୨୦୧୯-୨୦ ଖରିଫ୍‌ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜୀକରଣ, ଅକ୍ଟୋବର ୩ ଯାଏ ଗ୍ରହଣ ହେବ ଆପତ୍ତି ଅଭିଯୋଗ

ଭୁବନେଶ୍ବର : ୨୦୧୯-୨୦ ବର୍ଷରେ ଖରିଫ୍‌ ଧାନ ସଂଗ୍ରହ ପାଇଁ ଚାଷୀମାନଙ୍କ ନାମ ପଞ୍ଜୀକରଣ କାର୍ଯ୍ୟକ୍ରମ ଗତ ୧୭ ତାରିଖରେ ଶେଷ ହୋଇଛି। ଏହାକୁ ନିର୍ଭୁଲ୍‌ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗୁରୁତ୍ବାରୋପ କରିଛନ୍ତି। ସେହି ଅନୁଯାୟୀ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।

ସଂଗୃହୀତ ଦରଖାସ୍ତଗୁଡ଼ିକର ସଂପୃକ୍ତ ପ୍ରାଥମିକ କୃଷି ସମବାୟ ସମିତି ଓ ଲ୍ୟାମ୍ପ୍‌ସ୍‌ରେ ଅନ୍‌ଲାଇନ୍‌ ପ୍ରକ୍ରିୟାରେ ଡିଜିଟାଇଜେସନ୍‌ କରାଯିବା କାର୍ଯ୍ୟ ୨୨ ତାରିଖରେ ଶେଷ ହୋଇଛି। ପଞ୍ଜୀକୃତ ଚାଷୀମାନେ ଖରିଫ୍‌ ଧାନ ଚାଷ କରିଥିବା ଜମିର ପରିମାଣ ବାବଦ ତଥ୍ୟ ସମ୍ବଳିତ ଚିଠା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯିବ। ଏହି ତଥ୍ୟ ପଞ୍ଜୀକରଣ କାର୍ଯ୍ୟ ସମ୍ପାଦନ କରୁଥିବା ସମିତି, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ କଣ୍ଟ୍ରୋଲ୍‌ ଦୋକାନରେ ସେପ୍ଟେମ୍ବର ୨୫ରୁ ୩୦ ତାରିଖ ମଧ୍ୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯାଇଛି। ଯଦି ପ୍ରକାଶିତ ତାଲିକାରେ କୌଣସି ତ୍ରୁଟି ପରିଲକ୍ଷିତ ହେଉଥାଏ, ସେ ସମ୍ବନ୍ଧୀୟ ଅଭିଯୋଗ ଯେ କୌଣସି ନାଗରିକ ସଂପୃକ୍ତ ପ୍ରକାଶନ ସ୍ଥଳରେ ଆସନ୍ତା ଅକ୍ଟୋବର ୩ ତାରିଖ ଯାଏ ଦାଖଲ କରିପାରିବ।

ଆପତ୍ତି କରିବା ପାଇଁ ନିର୍ଦ୍ଧାରିତ ଫର୍ମ ପ୍ରକାଶନ ସ୍ଥଳରେ ଉପଲବ୍ଧ ହେଉଛି। ଆଗ୍ରହୀ ନାଗରିକଙ୍କୁ ସବିଶେଷ ପଞ୍ଜୀକୃତ ତଥ୍ୟ ଜାଣିବା ପାଇଁ ପ୍ୟାକ୍ସ/ଲ୍ୟାମ୍ପସ୍ ଆଦି ଆବଶ୍ୟକ ସୁଯୋଗ ଦେବେ। ସମିତି ସମ୍ପାଦକ, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ, କଣ୍ଟ୍ରୋଲ୍‌ ଡିଲର୍ ଅଭିଯୋଗକାରୀଙ୍କ ଦସ୍ତଖତ ସମ୍ବଳିତ ଆପତ୍ତି ପତ୍ର ପ୍ରାପ୍ତିସ୍ବୀକାର ସହ ଗ୍ରହଣ କରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର