୟମ କରୁଛନ୍ତି। ଏହାକୁ ଓଷ୍ଟା ଗ୍ରହଣ କରିପାରୁ ନାହିଁ। ଜଣେ ଶିକ୍ଷକ ଯଦି ଏକାଧିକ ବିଦ୍ୟାଳୟକୁ ଯାଇ ଶିକ୍ଷାଦାନ କରିବେ ସେଥିରେ ଛାତ୍ରଛାତ୍ରୀଙ୍କ କ୍ଷତି ହେବ। ତେଣୁ ସରକାର ସେଥିରୁ ନିବୃତ ହୋଇ ଶିକ୍ଷକ ନିଯୁକ୍ତି କରନ୍ତୁ। ଶିକ୍ଷାଦାନ କ୍ଷେତ୍ରରେ କାମଚଳା ନୀତି ଚଳିବ ନାହିଁ। ବ୍ଲକଗ୍ରାଣ୍ଟ ବ୍ୟବସ୍ଥାକୁ ପରିବର୍ତ୍ତନ କରି ସମସ୍ତ ବିଦ୍ୟାଳୟକୁ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପରିଣତ କରିଛନ୍ତି। ସେକ୍ଷେତ୍ରରେ ଛାତ୍ରଛାତ୍ରୀ ନଥିବା ବା କମ୍‌ ଥିବା ବିଦ୍ୟାଳୟକୁ ପାଖ ସରକାରୀ ବିଦ୍ୟାଳୟରେ ମିଶାଇ ଦେବା କଥା ବୁଝା ପଡୁ ନାହିଁ। ଶିକ୍ଷାର କୌଣସି କ୍ଷତି ହେଲା ଭଳି ପଦକ୍ଷେପକୁ ଓଷ୍ଟା ବିରୋଧ କରିବ। ପ୍ରତିବାଦ କରିବା ସହ ଗ୍ରାମାଞ୍ଚଳରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ଓଷ୍ଟାର ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଭିକାରି ଚରଣ ସାହୁ, ଯୁଗ୍ମ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର