ସଫଳତାର ସହ ୧୦ ବର୍ଷ ପୂରଣ କଲା କନକ ନ୍ୟୁଜ

ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ଟିଭି ଚ୍ୟାନେଲ ‘କନକ ନ୍ୟୁଜ୍‌’କୁ ୧୦ ବର୍ଷ ପୂରିଛି। ଓଡିଶା ସାମ୍ବାଦିକତା କ୍ଷେତ୍ରରେ ଏକ ଦାୟିତ୍ୱବାନ ବୈଦ୍ୟୁତିକ ଗଣମାଧ୍ୟମ ହିସାବରେ ସଫଳତାର ସହ ୧୦ ବର୍ଷ ପୂରଣ କରିଛି। ସଠିକ ଓ ସତ୍ୟ ଖବର ପରିବେଶଣ ସହ ରାଜ୍ୟବାସୀଙ୍କ ପ୍ରତି ଥିବା ନିଜ ଦାୟିତ୍ୱ ପୂରଣ କରିଛି ଏହି ନ୍ୟୁଜ ଚ୍ୟାନେଲ। କନକ ନ୍ୟୁଜ୍‌ ଅନ୍ୟାୟ, ଅତ୍ୟାଚାର ଓ ଅନ୍ଧବିଶ୍ୱାସ ବିରୋଧରେ ଲଢେଇ କରି ସତକୁ ସାମ୍ନାକୁ ଆଣିବା ସହ ସାଢେ ୪ କୋଟି ଓଡିଶାବାସୀଙ୍କ ପ୍ରଥମ ପସନ୍ଦ ପାଲଟିଛି।
ଖବର କାଗଜ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପ୍ରତି ଘରର ସଦସ୍ୟ ପାଲଟିଥିବା ’ସମ୍ବାଦ’ ପରିବାରର ଅନ୍ୟତମ ସଦସ୍ୟ ୨୦୦୯ରେ ଟିଭି ଦୁନିଆରେ ପ୍ରବେଶ କରିଥିଲା। ସାଧାରଣ ଲୋକର ସ୍ୱର ହେବା ସଂକଳ୍ପ ଥିଲା, ସତ ଦେଖାଇବା ପ୍ରତିବଦ୍ଧତା ଥିଲା। ଦଶନ୍ଧିଟିଏ ଯାତ୍ରାରେ କନକ ନ୍ୟୁଜ ଜନତାଙ୍କ ବିଶ୍ୱାସ ଜିତିଛି। ନେତାଙ୍କୁ ଜବାବଦେହୀ କରିବା ସହ ସେମାନଙ୍କ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାରେ ସମର୍ଥ ହୋଇଛି।
ଖଣି ଦୁର୍ନୀତିର ଗଭୀର ଚେରକୁ ଖୋଳି ଉପାଡିବା, ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳଙ୍କ ଅପହରଣ ଠାରୁ ଆରମ୍ଭ କରି ମୁକ୍ତିର ଟିକିନିଖି ଖବର ଦେଖାଇବା, ମିଥ୍ୟା ଅଭିଯୋଗରେ ଜେଲରେ ଥିବା ପଶ୍ଚିମବଙ୍ଗର ରଂଜିତ ସାନାଙ୍କ ମୁକ୍ତି ପାଇଁ ଉଦ୍ୟମ କରିବା ଭଳି ଅନେକ ଖବର ଦେଇଛି ସ୍ୱତନ୍ତ୍ର ପରିଚୟ। କନକ ନ୍ୟୁଜ କେବେ ଖବରରେ ବାଛ ବିଚାର କରିନାହିଁ। କେବେ ଖବରକୁ ରାଜନୈତିକ ଦୃଶ୍ୟପଟ୍ଟରେ ତଉଲି ନାହିଁ। ନିର୍ବାଚନ ବେଳେ କନକ ନ୍ୟୁଜ ସୃଷ୍ଟି କରିଥିଲା ନୂଆ ଧାରା, ଯାହାକୁ ଅନୁସରଣ କରିଥିଲେ ଅନ୍ୟମାନେ। ନିର୍ବାଚନ ଖବର କଭରେଜରେ କନକ ନ୍ୟୁଜି ମାର୍ଗଦର୍ଶକ ସାଜିଥିଲା।
ପଂଚାୟତ ନିର୍ବାଚନ ଖବରକୁ ଯେ ନନଷ୍ଟପ୍‌ ଲାଇଭ କଭରେଜ କରାଯାଇପାରିବ, ଏହାକୁ ହୁଏତ କେହି କେବେ ଭାବିନଥିବେ। ହେଲେ କନକ ନ୍ୟୁଜ କେଉଁ ଏକ ବୁଲେଟିନରେ ଏହି ଖବରକୁ ସ୍ଥାନ ଦେଇ ନିଜ କର୍ତ୍ତବ୍ୟ ସାରିଦେବାକୁ ଚାହିଁନଥିଲା ବରଂ ଏହାକୁ ଘଂଟା ଘଂଟା ଧରି ବିଶ୍ଳେଷଣ କରି ଭୋଟରଙ୍କ ମନକୁ ପରଖିଥିଲା ଆଉ ରାଜନୀତିର ଅଧ୍ୟାୟରେ ଆଣିଥିଲା ବଡ ପରିବର୍ତ୍ତନ।
ରାଜ୍ୟ ବାହାରେ ନିର୍ବାଚନ କଭରେଜରେ କନକ ନ୍ୟୁଜକୁ ଅନୁକରଣ କରିଥିଲେ ଅନ୍ୟମାନେ। ପ୍ରଥମ ଥର ପାଇଁ ସମ୍ବାଦ-କନକ ନ୍ୟୁଜ ଆସନ ଅନୁଯାୟୀ କରିଥିଲା ବୁଥ ବାହୁଡା ମତ। ଯାହାର ପୂର୍ବାନୁମାନ ୯୦ ପ୍ରତିଶତରୁ ଅଧିକ ସଫଳ ହୋଇଥିଲା। ନିର୍ବାଚନ ସମୟରେ କର୍ମଭୂମି, ରଣଭୂମି, ଟିକେଟ ମିଳିବ କାହାକୁ, ମୁକାବିଲାର ମୈଦାନ ଭଳି କାର୍ଯ୍ୟକ୍ରମ ଜରିଆରେ ନିର୍ବାଚନର ୩୬୦ ଡିଗ୍ରୀ ସମୀକ୍ଷା କରିଥିଲା କନକ ନ୍ୟୁଜ।
କନକ ନ୍ୟୁଜ ନିର୍ବାଚନର ତାତି ଭିତରେ ଯେ ବାତ୍ୟା ଭଳି ସଂଗୀନ ସ୍ଥିତି ମାଡି ଆସୁଛି, ତାକୁ ମଧ୍ୟ ସଠିକ୍‌ ଭାବେ ଜନତାଙ୍କ ସମ୍ମୁଖରେ ପରିବେଷଣ କରିଥିଲା।  ଲୋକଙ୍କ ଭିତରେ ଭୟ ପାଇଁ ନୁହେଁ ବରଂ ସଚେତନତା ପାଇଁ ଏହି ନ୍ୟୁଜ ଚ୍ୟାନେଲ ସେମାନଙ୍କ ପାଖରେ ଥିଲା। ଗ୍ରାଉଣ୍ଡ ଜିରୋରେ ନିର୍ଭୀକ ଭାବେ ଏହି ସଂସ୍ଥାର ପ୍ରତିନିଧି ଝଡ଼କୁ ସାମ୍ନା କରିଥିଲେ।
ରାଜନଗରର ମମତା ଦଳାଇ ଯେତେବେଳେ ସାହାସିକତା ପୁରଷ୍କାର ପାଉଥିଲେ ସେତେବେଳେ କନକ ନ୍ୟୁଜ ରିପୋର୍ଟକୁ ନେଇ ଗର୍ବ କରିଥିଲା। ସେହିପରି ଦାମ ବାବୁ ବ୍ରାହ୍ମଣଙ୍କ ସଂକ୍ରାନ୍ତରେ ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ଦେଇଥିଲେ, ସେତେବେଳେ ଏହି ରିପୋର୍ଟ କନକ ନ୍ୟୁଜ ଦେଖାଇଥିଲା। ସେହିପରି ସୁର ବାବାଙ୍କ କୁହୁକ ପୋଥିଖବର ଦେଖାଇ କନକ ଦର୍ଶକଙ୍କ ନିକଟରେ ଆଦରଣୀୟ ହୋଇପାରିଥିଲା।
ଗୁମୁଡୁମୁହା ଗୁଳିକାଣ୍ଡ ଘଟଣାରେ ଯଦି ପ୍ରଥମେ ସେଠାରେ କନକ ନ୍ୟୁଜ ପହଁଚି ନଥାନ୍ତା, ହୁଏତ ଏହି ଖବର ସକାଳ ପାଇଲା ବେଳକୁ ଭିନ୍ନ ମୋଡ ନେଇଯାଇଥାନ୍ତା । ବ୍ରହ୍ମ ପରିବର୍ତ୍ତନ ନେଇ ପବନରେ ବୁଲୁଥିବା ସନ୍ଦେହକୁ କନକ ନ୍ୟୁଜ ଖବରର ରୂପ ଦେଇଥିଲା। କନକ ନ୍ୟୁଜ ସେତେବେଳେ ପ୍ରଶ୍ନ କରିଥିଲା ଯେ, ସିଂହଦ୍ୱାର ବନ୍ଦ କରି ଭିତରେ ଚାଲିଛି କଣ ?
ସମ୍ବନ୍ଧିତ ଖବର