ବୁର୍ଲା ପାୱାର ହାଉସ୍‌ ଉପରେ ଫଟୋସୁଟ୍‌, ଡ୍ୟାମ୍‌ ନିଷିଦ୍ଧ ଅଞ୍ଚଳରେ ଦଳଦଳ ଯୁବକଯୁବତୀ

ସମ୍ବଲପୁର : ହୀରାକୁଦ ଡ୍ୟାମ୍‌ ନିଷିଦ୍ଧାଞ୍ଚଳର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ପୁଣି ଥରେ କିଛି ଯୁବକଯୁବତୀ ଡ୍ୟାମ୍‌ ଉପରେ ବୁଲାବୁଲି କରିବା ସହ ବୁର୍ଲା ପାୱାର ହାଉସ୍‌ ଛାତ ଉପରକୁ ଚଢ଼ି ଫଟୋ ସୁଟ୍‌ କରିଛନ୍ତି। ସେମାନଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ଏହି ଛାତ୍ରଛାତ୍ରୀମାନେ କିଏ ଓ କିଏ ସେମାନଙ୍କୁ ନିଷିଦ୍ଧାଞ୍ଚଳରେ ପଶି ଫଟୋ ଉଠାଇବାକୁ ଅନୁମତି ଦେଲା ସେ ନେଇ କେହି କିଛି କହୁନାହାନ୍ତି। ପୁଲିସ ଘଟଣା ବିଷୟରେ ଅଜ୍ଞ ଥିବା ବେଳେ ବନ୍ଧ ସୁରକ୍ଷା ଦାୟିତ୍ବରେ ଥିବା ଓଆଇଏସ୍‌ଏଫ୍‌ ମଧ୍ୟ ଏହି ଘଟଣା ସମ୍ପର୍କରେ କିଛି ଜାଣିନଥିବା କହୁଛି। କିଛି ଦିନ ପୂର୍ବେ ଚିପିଲିମା ଓଏଚ୍‌ପିସି ସାଇଟ୍‌ ଓ ପାର୍ଶ୍ବରେ ଏଭଳି ଫଟୋ ସୁଟ୍‌ର ଭିଡିଓ ଭାଇରାଲ୍‌ ହେବା ଚର୍ଚ୍ଚା ସୃଷ୍ଟି କରିଥିଲା। ବର୍ଷକ ତଳେ ମୁଖ୍ୟ ଡ୍ୟାମ୍‌ ଉପରେ ୩ ଜଣ ଓଲିଉଡ୍‌ ଅଭିନେତ୍ରୀଙ୍କ ସମେତ ୪ ଯୁବତୀ ଓ କିଛି ଯୁବକଙ୍କ ଭିଡିଓ ସୁଟିଂ ବେଶ୍‌ ବିବାଦ ସୃଷ୍ଟି କରିଥିଲା। ବାରମ୍ବାର ନିଷିଦ୍ଧାଞ୍ଚଳରେ ଏଭଳି ଫଟୋସୁଟ୍‌ ହେଉଥିବାରୁ ଏଥି ପାଇଁ କିଏ ଅନୁମତି ପ୍ରଦାନ କରୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମଙ୍ଗଳବାର ସକାଳୁ ୨ଟି ଗାଡ଼ିରେ ପ୍ରାୟ ୨୦ରୁ ଅଧିକ ଯୁବକ ଯୁବତୀ ହୀରାକୁଦ ପଟୁ ଡ୍ୟାମ୍‌ ଉପର ଦେଇ ବୁର୍ଲାପଟକୁ ଆସିଥିଲେ। ମଝିରେ ଗାଡ଼ି ଅଟକାଇ ନିଷିଦ୍ଧାଞ୍ଚଳ ଭାବେ ଘୋଷିତ ଓଏଚ୍‌ପିସି କାର୍ଯ୍ୟାଳୟ ଉପରକୁ ଲୁହା ସିଢ଼ି ସାହାଯ୍ୟରେ ଚଢ଼ିଥିଲେ। ବେଶ୍‌ କିଛି ସମୟ ଧରି ସେମାନେ ଓଏଚ୍‌ପିସି କାର୍ଯ୍ୟାଳୟ ଛାତରେ ବୁଲାବୁଲି କରିବା ସହ ହୀରାକୁଦ ଡ୍ୟାମ୍‌ର ଅତି ନିକଟକୁ ଯାଇ ବିପଦଜନକ ଭାବେ ଫଟୋ ସୁଟ୍‌ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ହୀରାକୁଦ ଡ୍ୟାମ୍‌ର ମୁଖ୍ୟ ବନ୍ଧ ଉପରେ, ଏହାର ପାର୍ଶ୍ବରେ ଫଟୋ ଉଠାଇବା ନିଷିଦ୍ଧ କରାଯାଇଛି। ଏନେଇ ଡ୍ୟାମ୍‌ର ଚତୁଃପାର୍ଶ୍ବରେ ବୋର୍ଡ ଲଗା ଯାଇଛି। କରୋନା ସମୟରେ ସାଧାରଣ ଜନତାଙ୍କୁ ଉକ୍ତ ଅଞ୍ଚଳକୁ ଯିବାକୁ ଦିଆଯାଉ ନାହିଁ। ଏଭଳି ସମୟରେ କେମିତି ହୀରାକୁଦ ବନ୍ଧ ଓ ପାୱାର୍‌ ହାଉସ୍‌ର ସୁରକ୍ଷାକୁ ଜଳାଞ୍ଜଳି ଦେଇ ନିଷିଦ୍ଧ‌ାଞ୍ଚଳରେ ଫଟୋ ସୁଟ୍‌ ପାଇଁ ଅନୁମତି ପ୍ରଦାନ କରାଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚିରାଚରିତ ଭାବରେ ପୁଲିସ୍‌ ଏହି ଘଟଣାରେ ମଧ୍ୟ ତଦନ୍ତ କରୁଥିବା କହି ନିଜ ମୁଣ୍ଡରୁ ଦୋଷ ଖସାଇବା ଉଦ୍ୟମ କରିଛି। ଘଟଣା ସମ୍ପର୍କରେ ବୁର୍ଲା ଏସ୍‌ଡିପିଓ ଶିଶୁ ରଞ୍ଜନ ମହାପାତ୍ରଙ୍କୁ ଯୋଗାଯୋଗ କରିବାରେ, ସେମାନଙ୍କୁ କିଏ ଅନୁମତି ପ୍ରଦାନ କଲା ଓ ସେମାନେ କିଭଳି ଭିତରେ ପ୍ରବେଶ କଲେ ତାହାର ତଦନ୍ତ ହେବ ବୋଲି କହିଥିଲେ।

ଅପରପକ୍ଷେ‌, ହୀରାକୁଦ ଡ୍ୟାମ୍‌ର ସୁରକ୍ଷା ଦାୟିତ୍ବରେ ଥିବା ଓଆଇଏସ୍‌ଏଫ୍‌ ମଧ୍ୟ ଏହି ଘଟଣା ସମ୍ପର୍କରେ କିଛି ଜାଣିନଥିବା ସୁବେଦାର ଏରିକ୍‌ କେର୍‌କେଟା କହିଛନ୍ତି। ତେବେ ଓଏଚ୍‌ପିସି ପକ୍ଷରୁ ସେମାନଙ୍କୁ ପାସ୍‌ ଦିଆଯାଇଥିବା ଶ୍ରୀ କେରକେଟା କହିଛନ୍ତି। ଯଦି ସୁରକ୍ଷା କର୍ମୀଙ୍କ ଅଜାଣତରେ ଏତେ ସଂଖ୍ୟକ ଲୋକେ ଡ୍ୟାମ୍‌ ମୁଖ୍ୟ ବନ୍ଧରେ ଆସି ପାୱାର ହାଉସ୍‌,ସ୍ପିଲ୍‌ ୱେକୁ ଯାଉଛନ୍ତି ତେବେ ହୀରାକୁଦ ବନ୍ଧ କେତେ ସୁରକ୍ଷିତ ତାହା ଅନୁମେୟ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର