ପତିତଙ୍କୁ ଦିଶିବେନି ପତିତପାବନ

ଅରୁଣ ସ୍ତମ୍ଭ ପାଖକୁ ଯିବାରେ ପ୍ରତିବନ୍ଧକ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାଟ ଓଗାଳିବ

ପୁରୀ : ଶ୍ରୀମନ୍ଦିରକୁ ପ୍ରବେଶ କରି ପାରୁନଥିବା ପତିତମାନଙ୍କୁ ଦର୍ଶନ ଦେବାକୁ ମହାପ୍ରଭୁ ସିଂହଦ୍ବାର ଗୁମୁଟରେ ପତିତପାବନ ଭାବେ ପୂଜା ପାଉଛନ୍ତି। ଗଜପତି ରାମଚନ୍ଦ୍ର ଦେବ-୨ଙ୍କ ସମୟରୁ ମନ୍ଦିରକୁ ପ୍ରବେଶ ଅନୁମତି ନଥିବା ଲୋକେ ଅରୁଣସ୍ତମ୍ଭ ପାଖରୁ ପତିତପାବନଙ୍କୁ ଦର୍ଶନ କରିଥାନ୍ତି। କିନ୍ତୁ ରାଜ୍ୟ ସରକାର ସୌନ୍ଦର୍ଯ୍ୟୀକରଣ ଆଳରେ ପତିତମାନଙ୍କ ଏହି ଅଧିକାରକୁ ଛଡ଼ାଇ ନେବାକୁ ଚକ୍ରାନ୍ତ ଆରମ୍ଭ କରିଥିବା ଗୁରୁତର ଅଭିଯୋଗ ହୋଇଛି। ଆଉ ଅରୁଣସ୍ତମ୍ଭ ନୁହେଁ, ଦୋଳମଣ୍ଡପସାହି ଗଳିମୁଣ୍ଡରୁ ହିଁ ଏମାନେ ଦର୍ଶନ କରିବେ ବୋଲି ଚର୍ଚ୍ଚା ହେଉଛି। ଏହା ବିଦେଶୀ ଓ ଅନ୍ୟ ସଂପ୍ରଦାୟର ଭକ୍ତଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରିଛି।

ସମୟ ଚକ୍ରରେ ପଡ଼ି ମୁସଲମାନ ରମଣୀଙ୍କୁ ବିବାହ ପରେ ବିଧର୍ମୀ ଗଣାହେବାରୁ ଗଜପତି ରାମଚନ୍ଦ୍ର ଦେବ-୨ ଶ୍ରୀମନ୍ଦିର ପ୍ରବେଶ ଅଧିକାରରୁ ବଞ୍ଚିତ ହୋଇଥିଲେ। ଶ୍ରୀମନ୍ଦିର ପ୍ରବେଶ ଅଧିକାର ହରାଇବା ଓ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବା ପରେ ଗଜପତିଙ୍କ ପାଇଁ ସିଂହଦ୍ବାର ଗୁମୁଟରେ ପତିତପାବନଙ୍କ ମୂର୍ତ୍ତିଙ୍କୁ ସ୍ଥାପନ କରାଗଲା। ସେବେଠୁ ପତିତ ତଥା ହିନ୍ଦୁ ଧର୍ମ ବ୍ୟତିରକେ ଅନ୍ୟ ଧର୍ମର ଭକ୍ତମାନଙ୍କୁ ପତିତପାବନ ଭାବେ ଦର୍ଶନ ଦେଇ ଆସୁଛନ୍ତି ମହାପ୍ରଭୁ। ଅରୁଣ ସ୍ତମ୍ଭଠାରୁ ଏମାନେ ପତିତପାବନଙ୍କୁ ଦର୍ଶନ କରି ଆସୁଥିଲେ। କିନ୍ତୁ ସୌନ୍ଦର୍ଯ୍ୟୀକରଣ ପାଇଁ ଅନ୍ୟ ଧର୍ମର ଭକ୍ତଙ୍କୁ ଆଉ ଅରୁଣ ସ୍ତମ୍ଭ ପାଖକୁ ମଡ଼ାଇ ଦିଆଯାଉନି। ଦୋଳମଣ୍ଡପସାହି ଗଳି ମୁଣ୍ଡରୁ ଏମାନେ ପତିତପାବନଙ୍କୁ ଦର୍ଶନ କରୁଛନ୍ତି। ଯେଉଁଠୁ ପତିତପାବନଙ୍କ ମୁହଁ ବି ସ୍ପଷ୍ଟ ଦିଶୁନି। ଆଗକୁ ବି ଏହି ବ୍ୟବସ୍ଥା ଜାରି ରହିବ ଓ ଆବଶ୍ୟକ ପଡ଼ିଲେ, ଆହୁରି ଦୂରକୁ ବି ପତିତମାନେ ପତିତପାବନଙ୍କ ଦର୍ଶନ କରିବେ ବୋଲି ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ଇଟାଲିର ମୂଳବାସିନ୍ଦା ତଥା ଇସ୍କନ ଭକ୍ତ ମାୟାପୁରୀ ଚନ୍ଦ୍ର ଦାଶ କହିଛନ୍ତି, ଆମେ ଆଗରୁ ଅରୁଣ ସ୍ତମ୍ଭ ପାଖରୁ ମହାପ୍ରଭୁଙ୍କ ଦର୍ଶନ କରୁଥିଲୁ। ଶାନ୍ତ ପରିବେଶ ଭିତରେ ଅରୁଣସ୍ତମ୍ଭ ପାଖରୁ ଦର୍ଶନ କଲେ ଯେଉଁ ଶାନ୍ତି ମିଳୁଥିଲା, ଏବେ ଆଉ ସେ ସୌଭାଗ୍ୟ ମିଳୁନି। ଏବେ ଦୂରରୁ କୋଳାହଳ ଓ ଭିଡ଼ ଭିତରେ ଦୋଳମଣ୍ଡପସାହି ଗଳି ମୁଣ୍ଡରୁ ଦର୍ଶନ କରୁଛୁ। ମହାପ୍ରଭୁ ବି ସ୍ପଷ୍ଟ ଦୃଶ୍ୟମାନ ହେଉନାହାନ୍ତି। ଗାଡ଼ିମୋଟର ଓ ଲୋକଙ୍କ ଭିଡ଼ ଭିତରେ ଦର୍ଶନ ସମୟରେ ଭକ୍ତିଭାବ ବି କ୍ଷୁର୍ଣ୍ଣ ହେଉଛି। ଏବେ ଶ୍ରୀମନ୍ଦିର ଚାରିପଟେ ଏଭଳି ଖୋଳି ଦିଆଯାଇଛି ଯେ ଶ୍ରୀମନ୍ଦିର ପରିକ୍ରମା କରିବାରେ ଘୋର ଅସୁବିଧା ‌ହେଉଛି। ଶ୍ରୀ ଦାଶ କହିଛନ୍ତି, ଯଦି ପତିତପାବନଙ୍କ ଦର୍ଶନରେ ଅସୁବିଧା ହୁଏ, ଆମେ ଗଣତାନ୍ତ୍ରିକ ଉପାୟରେ ଏହାର ବିରୋଧ କରିବୁ। ମହାପ୍ରଭୁଙ୍କ ଦୁଆରେ ନ୍ୟାୟ ପାଇଁ ଗୁହାରି କରିବୁ ଶ୍ରୀ ଦାଶ କହିଛନ୍ତି।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ପତିତମାନଙ୍କ ଦର୍ଶନ ବ୍ୟବସ୍ଥା ଉପରେ ବହୁବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି। ଯେହେତୁ ଆଗକୁ ଦର୍ଶନ ସେଡ୍‌ କାକୁଡ଼ିଖାଈ ମନ୍ଦିର ପାଖରୁ ଆରମ୍ଭ ହେବ, ତେଣୁ ପତିତମାନଙ୍କ ଅରୁଣସ୍ତମ୍ଭ ନିକଟକୁ ଆସିବା ବନ୍ଦ ହୋଇଯିବ। ଏବେ ଯେଉଁଠୁ ପତିତମାନେ ପତିତପାବନଙ୍କୁ ଦର୍ଶନ କରୁଛନ୍ତି, ସେହିଠାରୁ କରିବେ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି, ଯେଉଁ ୫୫ ମିଟର ପରିଧିରେ ପ୍ରାଚୀର କଥା କହୁଛନ୍ତି, ତାହା ସିଂହଦ୍ବାରରେ ରହିବନି। ଅରୁଣ ସ୍ତମ୍ଭ ପାଖକୁ ପତିତମାନେ ଆସି ପାରିବେ କି ନାହିଁ ତାହାର ବିଚାରବିମର୍ଶ ଚାଲିଛି ବୋଲି ଶ୍ରୀ ତିଆଡ଼ି କହିଛନ୍ତି। ଓବିସିସି-୧ ପ୍ରକଳ୍ପ ପ୍ରବନ୍ଧକ ପ୍ରଭାତ ପାଣିଗ୍ରାହୀ କହିଛନ୍ତି, ଆମେ ଠିକା ସଂସ୍ଥା ଭାବେ ପରିକ୍ରମା ପ୍ରକଳ୍ପ କାମ କରୁଛୁ। କିନ୍ତୁ କେଉଁଠି କେଉଁ ବ୍ୟବସ୍ଥା ରହିବ, ତାହା ଜିଲ୍ଲା ପ୍ରଶାସନ ଅବା ସମ୍ପୃକ୍ତ ଅଧିକାରୀ କହିପାରିବେ। ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ବର୍ତ୍ତମାନ ପ୍ରକଳ୍ପ କାମ ଜାରି ରହିଛି। ଏଭଳି ସ୍ଥିତିରେ ପତିତମାନଙ୍କ ଦର୍ଶନ ଉପରେ କୌଣସି ସ୍ପଷ୍ଟ ଚିତ୍ର ଦେଇହେବନି। ପ୍ରକଳ୍ପ ସରିବା ପରେ ଯାହା କିଛି କହିହେବ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର