ପଦ୍ମପୁର ଉପନିର୍ବାଚନ: ଛିଣ୍ଡୁନି ପ୍ରାର୍ଥୀ ଚୟନ ପ୍ରକ୍ରିୟା     

ବରଗଡ଼: ହାତରେ ମାତ୍ର ୬ ଦିନ। କିନ୍ତୁ ବିଜେଡି କିମ୍ବା କଂଗ୍ରେସ ଏଯାଏଁ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିନାହାନ୍ତି। ବିଜେପି ପ୍ରଦୀପ ପୁ‌ରୋହିତଙ୍କ ନାମ ଘୋଷଣା କରି ଏହି କ୍ଷେତ୍ରରେ ଆଗୁଆ ରହିଛି। ବିଜେପିର ଏକମାତ୍ର ବିକଳ୍ପ ଶ୍ରୀ ପୁରୋହିତଙ୍କ ପ୍ରାର୍ଥିତ୍ବ ନେଇ ପୂର୍ବରୁ ହିଁ ଶୁଣିବାକୁ ମିଳୁଥିଲା। ତାଙ୍କ ନେତୃତ୍ବରେ ଦଳ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା। ଦଳ ଉକ୍ତ ନିର୍ବାଚନମଣ୍ଡଳୀର ୮ଟି ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେପି ୪ଟି ଜୋନ୍‌ କବ୍‌ଜା କରିଥିଲା। ତେଣୁ ଶ୍ରୀ ପୁରୋହିତ ସ୍ବାଭାବିକ ଭାବେ ଟିକଟ୍‌ ଦାବିଦାର ଥିଲେ। ତେବେ ପ୍ରାର୍ଥୀ ନେଇ ବର୍ତମାନ ଯାଏଁ ବିଜେଡି ଅକଳରେ ପଡ଼ିଛି। ଗତମାସ ୨୬ ଓ ୨୭ ତାରିଖ ଏକା ସାଂଗରେ ସାତ ଜଣ ମନ୍ତ୍ରୀ ଓ ଦୁଇଜଣ ବିଧାୟକ ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତ  କରିଥିଲେ।

ଯଦିଓ ଏହି ଗସ୍ତକୁ ସରକାରୀ ଭାବରେ ୫-ଟି ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଆଖ୍ୟା ଦିଆଯାଇଥିଲା, ପ୍ରକୃତରେ ଗ୍ରାମାଚଂଳରେ ଲୋକଙ୍କ ହାବଭାବ ପରଖିବାକୁ ଦଳ କାର୍ଯ୍ୟ କରିଥିଲା ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ଦୁଇଦିନିଆ ଗସ୍ତ କାଳରେ ନେତାମାନେ ପ୍ରାର୍ଥୀଙ୍କ ସଂପର୍କରେ ବି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିବା ଏବଂ ପଦ୍ମପୁରରୁ ବିଜେଡିର ପ୍ରାର୍ଥୀ ଚୟନ ପାଇଁ ଏହା ଏକ ପ୍ରାକ୍‌ କସରତ ଥିଲା ବୋଲି ଆଲୋଚନା ହେଉଥିଲା। କିନ୍ତୁ ଏବେ ସୁଦ୍ଧା ଦଳ କାହକୁ ଟିକଟ୍ ଦେବ, ତାହା ଚୂଡ଼ାନ୍ତ ହୋଇନାହିଁ। ଧାମନଗର ପରାଜୟ ପରେ ଦଳ କୌଣସି ହିସାବରେ ପଦ୍ମପୁର ଆସନକୁ ହାଲୁକା ଭାବେ ନେଉନାହିଁ। ତେଣୁ ବିଳମ୍ବ ହେଉ ପଛେ, ଶତ ପ୍ରତିଶତ ଘଣ୍ଟାଚକଟା ପରେ ହିଁ ଦଳ ପ୍ରାର୍ଥୀ ନାମ ଘୋଷଣା କରିବ। ଦିବଂଗତ ବିଧାୟକଙ୍କ ପରିବାରରୁ ଏବେ ଅନେକ ଆଶାୟୀ ତାଲିକାରେ ଥିବା ଶୁଣିବାକୁ ମିଳୁଛି। ଏହାବାଦ୍‌ ବାହାର କିଛି ପ୍ରାର୍ଥୀ ମଧ୍ୟ ଟିକଟ୍ ଆଶାରେ ରହିଛନ୍ତି। ତେଣୁ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଦଳ ଅଡ଼ୁଆରେ ରହିଛି।

ଏହି ଅଡ଼ୁଆ ସ୍ଥିତି ଦୂର କରିବା ପାଇଁ ପଦ୍ମପୁର ନିର୍ବାଚନମଣ୍ଡଳୀ ସାରା ବିଜେଡିର ତୁଙ୍ଗ ନେତା ଉପସ୍ଥିତ ରହିଲେଣି। ବିଭିନ୍ନ ପଞ୍ଚାୟତର ପ୍ରତିନିଧିଙ୍କୁ ନେଇ ପୃଥକ୍‌ ପୃଥକ୍ ଆଲୋଚନା ହୋଇଛି। ପ୍ରାର୍ଥୀ କିଏ ହେବେ, ତାହାର ଗୁପ୍ତ ସର୍ଭେ ଚାଲିଥିବା ଶୁଣିବାକୁ ମିଳୁଛି। ତେବେ ପ୍ରାର୍ଥୀ  ନେଇ କିଛି ଦ୍ବନ୍ଦ୍ବ ନ ଥିବା ଏବଂ ଠିକଣା ସମୟରେ ତାହା ଘୋଷଣା କରାଯିବ ବୋଲି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମତ ରଖିଛନ୍ତି। ପ୍ରାର୍ଥୀ ସଂପର୍କରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏଥିରେ ଦ୍ବିମତ ହେବାର କିଛି ଅବକାଶ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ପୂର୍ବ ନିର୍ବାଚନଗୁଡ଼ିକ ଭଳି କଂଗ୍ରେସ୍‌ ମଧ୍ୟ ପ୍ର‌ାର୍ଥୀ ଚୟନରେ ବିଳମ୍ବ କରିଛି। ଦଳର ଏକ ଟିମ୍‌ ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଗସ୍ତ କରି ପୁରୁଣା କର୍ମୀଙ୍କୁ ସକ୍ରିୟ ରଖିବାକୁ ଉଦ୍ୟମ ଚଳାଇଛି। ଶୁକ୍ରବାର ଏହି ଟିମ୍‌ ନିଜ ଗସ୍ତ ସାରି ଫେରିଛି। ସମ୍ଭବତଃ ଦୁଇ ତିନି ଦିନ ଭିତରେ ଦଳ ପ୍ରାର୍ଥୀ ଘୋଷଣା କରିବ। କଂଗ୍ରେସ ଶୃଙ୍ଖଳିତ ହିସାବରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା କରୁଛି। ଯାହା ନିଷ୍ପତ୍ତି ହେବ, ସେହି ଅନୁସାରେ ଦଳ ସମସ୍ତ ରଣନୀତି ନେଇ ନିର୍ବାଚନରେ ରଣାଂଗନ ହେବ ବୋଲି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ନିହାର ମହାନନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର