୨ରୁ ଯୁକ୍ତ୨ କଲେଜ ସକାଳୁଆ

ଯୁକ୍ତ୨ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଜାରି

ଭୁବନେଶ୍ବର : ଏପ୍ରିଲ ୨ରୁ ସକାଳୁଆ ହେବ ଯୁକ୍ତ୨ କଲେଜ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିସହ ସକାଳୁଆ ସ୍କୁଲ ସମୟରେ କିଛିଟା ପରିବର୍ତନ କରାଯାଇଛି। ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୬ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦ ଯାଏ ଏବଂ ୯ମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ। ଏପ୍ରିଲ ପହିଲାରୁ ବିଦ୍ୟାଳୟର ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ରନ୍ଧା ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ଆରମ୍ଭ ହେବ। ସୂଚନାଯୋଗ୍ୟ, ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ଯେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ସକାଳ ୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ଏବଂ ୯ମ ଓ ୧୦ ଶ୍ରେଣୀ ପିଲାଙ୍କ ପାଠପଢ଼ା ୭ଟାରୁ ୧୧ଟା ପର୍ଯ୍ୟନ୍ତ ହେବ।

ଯୁକ୍ତ୨ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଜାରି

ଭୁବନେଶ୍ବର : ଏପ୍ରିଲ ୪ରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ତା’ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ କରେସ୍‌ପଣ୍ଡେନ୍ସ ପାଠ୍ୟକ୍ରମର ପରୀକ୍ଷାର୍ଥୀଙ୍କ ଲାଗି ଆଡମିଟ୍‌ କାର୍ଡ ଜାରି ହୋଇଛି। ସାମ୍‌ସ ଇ-ସ୍ପେସ୍‌ରେ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ଉପଲବ୍ଧ ରହିଛି। ଏଥିସହ ସିଏନ୍‌ଆର ମଧ୍ୟ ଅନ୍‌ଲାଇନ୍‌ରେ ରହିଛି। ତେଣୁ କଲେଜ କର୍ତୃପକ୍ଷ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିବାକୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି। ପରୀକ୍ଷାର୍ଥୀଙ୍କୁ ଆଡମିଟ୍‌ ଦେବା ପୂର୍ବରୁ ଭଲ ଭାବେ ଯାଞ୍ଚ କରିବା ସହ ପରୀକ୍ଷାର୍ଥୀଙ୍କ ଦସ୍ତଖତ କରାଇବାକୁ କୁହାଯାଇଛି। ସେପଟେ ପରୀକ୍ଷା ଲାଗି ୨୦୨ଟି ପରୀକ୍ଷା ପରିଚାଳନା ହବ୍‌(ଇଏମ୍‌ଏଚ୍‌) କରାଯାଇଛି। ପରୀକ୍ଷା କମିଟି ସୁପାରିସ ଆଧାରରେ ହବ୍‌ ଚିହ୍ନଟ ହୋଇଛି। ପରୀକ୍ଷାକୁ ଦୃଷ୍ଟିରେ ରଖି ହବ୍‌ଗୁଡ଼ିକୁ ପ୍ରସ୍ତୁତ ରଖିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର