ଲକ୍‌ଡାଉନ ଯୋଗୁଁ ଉଚ୍ଚଶିକ୍ଷା ବିଭାଗର ସମସ୍ତେ ଛୁଟି କାଟୁଛନ୍ତି : ଆଶଙ୍କାରେ ପିଜି ଏକକ ପ୍ରବେଶିକା ପରୀକ୍ଷା

ସ୍ଥିତିର ସମୀକ୍ଷା ନାହିଁ କି ପରାମର୍ଶ ଦିଆଯାଉନି, ଭର୍ଚୁଆଲ ଟ୍ୟୁଟୋରିଆଲ ହୋଇପାରିଲାନି

ଭୁବନେଶ୍ୱର : ଲକ୍‌ଡାଉନ ଯୋଗୁଁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ଯୁକ୍ତ୩ କଲେଜ ଓ ବିଶ୍ୱବିଦ୍ୟାଳୟର ବିଭିନ୍ନ ସେମିଷ୍ଟର ପରୀକ୍ଷା ବାତିଲ ହେବା ସହ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଘରକୁ ଯିବାକୁ କୁହାଯାଇଥିଲା। ଛୁଟି ସମୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ କ’ଣ କରିବା ଦରକାର ସେନେଇ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଘନଘନ ପରାମର୍ଶ ଦିଆଯାଇଛି। ଇତିମଧ୍ୟରେ ପାଖାପାଖି ମାସେ ବିତିବାକୁ ବସିଥିଲେ ହେଲେ ଛାତ୍ରଛାତ୍ରୀଙ୍କୁ କୌଣସି ପରାମର୍ଶ ଦିଆଯାଇନି କି ଅଧ୍ୟାପକଙ୍କୁ କିଛି ଟାସ୍କ ଦିଆଯାଇନି। ଲକ୍‌ଡାଉନ ସମୟରେ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ରଛାତ୍ରୀ ସମସ୍ତେ ଏବେ ଘରେ ଛୁଟି କାଟୁଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ୨୦୨୦-୨୧ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷାରେ କିଛି ପରିବର୍ତ୍ତନ ଆଣିବାକୁ ବିଭାଗ ଯୋଜନା ଆରମ୍ଭ କରିଥିଲା। ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁ, ସଚିବ ଶାଶ୍ୱତ ମିଶ୍ର ଲଗାତାର ବୈଠକ କରି ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଏହା କାର୍ଯ୍ୟକାରୀ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। କାରଣ ଏପର୍ଯ୍ୟନ୍ତ ସବୁ ବିଶ୍ୱବିଦ୍ୟାଳୟର ସ୍ନାତକ ପରୀକ୍ଷା ଶେଷ ହୋଇନି। କେଉଁଠି ଅଧାରେ ଅଟକିଛି ତ ଆଉ କେଉଁଠି ଆରମ୍ଭ ହୋଇପାରିନି। ଏପ୍ରିଲ ସୁଦ୍ଧା ସବୁ ବିଶ୍ୱବିଦ୍ୟାଳୟ ପରୀକ୍ଷା ଶେଷ କରି ମେ’ ୧୫ ଭିତରେ ଫଳ ପ୍ରକାଶ କରିବାକୁ କୁହାଯାଇଥିଲା। ତେବେ କରୋନା ପାଇଁ ସବୁ କିଛି ବନ୍ଦ ହୋଇଯାଇଛି। ଏଭଳି ସମୟରେ ଏକକ ପ୍ରବେଶିକା ପରୀକ୍ଷା କିଭଳି ହେବ ତାହାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। କାରଣ ବର୍ତ୍ତମାନ ହାତରେ କମ ସମୟ ଥିବାରୁ ଏକକ ପରୀକ୍ଷା ଭଳି ଏକ ବଡ ପଦକ୍ଷେପ ନେବା ପୂର୍ବରୁ ଶହେ ଥର ଭାବିବା ଆବଶ୍ୟକ ବୋଲି ଶିକ୍ଷାବିତମାନେ ମତପ୍ରକାଶ କରିଛନ୍ତି।

ସେହିପରି ଅଧାରୁ ବାତିଲ ହୋଇଥିବା ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ବିଭିନ୍ନ ସେମିଷ୍ଟର ପରୀକ୍ଷା ହେବା ନେଇ ଉଚ୍ଚଶିକ୍ଷା ବିଭାଗ ଏକପ୍ରକାର ନିରବ ରହିଛି। ଛାତ୍ରଛାତ୍ରୀଙ୍କୁ କିଛି ବି ପରାମର୍ଶ ଦିଆଯାଉନି। ଏମିତିକି ଉଚ୍ଚତର ଶିକ୍ଷା ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଥିବା ଛାତ୍ରଛାତ୍ରୀ ଏବେଠାରୁ କିଭଳି ପ୍ରସ୍ତୁତ ହେବେ ସେନେଇ ବିଭାଗ କୌଣସି ପରାମର୍ଶ ଦେଉନାହିଁ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଘରେ ରହି ଅନ ଲାଇନରେ ପଢିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇନି। ଭର୍ଚୁଆଲ ଟ୍ୟୁଟୋରିଆଲ କରିବା ପାଇଁ ଯୋଜନା ହୋଇଥିଲେ ମଧ୍ୟ ତାହା ଅଧାରେ ରହିଛି। ଫେବ୍ରୁଆରି ସୁଦ୍ଧା ଏହାକୁ ପ୍ରସ୍ତୁତ କରିବାକୁ ଉତ୍କଳ ବିଶ୍ଵବିଦ୍ୟାଳୟକୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ଅଧିକାରୀମାନେ ସେଥିରେ ବିଫଳ ହୋଇଛନ୍ତି। ଯଦି ନିର୍ଦ୍ଧାରିତ ସମୟରେ ଶେଷ ହୋଇଥାନ୍ତା ତେବେ ଲକ୍‌ଡାଉନ ସମୟରେ ଛାତ୍ରଛାତ୍ରୀ ଉପକୃତ ହୋଇଥାନ୍ତେ।

ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କରୋନା ସ୍ଥିତି ଉପରେ ବିଭାଗ ନଜର ରଖିଛି। ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷାକୁ ଗୁରୁତ୍ବ ଦେଇ ଖୁବଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ଏନେଇ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ।

ସମ୍ବନ୍ଧିତ ଖବର