ହରିଦ୍ୱାର-ଋଷିକେଶ ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକ, ବାଲେଶ୍ବର ରେଳ ଷ୍ଟେସନ୍‌ରୁ ଛାଡ଼ିଲା ସ୍ବତନ୍ତ୍ର ଟ୍ରେନ୍‌

ଭିଡିଓ କନ୍‌ଫରେନସିଂରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର : ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ରେ ଆଜି ବାଲେଶ୍ୱର ରେଳଷ୍ଟେସନ୍‌ରୁ ୯୭୦ ଜଣ ବରିଷ୍ଠ ନାଗରିକ ହରିଦ୍ବାର-ଋଷିକେଶ ଅଭିମୁଖେ ତୀର୍ଥଯାତ୍ରାରେ ବାହାରିଛନ୍ତି। ଉତ୍ତର ଓଡ଼ିଶାର ୫ ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର ଓ ଯାଜପୁରରୁ ଏହି ତୀର୍ଥଯାତ୍ରୀମାନେ ସାମିଲ ହୋଇଥିବା ବେଳେ ସେମାନଙ୍କ ଦେଖାଶୁଣା ପାଇଁ ସାଙ୍ଗରେ ୩୦ ଜଣ ଅଧିକାରୀ ଯାତ୍ରା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ସମସ୍ତ ତୀର୍ଥଯାତ୍ରୀଙ୍କୁ ଶୁଭକାମନା ଜଣାଇଥିଲେ। ବାଲେଶ୍ବର ରେଳ ଷ୍ଟେସନ୍‌ରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପତାକା ଦେଖାଇବା ପରେ ତୀର୍ଥଯାତ୍ରୀଙ୍କୁ ଧରି ଟ୍ରେନ୍‌ଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା। ଏହି ତୀର୍ଥଯାତ୍ରାରେ ବାଲେଶ୍ୱର ଜିଲ୍ଲାରୁ ୨୨୬ ଜଣ, ଭଦ୍ରକ ଜିଲ୍ଲାରୁ ୧୪୬, ମୟୂରଭଞ୍ଜ ଜିଲ୍ଲାରୁ ୨୪୫, ଯାଜପୁର ଜିଲ୍ଲାରୁ ୨୨୬ ଓ କେନ୍ଦୁଝର ଜିଲ୍ଲାରୁ ୧୭୫ ଜଣ ବରିଷ୍ଠ ନାଗରିକ ସାମିଲ ହୋଇଛନ୍ତି। ଗତକାଲି ବାଲେଶ୍ୱର ବାମପଦାସ୍ଥିତ ନୋସି ବିଜିନେସ୍ ପାର୍କରେ ତୀର୍ଥଯାତ୍ରୀମାନେ ପହଞ୍ଚିବା ପରେ ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କ ପାଇଁ ରାତ୍ରିରହଣୀର ସୁବିଧା କରାଯାଇଥିଲା।

ଆଜି ପୂର୍ବାହ୍ନରେ ବାଲେଶ୍ବର ରେଳଷ୍ଟେସନ୍‌ର ୪ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା ଭୁବନେଶ୍ବର-ହରିଦ୍ବାର-ଭୁବନେଶ୍ବର (୦୮୪୧୫/୦୮୪୧୬) ସ୍ବତନ୍ତ୍ର ଟ୍ରେନ୍। ନୃତ୍ୟଗୀତ, ବାଜା, ଶଙ୍ଖଧ୍ୱନିରେ ତୀର୍ଥଯାତ୍ରୀମାନଙ୍କୁ ସ୍ବାଗତ କରାଯାଇ ଟ୍ରେନ୍‌ରେ ବସାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍‌ସିଂ ଦ୍ବାରା ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କଠୁ ପ୍ରତିକ୍ରିୟା ଶୁଣିଥିଲେ। ପରିଣତ ବୟସରେ ଗରିବ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ନିମନ୍ତେ ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା ପ୍ରଣୟନ କରିଥିବାରୁ ତୀର୍ଥଯାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅନନ୍ତ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ନାୟକ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ରାମଚନ୍ଦ୍ର ଜେନା, ଉପଜିଲ୍ଲାପାଳ ନୀଲୁ ମହାପାତ୍ର, ନୀଳଗିରି ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁବାସ ନିଆଲ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଗଗନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ରେଳ ବିଭାଗର ଆଇଆର୍‌ସିଟିସି ସହଯୋଗରେ ତୀର୍ଥଯାତ୍ରୀମାନେ ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରି ଆସନ୍ତା ୧୮ ତାରିଖରେ ବାଲେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବେ ବୋଲି ଜଣାପଡ଼ିଛି।

୨୦୧୬ରୁ ରାଜ୍ୟ ସରକାର ବରିଷ୍ଠ ନାଗରିକମାନଙ୍କ ପାଇଁ ତୀର୍ଥଯାତ୍ରା ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି। ଏବେସୁଦ୍ଧା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୨ ହଜାର ବରିଷ୍ଠ ନାଗରିକମାନେ ତୀର୍ଥ ଭ୍ରମଣର ସୁଯୋଗ ପାଇଛନ୍ତି। ଚଳିତ ଆର୍ଥିକ ବର୍ଷରେ ଆଉ ୩ଟି ତୀର୍ଥଯାତ୍ରୀ ଦଳ ଗସ୍ତ କରିବ। ୨୦୨୦ ଜାନୁଆରିରେ ବ୍ରହ୍ମପୁରରୁ ରାମେଶ୍ବର-ମଦୁରାଇ, ଫେବ୍ରୁଆରିରେ ସମ୍ବଲପୁରରୁ ଆଗ୍ରା-ମଥୁରା-ବୃନ୍ଦାବନ ଓ ଭୁବନେଶ୍ବରରୁ ଆଲାହାବାଦ୍-ବନାରସକୁ ଭ୍ରମଣ କରିବା ପାଇଁ ବରିଷ୍ଠ ନାଗରିକମାନେ ସୁଯୋଗ ପାଇପାରିବେ।

ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିସନର, ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର