ଯୁକ୍ତ୩ ମେଧା ତାଲିକା ପ୍ରକାଶ: ପ୍ରଥମ ପର୍ଯ୍ୟାୟରେ ୧.୭୨ ଲକ୍ଷ ଚୟନ

କଳାରେ ‌ରେଭେନ୍ସା, ବିଜ୍ଞାନରେ ବିଜେବି ଶୀର୍ଷରେ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ଯୁକ୍ତ୩(ସ୍ନାତକ) କଲେଜ‌ରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ବୁଧବାର ଦିନ ପ୍ରକାଶ ପାଇଛି। ଧାର୍ଯ୍ୟ ସମୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତାଲିକା ପ୍ରକାଶ କରାଯାଇଛି। ସାମ୍‌ସ ମାଧ୍ୟମରେ ହେଉଥିବା ଏହି ନାମଲେଖା ପ୍ରକ୍ରିୟାରେ ରେଭେନ୍ସା ବିଶ୍ବବିଦ୍ୟାଳୟ ପ୍ରଥମ ଥର ସାମିଲ ହୋଇଥିବାରୁ ଏଠାରେ ବିଭିନ୍ନ ବିଷୟର କଟ୍‌ ଅଫ୍‌ ମାର୍କ ରେକର୍ଡ ସୃଷ୍ଟି କରିଛି। ଅଧିକାଂଶ ବିଷୟରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟକୁ ପଛରେ ପକାଇ ଦେଇଛି। କଳା ଓ ବାଣିଜ୍ୟ ବିଭାଗରେ ରେଭେନ୍ସା ଏବଂ ବିଜ୍ଞାନ ଓ ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ ବିଜେବିର କଟ୍‌ ଅଫ୍‌ ମାର୍କ ଶୀର୍ଷରେ ରହିଛି।

୨୦୨୨-୨୩ ଶିକ୍ଷାବର୍ଷରେ ୨ ଲକ୍ଷ ୫୧ ହଜାର ୫୮୫ ସିଟ୍‌ରେ ନାମଲେଖା ପାଇଁ ୨ଲକ୍ଷ ୫୫ ହଜାର ୮୬୬ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୨ ହଜାର ୮୮୫ ଛାତ୍ରଛାତ୍ରୀ ନାମଲେଖା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। କଳାରେ ୧ ଲକ୍ଷ ୫ ହଜାର ୫୬୯, ଫିଜିକାଲ ସାଇନ୍ସରେ ୨୪ ହଜାର ୫୬୧, ବାୟୋଲୋଜିକାଲ ସାଇନ୍ସରେ ୧୮ହଜାର ୨୬୯, ବାଣିଜ୍ୟରେ ୧୮ହଜାର ୬୭୯, ସଂସ୍କୃତରେ ୪ ହଜାର ୬୪୨ ଓ ସେଲ୍ଫ ଫାଇନାନ୍ସିଂରେ ୧୧୬୫ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୭୩ ହଜାର ୮୫୦ଜଣ ଛାତ୍ର, ୯୯ ହଜାର ୧୧ଜଣ ଛାତ୍ରୀ, ୨୪ଜଣ କିନ୍ନର ସ୍ନାତକ ପଢ଼ିବାକୁ ମନୋନୀତ ହୋଇଛନ୍ତି। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୧ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନାମ ଲେଖାଇପାରିବେ। ୧୧ ତାରିଖ ରାତି ୧୧ଟା ୪୫ ମଧ୍ୟରେ ସ୍ଲାଇଡ୍‌-ଅପ୍‌ ଅପସନ୍‌ ଫର୍ମ ଅନ୍‌ଲାଇନ୍‌ରେ ଦାଖଲ କରିପାରିବେ।

କଳା ବିଭାଗ ସାଧାରଣ ବର୍ଗରେ ରେଭେନ୍ସା ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଷୟର କଟ୍‌ ଅଫ୍‌ ମାର୍କ ସର୍ବାଧିକ ୯୧.୨୦% ଥିବା ବେଳେ ଭୂଗୋଳରେ ୮୯.୮୩%, ଅର୍ଥନୀତିରେ ୮୯.୬୭%, ଇଂରାଜୀରେ ୮୯.୬୦%, ମନୋ ବିଜ୍ଞାନରେ ୮୮.୧୭%, ଇତିହାସରେ ୮୭.୮୩%, ଗଣିତରେ ୮୭.୮୩%, ସାମାଜିକ ବିଜ୍ଞାନରେ ୮୭%, ପରିସଂଖ୍ୟାନରେ ୮୫.୨୦%, ଶିକ୍ଷାରେ ୮୪.୬୭%, ଦର୍ଶନଶାସ୍ତ୍ରରେ ୮୨.୫୦% ଓ ସଂସ୍କୃତରେ ୮୦% ରହିଛି। ଓଡ଼ିଆ ବିଷୟରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ୮୬%, ହିନ୍ଦୀରେ ଏଫ୍‌ଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟର ୮୫.୩୩%, ନୃତତ୍ତ୍ବ ବିଜ୍ଞାନରେ ବିଜେବିର ୮୨.୮୦%, ମ୍ୟୁଜିକ୍‌ ବିଷୟରେ ବିଜେବିର କଟ୍‌ ଅଫ୍‌ ମାର୍କ ୮୦.୧୭% ରହିଛି।

ବିଜ୍ଞାନ ବିଭାଗ(ଫିଜିକାଲ ଓ ବାୟୋଲୋଜିକାଲ ସାଇନ୍ସ)ରେ ବିଜେବି ଆଗରେ ରହିଛି। ବିଜେବିର ଗଣିତରେ କଟ୍‌ଅଫ୍‌ ମାର୍କ ୯୪.୨୦% ରହିଛି। ରେଭେନ୍ସା ବିଶ୍ବବିଦ୍ୟାଳୟର ପଦାର୍ଥ ବିଜ୍ଞାନରେ ୯୪.୧୭%, ରସାୟନ ବିଜ୍ଞାନରେ ୯୩%, କମ୍ପ୍ୟୁଟର ସାଇନ୍ସରେ ୯୩%, ଭୂତତ୍ତ୍ବ ବିଜ୍ଞାନରେ ୯୨.୮୩%, ଅର୍ଥନୀତିରେ ୯୨.୮୦% ରହିଛି। ବିଜେବିର ପ୍ରାଣୀ ବିଜ୍ଞାନରେ ୯୫.୪୦%, ଉଦ୍ଭିଦ ବିଜ୍ଞାନରେ ୯୩.୧୭% ରହିଛି। ବାୟୋ-ଟେକ୍ନୋଲୋଜି ବିଷୟରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କଟ୍‌ ଅଫ୍‌ ମାର୍କ ୯୧.୨୦% ରହିଛି। ବାଣିଜ୍ୟ ବିଭାଗରେ ରେଭେନ୍ସା ବିଶ୍ବବିଦ୍ୟାଳୟର କଟ୍‌ଅଫ୍‌ ମାର୍କ ସର୍ବାଧିକ ୮୯.୮୩% ହୋଇଛି। ସଂସ୍କୃତ ବିଭାଗ ଧର୍ମଶାସ୍ତ୍ର ବିଷୟରେ ପୁରୀ ଜିଲ୍ଲା ସ୍ବର୍ଗଦ୍ବାର ରୋଡସ୍ଥିତ ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ଡିଗ୍ରି କଲେଜର କଟ୍‌ ଅଫ୍‌ ମାର୍କ ସର୍ବାଧିକ ୭୦.୧୭% ରହିଛି। ସେଲ୍ଫ ଫାଇନାନ୍ସିଂ ବିଭାଗରେ ବାୟୋ ଟେକ୍ନୋଲୋଜି ବିଷୟରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍‌ ଅଫ୍‌ ମାର୍କ ସର୍ବାଧିକ ୯୨.୨୦% ରହିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର