ଛେଳି ଆଗରେ ମଣିଷ ଜୀବନ ତୁଚ୍ଛ : ଚୋରି ସନ୍ଦେହରେ ପିଟିପିଟି ମାରିଦେଲେ

ବାରିପଦା : ଛେଳି ଆଗରେ ମଣିଷ ଜୀବନ ତୁଚ୍ଛ ହୋଇଗଲା। ହିତାହତ ଜ୍ଞାନଶୂନ୍ୟ ହୋଇ ଛେଳି ଚୋରି କରିଥିବା ଯୁବକଙ୍କୁ କାଠଗଣ୍ଡିରେ ବାନ୍ଧି ପିଟିପିଟି ମାରିଦେଲେ ୫ ଅଭିଯୁକ୍ତ। ଦେବସ୍ନାନ ପୂର୍ଣ୍ଣିମା ଭଳି ଏକ ପବିତ୍ରଦିନରେ ପାଶବିକତାର ଏଭଳି ବର୍ବର ଚିତ୍ର ବାରିପଦା ଟାଉନ୍‌ ଥାନା ଅର୍ନ୍ତଗତ ପାଲବଣି ଅଞ୍ଚଳରେ ଦେଖିବାକୁ ମିଳିଛି।

ସୂଚନା ମୁତାବକ, ବାରିପଦା ପୌରାଞ୍ଚଳ ୨୫ ନମ୍ବର ୱାର୍ଡ ପାଲବଣିରେ ରହୁଛନ୍ତି ରବି କାଳନ୍ଦି (୫୦)। ପାଲବଣି ଛକ ନିକଟରେ ରବି ଟ୍ରଲି ଚଳାଇ ପରିବାର ପୋଷନ୍ତି। ଆଜି ସକାଳେ ରବି ଉକ୍ତ ଅଞ୍ଚଳର ପବନା ବାସ୍କେଙ୍କ ଘରୁ ଏକ ଛେଳି ଚୋରି କରି ନେଇ ମାରିଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଦୋଷାରୋପ କରିବା ସହିତ ପବନା ନିଜ ଘର ନିକଟରେ ରବିଙ୍କୁ ଅଟକାଇଥିଲେ। ସପନ ସିଂ (୨୫), ଟାଙ୍ଗରୁ ଦେହୁରୀ ଓ ଅନ୍ୟ ଦୁଇଜଣ ନାବାଳକଙ୍କ ସହିତ ମିଶି ସେଠାରେ ପଡ଼ିଥିବା ଏକ କାଠଗଣ୍ଡିରେ ତାଙ୍କୁ ବାନ୍ଧି ପକାଇଥିଲେ। ଏହାପରେ, ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ, ଘଟଣାସ୍ଥଳରେ ହିଁ ରବିଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ବାରିପଦା ଟାଉନ୍‌ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ପୁଲିସ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପବନା ଓ ସପନଙ୍କୁ ଗିରଫ କରିଥିଲେ। ଅନ୍ୟତମ ଅଭିଯୁକ୍ତ ଟାଙ୍ଗରା ଓ ଦୁଇଜଣ ନାବାଳକ ‌ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଅନ୍ୟପକ୍ଷରେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଆଇଆଇସି ଶ୍ରୀ ସେନାପତି ସୂଚନା ଦେଇଛନ୍ତି। ସାମାନ୍ୟ ଛେଳି ଚୋରିକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ବାଡ଼େଇ ବାଡ଼େଇ ମାରିଦେବା ଘଟଣା ସାରାସହରରେ ଆଲୋଡ଼ନ ସୃଷ୍ଟି କରିଛି।

ଏହି ଘଟଣାକୁ ଅଧିକ ଭାବଗମ୍ଭୀର କରିଦେଇଛି ମା’ ଦୂରଙ୍କ କାନ୍ଦଣା। ସେ ବାରମ୍ବାର ଦୋହରାଇ କହୁଥିଲେ, ‘ ମୋ ପୁଅ ଟ୍ରଲି ଚଳାଇ ତା’ ପରିବାର ପୋଷୁଥିଲା। ସେ ନିଶା ଖାଉଥିଲା ସତ, ହେଲେ କେବେ ଚୋରି କରିନଥିବ। ସେମାନେ ମିଛ ଆରୋପ ଲଗାଇ ମୋ ପୁଅକୁ ପିଟି ପିଟି ମାରିଦେଲେ।’

ସମ୍ବନ୍ଧିତ ଖବର