ଝାରସୁଗୁଡ଼ା : ଅମଳରେ ବର୍ଷା ବାଧକ, ଖୋଲି ପାରିଲା ନାହିଁ ମଣ୍ଡି

ଝାରସୁଗୁଡ଼ା : ଗୋଟିଏ ପଟେ କରୋନା ଯୋଗୁଁ ସାରା ଦେଶରେ ଲକ୍‌ଡାଉନ୍ ଯୋଗୁଁ ବନ୍ଦ ଥିବା ବେଳେ କୃଷି କ୍ଷେତ୍ରକୁ ବନ୍ଦରୁ ପରେ ବାଦ ଦିଆଯାଇଥିଲା। ଏହି ସମୟରେ ରବି ଋତୁର ଉତ୍ପାଦନ ସମୟ ହୋଇଥିବାରୁ ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ ଧାନ ସଂଗ୍ରହ ଅଭିଯାନ ଆରମ୍ଭ ହୋଇ ଯାଇଛି। ଏପ୍ରିଲ ଠାରୁ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥାଏ। ତେବେ ଝାରସୁଗୁଡ଼ା ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଧାନ ଅମଳ ବେଳେ ବାରମ୍ବାର କାଳବୈଶାଖୀ ଯୋଗୁଁ ବର୍ଷା ଲାଗି ରହୁଥିବା କାରଣରୁ ଚଳିତ ବର୍ଷ ଧାନ ଅମଳ ହୋଇ ପାରୁନଥିବା ଜଣାଯାଇଛି। ଫଳରେ ମଣ୍ଡି ଖୋଲି ପାରିନଥିବା ଜଣାଯାଇଛି।

ଗତ ମାସ ୨୪ ତାରିଖ ଦିନ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଧାନକ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୨୦୧୯-୨୦ ମସିହା ରବି ଧାନ କ୍ରୟ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଯୋଗଦେଇ ଜିଲ୍ଲାରେ ଯେଭଳି ସୁରୁଖୁରରେ ଚାଷୀ ଧାନ କ୍ରୟ କରି ପାରିବେ ସେ ନେଇ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସଂପ୍ରତି କରୋନାର ଭୟାଭୟ ପରିସ୍ଥିତି ଯୋଗୁଁ ଧାନକ୍ରୟ ସମୟରେ ଅଧିକ ସତର୍କତା ମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ପ୍ୟାକ୍ସ ମାନଙ୍କୁ ଅଯଥାରେ ଯାଉଥିବା ଲୋକଙ୍କୁ ବାରଣ କରାଯିବା, ଧାନକ୍ରୟ ବେଳେ କରାଯାଉଥିବା ଆଇ ସ୍କାନର ପଦ୍ଧତ୍ତିକୁ ଚାଷୀ ମାନେ ବିରୋଧ କରି ଆସୁଥିବାରୁ ଏବଂ ଏଥିରେ ମଧ୍ୟ ସଂକ୍ରମଣ ଆଶଙ୍କା ରହିଥିବା ଯୋଗୁଁ ବୈଠକରେ ପ୍ରତି ଚାଷୀଙ୍କ ଆଖି ସ୍କାନ୍ ହେଲା ପରେ ଏହି ସ୍କାନରକୁ ବିଶୋଧନ କରାଯିବାକୁ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକର ନିଷ୍ପତ୍ତି ଅନୁଯାୟୀ ମଇ ୮ ତାରିଖ ଠାରୁ ଧାନ ସଂଗ୍ରହ କରାଯିବା କଥା ମାତ୍ର ଜିଲ୍ଲାରେ ଏଥିପାଇଁ କୌଣସି ବ୍ୟବସ୍ଥା ଆରମ୍ଭ ହୋଇନାହିଁ। ଜିଲ୍ଲାର ଅଗ୍ରଣୀ ଚାଷୀ ଦିଲ୍ଲୀପ ପଢ଼େଇ କହିଛନ୍ତି ଯେ, ଧାନ ଅମଳ ବେଳକୁ ଲକ୍ଡାଉନ୍ ଯୋଗୁଁ ଜମିରେ ଆବଶ୍ୟକ ଥିବା ପାଣି ମଡ଼ା ଯାଇ ପାରିନଥିଲା। ଯେତେବେଳେ ଧାନ ଅମଳ କରିବା କଥା ସେତେବେଳେ ପ୍ରତିଦିନ କାଳବୈଶାଖୀ ଜନିତ ବର୍ଷା ଏହି କାମରେ ବାଧା ଦେଉଛି। ଅନେକ ଜମି ଏବେବି ପାଣିରେ ଭରି ରହିଛି। କିଛି ଦିନ ଖରା ଲାଗି ରହିଲେ ଧାନକଟା ଆରମ୍ଭ ହେବ ବୋଲି ସେ କହିଛନ୍ତି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୪ ଶହ ଉପରେ ଚାଷୀ ପଞ୍ଜିକରଣ କରି ସାରିଥିବାରୁ ଟୋକନ୍ ଆସିବା ପରେ ଚାଷୀ ନିର୍ଦ୍ଧାରିତ ଦିନ ତାଙ୍କ ଧାନ ନେଇ ପ୍ୟାକ୍ସକୁ ଯାଇ ଧାନ ବିକ୍ରି କରି ପାରିବେ ବୋଲି ଯୋଗାଣ ଅଧିକାରୀ ଉଦୀତ ପଟ୍ଟନାୟକ କହିଛନ୍ତି। ଚଳିତ ବର୍ଷ ଧାନ ଉତ୍ପାଦନ ଉତ୍ସାହଜନକ ହେବ ବୋଲି କିଛି ଚାଷୀ ଆଶବାଦୀ ଥିବା ବେଳେ କିଛି ଚାଷୀ ଏହାକୁ ସଂପୂର୍ଣ୍ଣ ଅସ୍ବୀକାର କରିଛନ୍ତି। କୃଷି ବିଭାଗ ପକ୍ଷରୁ ପରୀକ୍ଷାମୂଳକ କ୍ରପ୍କଟିଂ ବେଳେ ରେକର୍ଡ଼ ପରିମାଣର ଉତ୍ପାଦନ ଦେଖାଇବାକୁ ନେଇ ଚାଷୀ ଶ୍ରୀ ବଢ଼େଇ ଏକମତ ନୁହେଁ ବୋଲି କହିଛନ୍ତି।

କୃଷି ବିଭାଗର ଜଣେ ଅଧିକାରୀ ଲଖନପୁର ବ୍ଲକ ଭିକମପାଲି ପଞ୍ଚାୟତ ଚିଖଲପାଲି ଗାଁର ବିପିନ ନାଥଙ୍କ ଚାଷ ଜମିରେ ପରୀକ୍ଷାମୂଳକ କ୍ରପ୍ କଟିଂ କରାଯାଇଥିଲା। ଏଥିରେ ୫ ମିଟର ଦୈର୍ଘ୍ୟ ଓ ୫ ମିଟର ପ୍ରସ୍ତ ଜମିରୁ ୫୧ କେଜି ୫ ଶହ ଗ୍ରାମ ଧାନ ଅମଳ ହୋଇଥିଲା ଯାହା ହେକ୍ଟର ପିଛା ୨୦ ଟନ୍ ଅଟେ। ଏହି ପରୀକ୍ଷାମୂଳକ କଟିଂରେ ତୃଟି ଥାଇପାରେ ବୋଲି ଅନେକ ଚାଷୀ ସଂଦେହ ପ୍ରକାଶ କରିଛନ୍ତି। ଏହା ଯଦି ସତ୍ୟ ହୁଏ ତେବେ ଝାରସୁଗୁଡ଼ା ସର୍ବଭାରତୀୟ ସ୍ତରରେ ପ୍ରଥମ ହେବ ବୋଲି କୁହାଯାଉଛି। ଏଭଳି ଅମଳ ଓଡ଼ିଶାରେ ପୂର୍ବରୁ କେବେ ହୋଇନଥିବା ଜିଲ୍ଲା କୃଷି ଅଧିକାରୀ କହିଥିଲେ। ଏହାକୁ ନେଇ ଏବେ ଚାଷୀଙ୍କ ମଧ୍ୟରେ ଦ୍ବନ୍ଦ ସୃଷ୍ଟି ହୋଇଥିବାରୁ ଏହା ଉପରେ ଆଉ ଥରେ ପରୀକ୍ଷା ନିରୀକ୍ଷା କରାଯିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର