ରାଜୀବ ଜ୍ୟୋତିକୁ ପିସିସି ପକ୍ଷରୁ ସ୍ବାଗତ

ଭାରତକୁ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବାକୁ ରାଜୀବ ସ୍ବପ୍ନ ଦେଖିଥିଲେ: ନିରଞ୍ଜନ

ଭୁବନେଶ୍ବର : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମୃତି ଉଦ୍ଦେଶ୍ୟରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତି ଦିବସ ଦିନ ତାମିଲନାଡ଼ୁର ଶ୍ରୀପେରୁମ୍ବୁଦୁରୁଠାରୁ ବାହାରିଥିବା ୨୮ ତମ ରାଜୀବ ଜ୍ୟୋତି ସଦ୍ଭାବନା ଯାତ୍ରାକୁ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ସ୍ବାଗତ କରାଯାଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଜ୍ୟୋତିକୁ ସ୍ବାଗତ କରିବା ସହ ଏହାର ନେତୃତ୍ବ ନେଇଥିବା ଏସ୍.ଏସ୍. ପ୍ରକାଶମ୍ ଓ ସହଯାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଉପଲକ୍ଷେ ସ୍ଥାନୀୟ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଥିଲେ, ସ୍ବର୍ଗତଃ ରାଜୀବ ଗାନ୍ଧୀ ଶାନ୍ତି ଓ ସଦ୍ଭାବନାର ପ୍ରତୀକ ଥିଲେ। ଏକବିଂଶ ଶତାବ୍ଦୀରେ ଭାରତକୁ ଏକ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବା ପାଇଁ ସ୍ବର୍ଗତଃ ଗାନ୍ଧୀ ସ୍ବପ୍ନ ଦେଖିଥିଲେ। ତାଙ୍କ ସ୍ମୃତିକୁ ମନେରଖିବା ପାଇଁ ୨୮ ବର୍ଷ ଧରି ଏହି ଯାତ୍ରା ଆୟୋଜିତ ହେଉଥିବା ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି ସେ କହିଥିଲେ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ଜ୍ୟୋତି ସହ ଆସିଥିବା ଏସ୍.ଏସ୍. ପ୍ରକାଶମ୍, ଗୋମଥିସନ୍ ଆୟାର୍, ଦୋରାଇ ଭେଲୁ, ସୁଶିଳା ପ୍ରମୁଖ ନେତୃବୃନ୍ଦଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଶିବାନନ୍ଦ ରାୟ, ବିଧାୟକ ସୁରେଶ କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର, ରଜନୀ ମହାନ୍ତି, ଜ୍ୟୋତିଷ ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଯାତ୍ରା କଟକ, ଭଦ୍ରକ ଓ ବାଲେଶ୍ବର ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବ। ଆସନ୍ତା ୨୦ ତାରିଖରେ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଦିନ ନୂଆଦିଲ୍ଲୀଠାରେ ଏହାର ସମାପନ ହେବ।

ସମ୍ବନ୍ଧିତ ଖବର