ପଞ୍ଚାୟତ ନିର୍ବାଚନ: ଜମିଲାଣି ଗାଁ ପ୍ରଚାର, ଦଳ ବିରୋଧୀଙ୍କୁ ମନାଇବାକୁ ଚାଲିଛି ପ୍ରୟାସ

ରାଉରକେଲା : ଆସନ୍ତା ଫେବୃଆରି ୧୬ରୁ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ। ଇତି ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ ଓ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ନାମାଙ୍କନ ପ୍ରତ୍ୟାହାର ହେବା ପରେ ଆଜି (ମଙ୍ଗଳବାର) ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ନିର୍ବାଚନ ଯୋଗ୍ୟ ତାଲିକା ପ୍ରକାଶ ପାଇବା ପରେ କଂଗ୍ରେସ, ବିଜେପି, ବିଜେଡି, ଜେଏମ୍ଏମ୍ ଓ ସିପିଆଇ (ଏମ୍) ଓ ସିପିଆଇ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରଚାର। ସୋସିଆଲ ମିଡିଆକୁ ଭରପୁର ଉପଯୋଗ କରୁଛନ୍ତି ଦଳର ନେତା ଓ କର୍ମୀମାନେ। ୟୁଟୁବ୍, ହ୍ୱାଟ୍‌ସ ଆପ୍, ଫେସ୍‌ବୁକ୍, ଟ୍ବିଟରରେ ନିର୍ବାଚନ ପ୍ରଚାର ଓ ପ୍ରସାରକୁ ଜୋରଦାଲ କଲେଣି। ତେଣୁ ଜମିଲାଣି ଗାଁ ରାଜନୀତି।

ଟିକେଟ୍ ପାଇ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀ ପ୍ରାର୍ଥିନୀ ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରି ଦେଇଛନ୍ତି। ସେପଟେ ଦଳର ଅନେକ ଆଶାୟୀ ପ୍ରାର୍ଥିୀ ଓ ପ୍ରାର୍ଥିନୀଙ୍କୁ ଟିକେଟ୍ ମିଳି ନଥିବାରୁ ସେମାନଙ୍କୁ ମନାଇବା ପ୍ରୟାସ ଜାରି ରଖିଛନ୍ତି ଦଳର ଜିଲ୍ଲା ସଭାପତି, ସାଂସଦ ଓ ବିଧାୟକ। ଜିଲ୍ଲାର ପ୍ରାୟ ଅଧିକାଂଶ ବ୍ଲକରେ ନିରାଶ ହୋଇଥିବା ଆଶାୟୀ ପ୍ରାର୍ଥୀଙ୍କୁ ମନାଇବାକୁ ଲାଗିପଡିଛନ୍ତି ସାଂସଦ, ବିଧାୟକଙ୍କ ଠାରୁ ଆରମ୍ଭ କରି ଦଳର ବରିଷ୍ଠ ନେତା। ନିର୍ବାଚନ ପରାଜୟ ଭୟ ଥିବାରୁ ଦଳୀୟ ନେତାମାନେ ଅସନ୍ତୁଷ୍ଟ ଆଶାୟୀ ପ୍ରାର୍ଥିୀ ଓ ପ୍ରାର୍ଥିନୀଙ୍କୁ ଯେନତେନ ପ୍ରକାର ଦଳ ସହ ମିଶି କାମ କରିବାକୁ ବୁଝାଉଛନ୍ତି। ସେପଟେ ଉପାନ୍ତ ବ୍ଲକରେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ମାନେ ସୋସିଆଲ ମିଡିଆ ଓ ଘରକୁ ଘର ପ୍ରଚାରକୁ ଜୋରଦାର କରି ଦେଇଛନ୍ତି। ଦିନରେ ଘରକୁ ଘରୁ ପ୍ରଚାର ଚାଲିଛି। ରାତିରେ ସାହି ସାହିରେ ବୈଠକ ବସୁଛି।

ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ବରିଷ୍ଠ ନେତା ଭୀମଚରଣ ମୁର୍ମୁ ନୂଆଡେରା ଗ୍ରାମରେ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଚାର ଅଭିଯାନରେ ପିଙ୍କି ମାଝି, ଜବାମଣୀ ମୁର୍ମୁ, ସତ୍ୟ ମାରାଣ୍ଡି, ଧନ ମାରାଣ୍ଡି, ଜଇପାଳ ସୋରେନ୍, ରମାଦେବୀ ହାଁସଦା, ଅର୍ଜୁନ ମୁର୍ମୁ, ମୋହନ ମାଝି, ସ୍ନେହଲତା ମାଝି ପ୍ରମୁଖ ସାମିଲ ହୋଇ ଲୋକଙ୍କୁ ତାଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ସେପଟେ ଜିଲ୍ଳାର ୩୫ ଜିଲ୍ଲା ପରିଷଦ ଜୋନ୍‌ ହାତେଇବାକୁ ଅଣ୍ଟା ଭିଡିଛନ୍ତି ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି । ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଥିବା ସତ୍ବେ ବାଜିମାତ୍‌ ମାରିଥିଲା ବିଜେଡି। ୩୫ ଜିଲ୍ଲା ପରିଷଦ ଜୋନ୍‌ ମଧ୍ୟରୁ ବିଜେଡି ୧୪ଟି ଆସନରେ ବିଜୟୀ ହୋଇଥିଲେ। ବିଜେପି ଗୋଟିଏ କମ୍‌ ଅର୍ଥାତ୍‌ ୧୩ଟି ଜିଲ୍ଲା ପରିଷଦ ଜୋନ୍‌ ଅକ୍ତିଆର କରିଥିଲେ। କଂଗ୍ରେସ ୫ଟି, ସିପିଆଇ (ଏମ୍‌), ସିପିଆଇ ଓ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ଜିଲ୍ଲା ପରିଷଦ ଜୋନ୍‌ରେ ବିଜୟୀ ହୋଇଥିଲେ। ତେବେ ଗତ ନିର୍ବାଚନ ସମୀକରଣକୁ ଦେଖିଲେ ଜିଲ୍ଲା ପରିଷଦ ଜୋନ୍‌ ହାତେଇବାରେ ଦୁଇ ଦଳ ବିଜେଡି ଓ ବିଜେପି ମଧ୍ୟରେ ବେଶ୍‌ ପ୍ରତିଦ୍ବନ୍ଦିତା ହୋଇଥିଲା।

ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନିଜ ଅଞ୍ଚଳ ବଣାଇ, କୋଇଡା ଓ ଲହୁଣିପଡା ବ୍ଲକରେ ବିଜେପି ଖାତା ଖୋଲି ପାରିଲେ ବିଜେଡି ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବା ନିଶ୍ଚିତ ଭା‌ବେ କଷ୍ଟକର ହୋଇପଡିବ। ଚଳିତ ନିର୍ବାଚନରେ ଏସବୁ ବ୍ଲକରେ ଜିଲ୍ଲା ପରିଷଦ ଖାତା ଖୋଲିବାକୁ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ନିର୍ବାଚନ ରଣାଙ୍ଗନରେ ଟକ୍କର ଦେଇ ପାରୁଛନ୍ତି କି ନାହିଁ, ତାହା ଫଳଫଳ ଘୋଷଣା ପରେ ଜଣାପଡ଼ିବ। ମୋଟାମୋଟି ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ଜିଲ୍ଲା ପରିଷଦ ଜୋନ ହାତେଇବା ଉଭୟ ବିଜେପି ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି।

ସମ୍ବନ୍ଧିତ ଖବର