ମହାତ୍ମାଙ୍କ ବିଶ୍ୱରୂପ

ପାବକ କାନୁନ୍‌ଗୋ

‘ସମ୍ବାଦ’କୁ ଆଜି ପଞ୍ଚତିରିଶ ପୂରି ଛତିଶ ଚାଲିଲା। ଆଜି ଏହାର ୩୬ତମ ସ୍ୱନକ୍ଷତ୍ର ପାଳନ କରୁଥିବା ବେଳେ ଦୁଇ ଦିନ ପୂର୍ବରୁ ସାରା ଦେଶ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀର ଉଦ୍‌ଯାପନ ବେଶ ଉତ୍ସାହର ସହ ସମ୍ପନ୍ନ ହୋଇଯାଇଛି।

ଆଜି ପୃଥିବୀ ଏକ ସନ୍ଧିକ୍ଷଣରେ ଛିଡ଼ା। ଅନେକ ପୁରୁଣା ମୂଲ୍ୟବୋଧର ଦୁର୍ଗ ତାସ ଘର ଭଳି ଭୁଶୁଡ଼ି ପଡ଼ିବାରେ ଲାଗିଛି। ଅନେକ ମୌଳିକ ପରିବର୍ତ୍ତନର ସୁଅରେ ପୁରୁଣା ପୃଥିବୀ ଶୁଖିଲା ପତ୍ର ସ୍ୱରୂପ ଭାସି ଯାଉଥିବା ଭଳି ବୋଧ ହେଉଛି। ଏତିକି ବେଳେ ପ୍ରଶ୍ନ ଉଠୁଛି ଯେ ଆଜିକୁ ୧୫୦ ବର୍ଷ ତଳେ ଜନ୍ମ ନେଇଥିବା ଏବଂ ଶିଳ୍ପ ବିପ୍ଳବ ପରବର୍ତ୍ତୀ ପୃଥିବୀକୁ ‘ସତ୍ୟାଗ୍ରହ’ ଓ ‘ଅହିଂସ ଆନ୍ଦୋଳନ’ ଭଳି ଅତ୍ୟନ୍ତ ଅଭିନବ ତଥା ମୌଳିକ ରାଜନୈତିକ ଚିନ୍ତାଧାରା ଓ ଆଦର୍ଶ ଉପହାର ଦେଇଥିବା ମହାତ୍ମା ଗାନ୍ଧୀ ଆଜି ପ୍ରାସଙ୍ଗିକ କି?

ଏହାକୁ ଆଧାର କରି ଏ ବିଶେଷ ସଂଖ୍ୟାରେ ସ୍ଥାନୀତ କିଛି ମୌଳିକ ରଚନା ସହିତ ଆମେ ଜାତିର ଜନକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।

ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ସାରା ବିଶ୍ୱରେ ପାଳିତ ହୋଇଥିଲା ବେଳେ ତାଙ୍କୁ ନୂତନ ଭାବରେ ଆବିଷ୍କାର କରିବାର ପ୍ରକ୍ରିୟା ନିରନ୍ତର ଭାବରେ ଚାଲିଛି। ଜୀବଦ୍ଦଶାରେ ସାରା ମାନବ ଜାତି ପାଇଁ ସେ ଯେପରି ପ୍ରେରଣାର ଉତ୍ସ ପାଲଟିଯାଇଥିଲେ, ତାଙ୍କ ‘ମୃତ୍ୟୁ ପରବର୍ତ୍ତୀ ଜୀବନ’ରୁ ମଧ୍ୟ ସେହି ପରି ନୂଆ ଆଲୋକ, ନୂଆ ଶିକ୍ଷା ମିଳୁଛି। ଏକବିଂଶ ଶତାବ୍ଦୀରେ ତାଙ୍କ ନୀତି, ଆଦର୍ଶ ଓ ପନ୍ଥାର ପ୍ରାସଙ୍ଗିକତା ସମ୍ପର୍କରେ ଗାନ୍ଧୀ ଗବେଷକମାନେ ଆଲୋଚନା କରୁଛନ୍ତି।

ଏହିସବୁ ଆଲୋଚନା ବେଳେ ଗୋଟିଏ କଥାରେ ସମସ୍ତେ ଏକମତ ହେଉଛନ୍ତି, ଗାନ୍ଧୀଙ୍କର ପ୍ରଭାବ କେବଳ ଭାରତ ବା ବିଶ୍ୱର ଏକ ନର୍ଦିିର୍ଷ୍ଟ ଅଞ୍ଚଳରେ ସୀମିତ ହୋଇରହିନାହିଁ। ସମଗ୍ର ମାନବ ଜାତିର ବିବେକ ଭାବରେ ସେ ଆଜି ସ୍ୱୀକୃତ ହେଉଛନ୍ତି ଏବଂ ତାଙ୍କ ଆଦର୍ଶ ଓ ବାଣୀର ଚିରନ୍ତନତା ତାଙ୍କୁ ବିଶ୍ୱ ନାଗରିକ ଆସନରେ ବସାଇଛି। ତାଙ୍କ ଜୀବନୀ ଓ ସନ୍ଦେଶର ବିଶ୍ଳେଷଣ କଲା ବେଳେ ଭାରତର ସଭ୍ୟତା, ସଂସ୍କୃତି ଓ ଐତିହ୍ୟ କଥା ମଧ୍ୟ ଆପେ ଆପେ ଚାଲିଆସୁଛି। ମହାତ୍ମାଙ୍କ ମହାପ୍ରୟାଣ ପରେ ‘ଲଣ୍ଡନ ଟାଇମ୍‌ସ’ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଥିଲା- ‘‘ଅନ୍ୟ କୌଣସି ଦେଶ ନୁହେଁ, କେବଳ ଭାରତ ଏବଂ ଅନ୍ୟ କୌଣସି ଧର୍ମ ନୁହେଁ, କେବଳ ହିନ୍ଦୁ ଧର୍ମ ହିଁ ଜଣେ ଗାନ୍ଧୀଙ୍କୁ ଜନ୍ମ ଦେଇପାରିବ।’’ ଭୋଗ ବିଳାସ ତ୍ୟାଗ କରି, ଆତ୍ମସଂଯମକୁ ପୁଞ୍ଜି କରି, ଐଶ୍ୱରିକ ଶକ୍ତିରେ ବଳୀୟାନ୍‌ ହୋଇ ଜଣେ ସନ୍ଥର ଜୀବନ କଟାଇଥିବା ଗାନ୍ଧୀ ସାରା ବିଶ୍ୱ ପାଇଁ ଏକ ଆଲୋକବର୍ତ୍ତିକା। ଅସାଧାରଣ ଗୁଣର ଅଧିକାରୀ ହୋଇ ଜଣେ ସାଧାରଣ ମଣିଷ ଭଳି ଜୀବନ କଟାଇଥିବା ଗାନ୍ଧୀ ଭାରତରେ ଜନ୍ମ ହୋଇଥିିଲେ ସତ, କିନ୍ତୁ ସେ ମାନବଜାତିର ସଂପଦ ଭାବରେ ବିବେଚିିତ ହେଉଥିଲେ ବୋଲି ବ୍ରିଟିସ୍‌ ପ୍ରଧାନ ମନ୍ତ୍ରୀ କ୍ଲିମେଣ୍ଟ୍‌ ଅଟ୍‌୍‌ଲି ୧୯୪୮ରେ କହିଥିଲେ।

