ବଦଳିବ ଯୋଜନା ବୋର୍ଡ ରୂପରେଖ

ଭୁବନେଶ୍ବର : ରାଜ୍ୟ ସରକାର ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ରାଜ୍ୟ ଯୋଜନା ବୋର୍ଡ଼ ଏଣିକି ଅଧିକ କ୍ରୀୟାଶୀଳ ଓ ଗତିଶୀଳ ହେବା ଆବଶ୍ୟକ। ରାଜ୍ୟ ଯୋଜନା ବୋର୍ଡ଼ ପୁନର୍ଗଠନ ନେଇ ଆଜି ଏପରି କହିଛନ୍ତି ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା। ତେବେ ଏ ନେଇ ମୁଖ୍ୟମନ୍ତ୍ରୀ ଚୁଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

ପ୍ରକାଶଥାଉକି, ରାଜ୍ୟ ଯୋଜନା ବୋର୍ଡ଼ ଥଇଥାନ କେନ୍ଦ୍ର ପାଲଟିଥିବା ନେଇ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। କୌତୁହଳ କଥା ହେଉଛି ମୁଖ୍ୟମନ୍ତ୍ରୀ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଥାଇ ୨୦୦୭ରୁ ୧୨ ବର୍ଷ ଧରି ବୋର୍ଡ଼ ବୈଠକ ବସିନାହିଁ। ପାରମ୍ପରିକ ଭାବେ କେବଳ ଦଳୀୟ ନେତାଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଓ ସଦସ୍ୟ ମନୋନୀତ କରାଯାଉଥିବା ପରିଲକ୍ଷିତ ହୋଇଆସିଛି। ଏବେ ଯୋଜନା ବୋର୍ଡ଼ର ଆମୂଳଚୁଳ ପୁନର୍ଗଠନ ନେଇ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦବି ପୂରଣ ହୋଇଥିଲେ ବି ମୁଖ୍ୟମନ୍ତ୍ରୀ ଏ ଯାଏଁ ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ଓ ସଦସ୍ୟ ମନୋନୀତ କରିନାହାନ୍ତି। ବୋଧୁହୁଏ ଆଗକୁ ବଡ଼ ଧରଣର ପରବର୍ତ୍ତନ କରିବାକୁ ଥିବାରୁ ପୁରୁଣା ବ୍ୟବସ୍ଥା ଅନୁଯାୟୀ ମୁଖ୍ୟମନ୍ତ୍ରୀ ବୋର୍ଡ଼ ପଦବି ପୂରଣ କରିବାକୁ ଚାହୁଁନାହାନ୍ତି। ଏ ନେଇ ଆସନ୍ତା ୧୫ ତାରିଖରେ ମୁଖ୍ୟମନ୍ତ୍ରୀ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର