ମାସେ ଭିତରେ ୨୯ଟି ଖଣି ନିଲାମ ପାଇଁ ଯୋଜନା : ୨ଟି ଖଣି ସରକାରୀ ଉଦ୍ୟୋଗ ପାଇଁ ସଂରକ୍ଷିତ ରହିବ଼, ସୁକିନ୍ଦା କ୍ରୋମାଇଟ୍ ଓ ଗୁଆଲି ଲୁହାପଥର ଖଣିର ନିଲାମ ହେବନି

ଭୁବନେଶ୍ବର : ଆସନ୍ତା ଏକ ମାସ ଭିତରେ ରାଜ୍ୟ ସରକାର ୨୯ଟି ଖଣି ନିଲାମ କରିବେ। ଏ ନେଇ ଖଣି ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ଆସନ୍ତାବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୨୪ଟି ଖଣିର ଲିଜ ଅବଧି ଶେଷ ହେବାକୁ ଯାଉଥିବାରୁ ତା ପୂର୍ବରୁ କଞ୍ଚାମାଲ ଯୋଗାଇବା ପାଇଁ ଯେପରି ଅସୁବିଧା ନ ହୁଏ, ସେଥିପାଇଁ ଖଣି ନିଲାମି କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସରକାର ଗୁରୁତ୍ବ ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ କେତୋଟି ଖଣି ନିଲାମ ହେବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତାସମ୍ପନ୍ନ କମିଟି ନିଷ୍ପତ୍ତି ନେବା ପରେ ବିଜ୍ଞପ୍ତି ପ୍ରକାଶ ପାଇବ।

ଇସ୍ପାତ ଓ ଖଣି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୋଟ ୪୦ଟି ଖଣିରୁ ୨ଟି ଖଣିକୁ ସରକାରୀ ଉଦ୍ୟୋଗ ପାଇଁ ସଂରକ୍ଷିତ ରଖିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ୫୦ ବର୍ଷରୁ ଅଧିକ ବର୍ଷ ଧରି ଲିଜ୍ ଆକାରରେ ଯାଜପୁର ସୁକିନ୍ଦାରେ ଟାଟା କମ୍ପାନିକୁ ମିଳିଥିବା ସୁକିନ୍ଦା କ୍ରୋମାଇଟ ଖଣି ଓ ଆର.ପି ସାଓ କମ୍ପାନିକୁ ମିଳିଥିବା କେନ୍ଦୁଝରର ଗୁଆଲି ଲୁହାପଥର ଖଣିକୁ ଆଉ ନିଲାମ ନ କରି ସରକାରୀ ଉଦ୍ୟୋଗ ପାଇଁ ସଂରକ୍ଷିତ ରଖାଯିବ। ଏହି ଦୁଇଟିଯାକ ଖଣିର ଲିଜ ମିଆଦ ଆସନ୍ତାବର୍ଷ ମାର୍ଚ୍ଚ ୩୧ରେ ପୂରିବ। ୩୮ଟି ଖଣିରୁ ୭ଟିର ନିଲାମ ପାଇଁ ବିଜ୍ଞପ୍ତି ହୋଇ ସାରିଥିବା ବେଳେ ଆଉ ୨ଟିର ଟେଣ୍ଡର ଆହ୍ବାନ କରାଯାଇଛି। ନିଲାମ ପାଇଁ ବିଜ୍ଞପ୍ତି ହୋଇଥିବା ଖଣି ଗୁଡ଼ିକ ହେଲା ମିଶ୍ରିଲାଲ ଖଣିର ୨ଟି କ୍ରୋମାଇଟ ଖଣି, ୪ଟି ଚୂନପଥର ଖଣି (ବେହେରା ବାଞ୍ଝିପାଲି, ଗାରାମୁରା, ଖତକୁକୁଡ଼ାବାହାଲ ଓ ପିପଲମୁଣ୍ଡା) ଓ ଜଗଦଳପୁରସ୍ଥିତ ଗ୍ରାଫାଇଟ୍ ଖଣି ଅନ୍ତର୍ଭୁକ୍ତ। ସେହିପରି ଦୁଇଟି ଖଣି ନାରିପଙ୍ଗା ଚୂନପଥର ଓ ଉସ୍କଲାଭାରୁ ଗ୍ରାଫାଇଟ୍ ଖଣି ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି।

ବାକି ୨୯ଟି ଖଣିର ନିଲାମ ପାଇଁ ଇସ୍ପାତ ଓ ଖଣି ବିଭାଗ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିସାରିଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ କେତୋଟି ଖଣି ନିଲାମ କରାଯିବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ନିଷ୍ପତ୍ତି ନେବ। ଦୁଇଦିନ ତଳେ ୧୦ଟି ଖଣିର ନିଲାମ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇସାରିଥିଲେ। ଏବେ ଏକକାଳୀନ ନିଲାମି ପ୍ରକ୍ରିୟାରେ କେତୋଟି ଖଣିକୁ ସାମିଲ କରାଯିବ ସେଥିପାଇଁ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଅନୁମୋଦନ କଲାପରେ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ଆସନ୍ତାକାଲି ସୁଦ୍ଧା ଖଣି ନିଲାମି ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ।

ସମ୍ବନ୍ଧିତ ଖବର