ସୁନ୍ଦରଗଡ଼ ମଣ୍ଡିରେ ଝାଡ଼ଖଣ୍ଡ ଧାନ

ସମବାୟ କର୍ମଚାରୀ-ଚୋରା ବେପାରୀ ଅସାଧୁମେଣ୍ଟ

ରାଉରକେଲା : ଝାଡ଼ଖଣ୍ଡରୁ ସୀମାନ୍ତବର୍ତ୍ତୀ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡିକୁ ଧାନ ଚୋରାଚାଲାଣ ହେଉଛି। ଉଭୟ ରାଜ୍ୟକୁ ସଂଯୋଗ କରୁଥିବା ଗ୍ରାମାଞ୍ଚଳ ରାସ୍ତା ଦେଇ ଚୋରା ବେପାରୀମାନେ ପ୍ରତିଦିନ ଶହ ଶହ କ୍ୱିଣ୍ଟାଲ ଧାନ ସୁନ୍ଦରଗଡ଼କୁ ଚାଲାଣ କରୁଛନ୍ତି। ଅସାଧୁ ସମବାୟ କର୍ମଚାରୀମାନେ ଏହି ଧାନକୁ ସ୍ଥାନୀୟ ଚାଷୀଙ୍କ ନାମରେ ଦେଖାଇ ଯେଉଁ ଆକାଉଣ୍ଟରେ ପ୍ରାପ୍ୟ ପୈଠ କରୁଛନ୍ତିି, ସେବୁ ଆକାଉଣ୍ଟ ଚୋରା ବେପାରୀଙ୍କ କବ୍‌ଜାରେ। ଏହି ଅସାଧୁ କାରବାରରେ ଚୋରା ବେପାରୀ ଓ ସମବାୟ କର୍ମଚାରୀ ମାଲାମାଲ୍‌ ହେଉଥିବା ବେଳେ ନାମପଞ୍ଜିକରଣ କରିଥିବା ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର ଚାଷୀ ଧାନ ବିକି ନପାରି ହତାଶ ହେଉଛନ୍ତି।

ଖରିଫ ଧାନ ସଂଗ୍ରହର ଶେଷ ଦିନ ମାର୍ଚ୍ଚ ୧୫। ଧାନ ବିକ୍ରି ପାଇଁ ଚାଷୀଙ୍କ ହାତରେ ଆଉ ମାତ୍ର ୧୮ ଦିନ ସମୟ। ନିର୍ଧାରିତ ସମୟର ବହୁ ଆଗରୁ ଧାନ ନ କିଣିବା ପାଇଁ ହାତ ଟେକି ଦେଲାଣି ସୁନ୍ଦରଗଡ଼ ଜିଲ୍ଲାର ସମବାୟ ବିଭାଗ। ଟାର୍ଗେଟ୍‌ ପୂରିଗଲା କହି ବୃହଦାକାର ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପ୍ସ) କର୍ମକର୍ତ୍ତା ଚାଷୀଙ୍କୁ ଫେରାଇ ଦେଉଛନ୍ତି। ଶହ ଶହ କ୍ୱିଣ୍ଟାଲ୍‌ ଧାନ ବିକ୍ରି କରିବାକୁ ନାମ ପଞ୍ଜିକରଣ କରିଥିବା ଚାଷୀମାନେ କିଛି କ୍ୱିଣ୍ଟାଲ୍‌ ଧାନ ବିକିବାକୁ ସକ୍ଷମ ହୋଇନାହାନ୍ତି। ନୂଆଗାଁ ବ୍ଲକ୍‌ ଅଞ୍ଚଳରୁ ଝାଡ଼ଖଣ୍ଡ ରାଜ୍ୟକୁ ସଂଯୋଗ କରୁଥିବା ୪ଟି ରାସ୍ତା ଦେଇ ପ୍ରତିଦିନ ଧାନ ସୁନ୍ଦରଗଡ଼ ଜିଲ୍ଲାକୁ ଆସୁଛି। ଝାଡ଼ଖଣ୍ଡର ଚୋରା ବେପାରୀମାନେ ଗ୍ରାମାଞ୍ଚଳ ଲୋକଙ୍କ ଠାରୁ ସରକାରୀ ନିର୍ଧାରିତ ମୂଲ୍ୟଠାରୁ ୫ ଶହରୁ ୭ ଶହ ଟଙ୍କା କମ୍‌ରେ ଧାନ କିଣି ସୁନ୍ଦରଗଡ଼ ପଠାଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ଏଜେଣ୍ଟମାନେ ଏହି ଧାନକୁ ପଞ୍ଜିକୃତ ସରଳ ତଥା ଅଶିକ୍ଷିତ ଚାଷୀଙ୍କ ନାମରେ ବିକ୍ରି କରି ଟଙ୍କା ଉଠାଇ ନେଉଛନ୍ତି। ଯାହା ଆକାଉଣ୍ଟକୁ ଧାନ ବାବଦ ପ୍ରାପ୍ୟ ଯାଉଛି, ସେମାନଙ୍କୁ କ୍ୱିଣ୍ଟାଲ୍‌ ପିଛା ଶହେ ଟଙ୍କା ହିସାବରେ ହାତଗୁଞ୍ଜା ଦେଇ ଟଙ୍କା ଉଠାଉଛନ୍ତି। ଏଥିରେ କେତେକ ରାଇସ୍‌ ମିଲ୍‌ ମାଲିକ ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି। କେତେକ ସ୍ଥାନରେ ଧାନ ମଣ୍ଡିକୁ ନ ନେଇ ସିଧାସଳଖ ମିଲରଙ୍କ ପାଖକୁ ପଠାଇ ଦେଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର