ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଇଁ ସରକାରଙ୍କ ନିଷ୍ପତ୍ତି: ଏବର୍ଷ ବାହାରିବନି ‘ପରୀକ୍ଷା ଦର୍ପଣ’!

ଭୁବନେଶ୍ବର : ଏଥର ପ୍ରକାଶ ପାଇବ ନାହିଁ ‘ପରୀକ୍ଷା ଦର୍ପଣ’। ୨୦୨୧ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ଚାପ କମାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟକ ପୁସ୍ତିକା ପ୍ରକାଶ ପାଇଥିଲା। ମାତ୍ର ୨୦୨୨ ପରୀକ୍ଷାର୍ଥୀଙ୍କ ପାଇଁ ସେଭଳି କୌଣସି ପୁସ୍ତିକା ପ୍ରକାଶ ପାଇବ ନାହିଁ। ଚଳିତ ଶିକ୍ଷାବର୍ଷରେ କରୋନା ସଂକ୍ରମଣ ହ୍ରାସ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଏପର୍ଯ୍ୟନ୍ତ ବିଭାଗ କିମ୍ବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ କୌଣସି ଘୋଷଣା କିମ୍ବା ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ।

ଗଣଶିକ୍ଷା ବିଭାଗ ସୂଚନା ଅନୁଯାୟୀ, ୨୦୨୦-୨୧ ଶିକ୍ଷାବର୍ଷରେ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ସେମାନଙ୍କ ସୁବିଧା ପାଇଁ ‘ପରୀକ୍ଷା ଦର୍ପଣ’ ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀଙ୍କ ନିକଟରେ ଏହି ପୁସ୍ତିକାକୁ ପହଞ୍ଚା ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟରେ ଆସି ନଥିଲା। ବହୁ ପିଲା ତାହାକୁ ପଢ଼ି ନ ଥିଲେ। ଏମିତିକି ବହୁ ପରିମାଣରେ ପୁସ୍ତିକାକୁ ପିଲା କିମ୍ବା ସେମାନଙ୍କ ଅଭିଭାବକ ସ୍କୁଲରୁ ଗ୍ରହଣ କରି ନଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ସେଭଳି ସ୍କୁଲରେ ପଡ଼ି ରହିଛି। ତା’ ସାଙ୍ଗକୁ ପରୀକ୍ଷା ବାତିଲ୍‌ ହେବାରୁ ଏହି ପୁସ୍ତିକାର ସୁଫଳ ପିଲାମାନେ ପାଇପାରି ନଥିଲେ। ଏଥର ପାଠପଢ଼ା ସ୍ବାଭାବିକ ଭାବେ ଚାଲିଛି। ପିଲାମାନେ କ୍ଲାସରୁମ୍‌ ଶିକ୍ଷା ଗ୍ରହଣ କରୁଛନ୍ତି। ତେଣୁ ପରୀକ୍ଷା ଦର୍ପଣ ପରି ପୁସ୍ତିକାର କୌଣସି ଆବଶ୍ୟକତା ନାହିଁ। ଚଳିତବର୍ଷ ଏହି ପୁସ୍ତିକା ପ୍ରକାଶ ନେଇ କୌଣସି ନିଷ୍ପତ୍ତି ହୋଇନଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୨୦-୨୧ ଶିକ୍ଷାବର୍ଷରେ ପାଖାପାଖି ୬ କୋଟି ଟଙ୍କା ଖର୍ଚ୍ଚରେ ରାଜ୍ୟର ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲର ୬ଲକ୍ଷ ୨୦ହଜାର ୫୦୮ ଛାତ୍ରଛାତ୍ରୀଙ୍କ ନିକଟରେ ୭୦୦ ପୃଷ୍ଠା ବିଶିଷ୍ଟ ‘ପରୀକ୍ଷା ଦର୍ପଣ’ ପହଞ୍ଚା ଯାଇଥିଲା।

ସମ୍ବନ୍ଧିତ ଖବର