ଆଧ୍ୟାତ୍ମିକ ଚିନ୍ତା ଓ ଅନ୍ତଃ ଦର୍ଶନ ଦ୍ୱାରା ପରମାତ୍ମାଙ୍କ ସହିତ ମିଳିତ ହେବାର ସାମର୍ଥ୍ୟ ହାସଲ କରିବା ସହିତ ନିଜ ବ୍ୟକ୍ତିତ୍ୱରେ ଜଣେ ସନ୍ଥ ଓ ରାଜନେତାର ସମନ୍ଵୟ ଘଟାଇ ନିଜର ବିଶ୍ୱାସ ଉପରେ ବଞ୍ଚିରହିଥିଲେ। ଏଥି ସହିତ ନିଜର ବିଶ୍ୱାସ ପାଇଁ ହିଁ ସେ ପ୍ରାଣଦାନ କରିଥିଲେ। ବିଶ୍ୱର ସବୁ ଅଂଶରେ ଲୋକେ ଆଜି ଏକ ସ୍ୱରରେ କହୁଛନ୍ତି, ଅସାଧାରଣ ସାଧୁତାର ଅଧିକାରୀ ହୋଇ ଈର୍ଷା, ଦ୍ୱେଷ, ପରଶ୍ରୀକାତରତା ଓ ଶତ୍ରୁତାରୁ ସମ୍ପୂର୍ଣ୍ଣ ମୁକ୍ତି ପାଇଥିବା ଜଣେ ଲୋକର ଜୀବନ କେବେ ହେଲେ ବୃଥା ଯିବନାହିଁ। ନୈତିକ ଉତ୍କଷ୍ଟତା, ସାଧୁତା, ସ୍ୱଚ୍ଛତା ଓ ବିଶ୍ୱସନୀୟତା ଉପରେ ଆସ୍ଥା ପ୍ରକଟ କରିଥିବାରୁ ନିର୍ଭୀକତା ଓ ସଦାଚାରର ଏକ ଉନ୍ନତ ମାପକାଠି ଭାରତୀୟମାନଙ୍କ ଆଗରେ ସେ ରଖିଦେଇପାରିଲେ।

ଏ ଭଳିସବୁ ଗୁଣର ଅଧିକାରୀ ହୋଇଥିବାରୁ ଗାନ୍ଧୀ ହୋଇଗଲେ ବିଶ୍ୱର ଆଦର୍ଶ। ଭାରତ ଅପେକ୍ଷା ବିଦେଶରେ ହିଁ ତାଙ୍କର ଅବଦାନ ସମ୍ପର୍କରେ ଅଧିକ ବିଜ୍ଞାନସମ୍ମତ ପନ୍ଥାରେ ଆଲୋଚନା ହେଉଛି। ଜଣେ ପାଶ୍ଚାତ୍ୟ ଗାନ୍ଧୀ- ପଣ୍ଡିତଙ୍କ ମତରେ, କାର୍ଯ୍ୟରେ ସେ ଥିଲେ ଡାୟୋଜେନିସ୍‌ଙ୍କ ପରି, ନମ୍ରତାରେ ସନ୍ଥ ଫ୍ରାନ୍‌ସିସ୍‌ଙ୍କ ସଦୃଶ ଏବଂ ବିଜ୍ଞତାରେ ସକ୍ରେଟିସ୍‌ଙ୍କ ପରି। ଭାରତ, ଗାନ୍ଧୀ ଓ ନେହରୁଙ୍କୁ ଅତି ଭଲ ଭାବରେ ନିକଟରୁ ଦେଖିଥିବା ଅକ୍‌ସଫୋଡ୍‌ର୍ର ପ୍ରସିଦ୍ଧ ଐତିହାସିକ ଏଡ୍‌ମଣ୍ଡ୍‌ ଥମ୍ପ୍‌ସନ୍‌ କହିପକାଇଥିଲେ- ମୋ ବିଚାରରେ ସକ୍ରେଟିସ୍‌ଙ୍କ ପରେ ଗାନ୍ଧୀ ହିଁ ଏକ ମାତ୍ର ବ୍ୟକ୍ତି ଯିଏକି ଆତ୍ମ-ନିୟନ୍ତ୍ରିତ ଓ ଧୀର, ଶାନ୍ତ ଓ ଅବିଚଳିତ ଗୁଣରେ ଶକ୍ତିଶାଳୀ ହୋଇ ସାରା ବିଶ୍ୱ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ। ସର୍ବବ୍ୟାପୀ ଜାଗ୍ରତ ଓ ଉଦ୍ଦୀପିତ ପରିବେଶ ସୃଷ୍ଟି କରିବାର ସାମର୍ଥ୍ୟ ଓ ସାହସ ଭଗବାନ୍‌ ବୁଦ୍ଧଙ୍କ ପରେ ଗାନ୍ଧୀ ହିଁ ହାସଲ କରିଥିଲେ। ଲୋକେ ତାଙ୍କର ସବୁ କଥା ବୁଝିପାରୁ ନ ଥିଲେ ମଧ୍ୟ ତାଙ୍କ ବାଣୀ ଭିତରେ ଯେଉଁ ଅପୂର୍ବ ଉଦ୍ଦାମତା ଓ ଆଶାର ସଙ୍କେତ ଥିଲା, ସେଥିରୁ କୋଟି କୋଟି ଲୋକ ନୂଆ ଶକ୍ତି ପାଉଥିଲେ। ଜଣେ ଇଂରେଜୀ ଯୁବତୀ ମିସ୍‌ ସ୍ଲେଜ୍‌ ଯେତେ ବେଳେ ରୋମାଁ ରୋଲାଁଙ୍କୁ ସାକ୍ଷାତ୍‌ କରି ଅନୁରୋଧ କଲେ, ଏମିତି ଜଣକ ନାମ କୁହନ୍ତୁ, ଯିଏ ମୋତେ ନୂଆ ଆଲୋକ ଦେଖାଇପାରିବେ। ନୋବେଲ୍‌ ପୁରସ୍କାରରେ ସମ୍ମାନିତ ସାହିତ୍ୟରଥୀ ତାଙ୍କୁ କହିଥିଲେ- ଭାରତରେ ମୋହନ ଦାସ ଗାନ୍ଧୀ ବୋଲି ଜଣେ ଅଛନ୍ତି। ତାଙ୍କରି ପାଖକୁ ଯାଅ, ସେ ଆଉ ଜଣେ ଜିସୁ।

ଗାନ୍ଧୀ ଥିଲେ ପ୍ରେମ ଓ ସତ୍ୟକୁ ଆଧାର କରି ଗଢ଼ିଉଠିଥିବା ଗୋଟିଏ ମନୋମୁଗ୍‌ଧକର ବାଦ୍ୟବୃନ୍ଦ ଭଳି। ଉପନିଷଦ୍‌ର ମୁନି-ଋଷି, ବୌଦ୍ଧ ଭିକ୍ଷୁ, ହିନ୍ଦୁ ସନ୍ନ୍ୟାସୀ ଓ ମୁସଲିମ ଫକିରଙ୍କ ସମ୍ମିଳିତ ଉଦ୍ୟମରେ ଚରମ ଉତ୍କର୍ଷତା ଲାଭ କରିଥିବା ଭାରତର ଆତ୍ମା, ସଂସ୍କୃତି ଓ ଐତିହ୍ୟ ଧନତନ୍ତ୍ରର ବାହ୍ୟ ଚାକଚକ୍ୟରେ କେବେ ବିଭ୍ରାନ୍ତ ହୋଇପାରିବନାହିଁ ବୋଲି ସେ ଜୋର୍‌ ଦେଇ କହିଲେ। ଭାରତର ଏହି ଜାଗ୍ରତ ଓ ଋଦ୍ଧିମାନ୍‌ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ବିଶ୍ୱ ସଂସ୍କୃତିକୁ ଏକ ଅଭିନବ ରାସ୍ତାରେ ଚଳାଇପାରିବ ବୋଲି ତାଙ୍କର ହୃଦ୍‌ବୋଧ ହୋଇଥିଲା। ଗାନ୍ଧୀଙ୍କ ବ୍ୟକ୍ତିତ୍ୱର ଏହି ଦିଗ ସମ୍ପର୍କରେ ଗୁରୁଦେବ ରବୀନ୍ଦ୍ର ନାଥ ଓ ପଣ୍ଡିତ ନେହରୁ ଦୁଇଟି ଭିନ୍ନ ଭିନ୍ନ ଦୃଷ୍ଟିରୁ ଆଲୋଚନା କରିଥିଲେ। ରବୀନ୍ଦ୍ର ନାଥଙ୍କ ଭାଷାରେ- ମଣିଷ ମଣିଷ ଭିତରେ ଥିବା ଭେଦଭାବ ବା ଅସମାନତାକୁ ଦୂର କରିବା ଦିଗରେ ସେ ହୁଏ ତ ସମ୍ପୂର୍ଣ୍ଣ ସଫଳତା ପାଇବେନାହିଁ। ବୁଦ୍ଧ ଓ ଜିସୁୁଙ୍କ କ୍ଷେତ୍ରରେ ମଧ୍ୟ ତାହା ହୋଇଥିଲା। କିନ୍ତୁ ନିଜ ଜୀବନକୁ ଏକ ଆଦର୍ଶ ଭାବରେ ଯୁଗ ଯୁଗ ଧରି ପୃଥିବୀ ଆଗରେ ରଖିଦେବାକୁ ସେ ଯେ ନିଶ୍ଚୟ ସମର୍ଥ ହେବେ- ଏଥିରେ ମୋର ତିଳେମାତ୍ର ସନ୍ଦେହ ନାହିଁ। ପଣ୍ଡିତ ନେହରୁଙ୍କ ଭାଷାରେ- ସାମରିକ ବାହିନୀର ଜେନ୍‌ରାଲ୍‌, ଫିଲ୍‌ଡ ମାର୍ସାଲ୍‌, ଏକଛତ୍ରଶାସକ ଓ ରାଜନୀତିରେ ଥିବା କୁହାଳିଆ ଲୋକେ ମରି-ହଜି ଗଲା ପରେ ଜନମାନସରୁ ସେମାନଙ୍କ ସ୍ମୃତି ଉଭେଇଯାଏ। ତେବେ, ଗାନ୍ଧୀଜିଙ୍କ ବିରାଟ ଓ ଅସାଧାରଣ ବ୍ୟକ୍ତିତ୍ୱ ଦ୍ୱାରା ସମଗ୍ର ବିଶ୍ୱ କାଳ କାଳକୁ ଚମତ୍କତ ହେଉଥିବ। ମାନବ ଜାତିକୁ ଆଗକୁ ଆଗକୁ ଯିବା ପାଇଁ ଗାନ୍ଧୀ ନୂଆ ବାଟ ଦେଖାଇବେ ବୋଲି କହି ଜଣେ ଐତିହାସିକ ମତ ଦେଇଥିଲେ (ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ)- ହିଟ୍‌ଲର୍‌ଙ୍କ ମାଟିଆ ଜାମା କି ମୁସୋଲିନିଙ୍କ କଳାକୁର୍ତ୍ତା, ମାନବ ସଭ୍ୟତାର ଗତି ପଥକୁ ପ୍ରଭାବିତ କି ବଦଳାଇପାରିବନାହିଁ। ଜାମା ପିନ୍ଧୁ ନ ଥିବା ଜଣେ ଲୋକ ହିଁ ଏହା କରିପାରିବେ। ଆମେରିକାରେ ଥିବା ଆପଲ୍‌ କମ୍ପ୍ୟୁଟର୍‌ର ମୁଖ୍ୟ ଦପ୍ତର ବାହାରେ ସ୍ଥାପିତ ଗାନ୍ଧୀ ମୂର୍ତ୍ତି ତଳେ ଲେଖାହୋଇଛି- ତାଙ୍କ ପୂର୍ବର କେହି ଏ ପରି କରିପାରି ନ ଥିଲେ, ଯାହା ମହାପୁରୁଷ ଗାନ୍ଧୀ କଲେ। ଏକ ନୂଆ ବିଶ୍ୱର ନକସା ତିଆରିକରି ସେ ପ୍ରମାଣ କରିଦେଲେ ଯେ, ତାଙ୍କ କଳ୍ପିତ ପୃଥିବୀ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର।

ଜାତି, ଧର୍ମ, ଭାଷା ଓ ଗୋଷ୍ଠୀକୁ କେନ୍ଦ୍ର କରି ଆଜି ଭାରତ ସମେତ ବହୁ ଦେଶରେ ଏକ ଅପମିଶ୍ରିତ ଜାତୀୟତାବାଦ ମଣିଷର ଚିନ୍ତା ରାଜ୍ୟକୁ ଯେତେ ବେଳେ ପ୍ରଦୂଷିତ କରୁଛି, ସେତେ ବେଳେ ପ୍ରାୟ ଶହେ ବର୍ଷ ତଳେ ଏକ ବିଶୁଦ୍ଧ ଓ ନିରୋଳା ଜାତୀୟତାବାଦର ଯେଉଁ ସଂଜ୍ଞା ମହାତ୍ମା ଦେଉଥିଲେ, ତାହା କିପରି ଉପେକ୍ଷିତ ହେଉଛି ତାହା ଆଲୋଚନାର ବିଷୟ। ‘‘ମୋ ଜାତୀୟତାବାଦ କ’ଣ?’’ ଶୀର୍ଷକ ପ୍ରବନ୍ଧରେ ୧୯୨୫ରେ ଗାନ୍ଧୀଜି ଲେଖିଥିଲେ- ଏ କଥା ସତ ଯେ ଦେଶ ସ୍ୱାଧୀନ ହେଉ ବୋଲି ଆମେ ଚାହୁଁଛୁ, କିନ୍ତୁ ଅନ୍ୟମାନଙ୍କୁ ଶୋଷଣ କରିବା ବା ଅନ୍ୟ ଦେଶକୁ ନ୍ୟୂନ କରି ଦେଖିବାର ମନୋଭାବକୁ ମୁଁ ସମର୍ଥନ କରିପାରିବିନାହିଁ। ଇଂଲଣ୍ଡ୍‌କୁ ଧ୍ୱଂସ କରି ବା ଇଂରେଜମାନଙ୍କୁ ଧରାପୃଷ୍ଠରୁ ନିଶ୍ଚିହ୍ନ କରିଦେଇ ଆମେ ଯଦି ମୁକ୍ତ ହେବାକୁ ଚାହିଁବୁ ମୁଁ ସେ ଭଳି କଥାକୁ କେବେ ସମର୍ଥନ କରିପାରିବିନାହିଁ। ଦେଶ ସ୍ୱାଧୀନ ହେଲେ ଭାରତର ସମ୍ବଳକୁ ଅନ୍ୟ ଦେଶର ବିକାଶ ପାଇଁ ବିନିଯୋଗ କରାଯାଇପାରିବ। ଦରକାର ହେଲେ ବିଶ୍ୱର ସାମୂହିକ ଉନ୍ନତି ପାଇଁ ଗୋଟିଏ ସ୍ୱାଧୀନ ଦେଶ ନିଶ୍ଚିହ୍ନ ହୋଇଯାଇପାରେ। ମୋ କଳ୍ପିତ ଜାତୀୟତାବାଦରେ ସାରା ମାନବ ଜାତି ତିଷ୍ଠିରହିବା ପାଇଁ ଭାରତ ଚରମ ତ୍ୟାଗ କରିବାକୁ ପ୍ରସ୍ତୁତ ହେବା ଦରକାର।

ଗାନ୍ଧୀଜି ଆଧୁନିକ ଯୁଗରେ ଧର୍ମର ଭୂମିକା ସମ୍ପର୍କରେ ନିଜର ସ୍ପଷ୍ଟ ମତ ରଖିଥିଲେ। ତାଙ୍କ ଧର୍ମରେ କୌଣସି ସଂକୀର୍ଣ୍ଣତା ନ ଥିଲା। ହିନ୍ଦୁଧର୍ମ, ବୌଦ୍ଧଧର୍ମ ଓ ଜୈନଧର୍ମ ଭିତରେ ଭାରତର ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଯେଉଁ ସାରକଥା ଥିଲା ଏବଂ ଆଧୁନିକ ଯୁଗର ସଂସ୍କାର ଆନ୍ଦୋଳନସବୁ ଯେଉଁ ନୂଆ ନୂଆ ଆଦର୍ଶଗତ ପ୍ରଚାର କରିଥିଲେ, ଆମ ଧର୍ମରେ ତାହାର ପ୍ରତିଫଳନ ହେଉ ବୋଲି ସେ ଚାହୁଁଥିଲେ। ଏଥି ସହିତ ପାଶ୍ଚାତ୍ୟ ସଭ୍ୟତାର ଉନ୍ନତ, ମହତର ଚିନ୍ତାକୁ ସାମିଲ କରିବାକୁ ଚାହୁଁଥିଲେ। ତାଙ୍କର ଯୁକ୍ତି ଥିଲା- ମୋକ୍ଷ ଲାଭ କରିବାକୁ ହେଲେ କେବଳ ଜ୍ଞାନଯୋଗ ବା ଭକ୍ତିଯୋଗର ଆଶ୍ରୟ ନିଆଯାଉ ବୋଲି ଆମ ଶାସ୍ତ୍ର ପୁରାଣରେ ଯାହା ସବୁ କୁହାଯାଇଛି, ତାହା ମୋ ମନକୁ ପାଉନାହିଁ। ଏହି ପ୍ରକ୍ରିୟାରେ କର୍ମଯୋଗକୁ ସାମିଲ ନ କଲେ ଅନେକ ଲକ୍ଷ୍ୟ ଅପୂରଣୀୟ ହୋଇରହିଯିବ ବୋଲି ମୋର ମତ। ତେଣୁ, ହିନ୍ଦୁଧର୍ମରେ ଯୁଗ ଯୁଗରୁ ପ୍ରଚଳିତ ଧାରଣା, ଭାବ ଓ ପ୍ରତ୍ୟୟ ଭିତରେ ସାମାଜିକ ଚେତନାଧର୍ମୀ ଭାବକୁ ଯୋଡ଼ିଦେଇ ଧର୍ମକୁ କର୍ତ୍ତବ୍ୟ ଜ୍ଞାନ, ନୈତିକ ଚରିତ୍ର, ନୀତି ଶାସ୍ତ୍ର ଓ ସଦାଚାରର ଏକ ଅନୁପମ କ୍ଷେପଣାସ୍ତ୍ର ଭାବରେ ଏହି ଅପୂର୍ବ ବିନ୍ଧାଣି ପ୍ରୟୋଗ କରିଥିଲେ। ଜାତୀୟ ପୁନରୁତ୍‌ଥାନ ମନ୍ତ୍ରରେ ଦେଶବାସୀଙ୍କୁ ଦୀକ୍ଷିତ କରି ସେମାନଙ୍କ ଭିତରେ ଏକ ଅପୂର୍ବ ଜାଗରଣ ସୃଷ୍ଟି କରିବାରେ ଏବଂ ଆତ୍ମସମ୍ମାନ ଓ ସ୍ୱାଭିମାନକୁ ପୁଞ୍ଜି କରି ସାଂସ୍କୃତିକ ଓ ନୈତିକ କ୍ଷେତ୍ରରେ ଅପୂର୍ବ ଜାଗରଣ ସୃଷ୍ଟି କରିଥିଲେ।

ଶେଷରେ ଗାନ୍ଧୀଙ୍କର ଜୀବନ ଓ ଅବଦାନ ସମ୍ପର୍କୀୟ ଆଉ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ ନ କଲେ ‘ଗାନ୍ଧୀ କଥା’ ଅସମ୍ପୂର୍ଣ୍ଣ ରହିଯିବ। ଭାରତକୁ ମୁକ୍ତ କରିବା ହିଁ ତାଙ୍କର ସର୍ବଶ୍ରେଷ୍ଠ ଅବଦାନ ବୋଲି ଯେଉଁ ଧାରଣା ଅଛ,ି ସେଥିରେ ଏବେ ପରିବର୍ତ୍ତନ ଆସୁଛି। କାରଣ ତାଙ୍କ ଯଶଃର ବ୍ୟାପ୍ତି ଏହାଠାରୁ ଅଧିକ। ୧୯୩୯ରେ ତାଙ୍କର ୭୦ତମ ଜୟନ୍ତୀ ଅବସରରେ ଡକ୍ଟର୍‌ ରାଧାକୃଷ୍ଣ ନନ୍ଦଙ୍କ ନେତୃତ୍ୱରେ ଗୋଟିଏ ଅଭିନନ୍ଦନ ଗ୍ରନ୍ଥ ପ୍ରକାଶ ପାଇଥିଲା। ଦେଶ-ବିଦେଶର ପ୍ରାୟ ଅଶୀ ଜଣ ବିଶିଷ୍ଟ ବ୍ୟକ୍ତି ତାଙ୍କର ଅବଦାନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ଭିତରେ ୬୦ ଜଣରୁ ଅଧିକ ଥିଲେ ବିଦେଶୀ। ହୋରେମ୍‌, ଆଲେକ୍‌ଜାଣ୍ଡର୍‌, ଅର୍ନେଷ୍ଟ୍‌ ବାର୍‌କର୍‌, ପର୍ଲ୍‌ ଏସ୍‌ ବକ୍‌, ଆଇନ୍‌ଷ୍ଟାଇନ୍‌, ରିଚାର୍ଡ୍‌ ଗ୍ରେଗ୍‌, ଜେରାଲ୍‌ଡ ହଡ୍‌ର୍, ହେନ୍‌ସ ହୋମ୍‌, ସିଇଏସ୍‌ ହୋଡ୍‌, ଗିଲ୍‌ବର୍ଟ୍‌ ମରେ, ଏସ୍‌ଏଲ୍‌ ପୋଲକ୍‌, ରେଜିନାଲ୍‌ଡ ରେନଲଡ୍‌ସ, ରୋମା ରୋଲାଁ, ଏଡ୍‌ଓ୍ଵାର୍ଡ୍‌ ଥମ୍ପ୍‌ସନ୍‌, ଜିଡିଏଚ୍‌ କୋଲ୍‌, ଇଏମ୍‌ ଫ୍ରସ୍‌ଟର୍‌, ଆଲଡସ୍‌ ହକ୍‌ସଲେ, ମିଡଲ୍‌ଟନ୍‌ ମରି, ଲଡ୍‌ର୍ ମାଉଣ୍ଟବ୍ୟାଟେନ୍‌ ଓ ଶ୍ରୀ ଅରବିନ୍ଦଙ୍କ ଭଳି ପ୍ରସିଦ୍ଧ ବ୍ୟକ୍ତିଙ୍କ ଲେଖା ଓ ବାର୍ତ୍ତା ଏଥିରେ ସ୍ଥାନ ପାଇଥିଲା।

ସିଡିଏ, କଟକ
ମୋ-୯୭୭୬୦୪୪୭୩୬

ସମ୍ବନ୍ଧିତ ଖବର