କୋଭିଡ୍‌ ମୃତକଙ୍କ ସନ୍ତାନଙ୍କ ପ୍ରତି କେନ୍ଦ୍ରର ଦରଦ ଏମିତି

୪ ମାସ ପରେ ବି ଆସିଲାନି ପିଏମ୍‌ କେୟାର୍ସର ଗାଇଡ୍‌ଲାଇନ୍‌

ଏଯାଏ ପଞ୍ଜୀକୃତ ହୋଇଛନ୍ତି ୯ ଶିଶୁ, ସେମାନେ ବି ବଞ୍ଚିତ
ମୁଣ୍ଡ ଉପରୁ ହାତ ଉଠାଇନେଲା ‘ଆଶୀର୍ବାଦ’, ଏବେ ସାହା ହେବ କିଏ?

ଭୁବନେଶ୍ବର : କୋଭିଡ୍‌ର ଦ୍ବିତୀୟ ଲହର ଏବେବି ଜାରି ରହିଛି। ରାଜ୍ୟରେ ପ୍ରତିଦିନ ୫/୬ ଜଣ କରୋନା ପୀଡ଼ିତ ପ୍ରାଣ ହରାଉଛନ୍ତି। ଏଭଳି ସମୟରେ ବାପାମା’ ଛେଉଣ୍ଡ ପିଲାଙ୍କ ମୁଣ୍ଡ ଉପରୁ ହାତ ହଟାଇନେଲା ରାଜ୍ୟ ସରକାରଙ୍କ ‘ଆଶୀର୍ବାଦ’ ଯୋଜନା। ସେପ୍ଟେମ୍ବର ୧୫ ପରେ ଆଉ ପଞ୍ଜୀକରଣ ହେବନି ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣେ କିନ୍ତୁ କେନ୍ଦ୍ର ସରକାରଙ୍କ ପିଏମ୍‌ କେୟାର୍ସ ଫଣ୍ଡ୍‌ର ଗାଇଡ୍‌ଲାଇନ୍‌ ମଧ୍ୟ ୪ ମାସ ହେଲା ରାଜ୍ୟ ସରକାରଙ୍କ ପାଖକୁ ଆସିପାରିଲା ନାହିଁ। ତେଣୁ ରାଜ୍ୟ ସରକାରଙ୍କ ପରେ ଅଭିଭାବକ ଛେଉଣ୍ଡ ପିଲାଙ୍କ ପ୍ରତି କେନ୍ଦ୍ର ସରକାରଙ୍କ କେତେ ଦରଦ ରହିଛି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପିଏମ୍‌ କେୟାର୍ସର ସହାୟତା ପାଇଁ କୋଭିଡ୍‌ ମୃତକ ଓଡ଼ିଆ ପିଲାଙ୍କ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି, କିନ୍ତୁ ସେମାନଙ୍କୁ କେବେ ସହାୟତା ମିଳିବ କୁହାଯାଇ ପାରିବ ନାହିଁ ବୋଲି କହିଛନ୍ତି ଆଇସିଡିଏସ୍‌ ନିର୍ଦେଶକ ଅରବିନ୍ଦ ଅଗ୍ରଓ୍ବାଲ।

୨୦୨୦ ଏପ୍ରିଲ ୧ ତାରିଖରୁ ୨୦୨୧ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ରାଜ୍ୟର ପ୍ରାୟ ୩୨ ହଜାର ଶିଶୁ କୋଭିଡ୍‌ ଓ ଅଣକୋଭିଡ୍‌ ରୋଗରେ ଉଭୟ କିମ୍ବା ଜଣେ ଅଭିଭାବକଙ୍କୁ ହରାଇଛନ୍ତି। ଉଚ୍ଚତମ ନ୍ୟାୟାଳୟର ନିର୍ଦେଶ ଏବଂ ସରକାରଙ୍କ ଘୋଷଣା ଅନୁସାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଅଭିଭାବକ ଛେଉଣ୍ଡ ଏହି ଶିଶୁମାନଙ୍କ ପାଇଁ ସହାୟତାର ହାତ ବଢ଼ାଇବେ ବୋଲି କହିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ମେ’ ମାସ ୩୦ ତାରିଖରେ କୋଭିଡ୍‌ରେ ମୃତକଙ୍କ ସନ୍ତାନଙ୍କ ପାଇଁ ପିଏମ୍‌ କେୟାର୍ସ ପକ୍ଷରୁ ଏକ ସହାୟତା ଯୋଜନା ଘୋଷଣା କରାଯାଇଥିଲା। ଏଥିରେ ଜଣେ କିମ୍ବା ଉଭୟ ଅଭିଭାବକ ଛେଉଣ୍ଡ ଶିଶୁଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଏକ କର୍ପସ୍ ପାଣ୍ଠିର ଘୋଷଣା କରାଯାଇଥିଲା। ୧୮ ବର୍ଷ ହେବା ପରେ ପିଲାକୁ ଏହି ଟଙ୍କା ମାସିକ ଷ୍ଟାଇପେଣ୍ଡ ଭାବରେ ମିଳିବ ଏବଂ ଏହା ସେମାନଙ୍କ ଶିକ୍ଷା ଓ ବ୍ୟକ୍ତିଗତ ଖର୍ଚରେ କାମରେ ଆସିବ ବୋଲି କୁହାଯାଇଥିଲା। ଅବଶିଷ୍ଟ ଅର୍ଥ ପିଲାକୁ ୨୩ ବର୍ଷ ହେବା ପରେ ମିଳିବ ବୋଲି ଯୋଜନାରେ ବ୍ୟବସ୍ଥା କରାଯାଇଥିଲା। ଏଥିସହିତ ସରକାରଙ୍କ ପକ୍ଷରୁ ପିଲାଙ୍କୁ ସେହି ସହରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇବାର ବ୍ୟବସ୍ଥା କରିପାରିବେ। ୧୧ରୁ ୧୮ ବର୍ଷର ଅଭିଭାବକ ଛେଉଣ୍ଡ ପିଲା ପିଲା ନବୋଦୟରେ ମଧ୍ୟ ପଢିପାରିବେ। ଏପରିକି ଶିଶୁଟି ଘରୋଇ ସ୍କୁଲରେ ପଢୁଥିଲେ, ଅଭିଭାବକଙ୍କ ମୃତ୍ୟୁ ପରେ ତାଙ୍କୁ ସ୍କୁଲ ଛାଡ଼ିବାକୁ କୁହାନଯାଇ ତାଙ୍କ ସ୍କୁଲ ଫି’, ବହିକିଣା ଖର୍ଚ ମଧ୍ୟ ପିଏମ୍‌ କେୟାର୍ସ ଫଣ୍ଡରୁ ଦିଆଯିବ ବୋଲି କୁହାଯାଇଛି।

The Swaddle

 

କିନ୍ତୁ ବାସ୍ତବତା ହେଲା; ଏଭଳି ଏକ ଭଲ ଯୋଜନାର ସୁଫଳ ରାଜ୍ୟର ଜଣେ ବି କୋଭିଡ୍‌ରେ ବାପାମା’ ଛେଉଣ୍ଡ ପିଲା ଏଯାଏ ପାଇ ନାହାନ୍ତି। ଏହାକୁ ନେଇ ବିଜେପି ନେତାମାନେ ରାଜ୍ୟ ସରକାରଙ୍କୁ ଦୋଷ ଦେଉଥିବାବେଳେ ରାଜ୍ୟ ସରକାରଙ୍କ ଅଧିକାରୀମାନେ କେନ୍ଦ୍ରକୁ ଦାୟୀ କରୁଛନ୍ତି। କେନ୍ଦ୍ର ଗାଇଡ୍‌ଲାଇନ୍‌ ପଠାଇଲେ ତ ସେମାନଙ୍କ ପକ୍ଷରୁ କଣ ସୁବିଧା ରହିଛି ତାହା ଜଣାପଡ଼ିବ ବୋଲି ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି। ଏହା ସତ୍ତ୍ବେ ଏ ପର୍ଯ୍ୟନ୍ତ କୋଭିଡ୍‌ରେ ୯ ମୃତକଙ୍କ ପିଲାଙ୍କ ପଂଜୀକରଣ ପିଏମ୍‌ କେୟାର୍ସ ଫଣ୍ଡ ସହାୟତା ପାଇଁ କରାଯାଇଛି। କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଜଣେ ବି ଏ ପର୍ଯ୍ୟନ୍ତ ସହାୟତା ପାଇ ନାହାନ୍ତି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ଦେଢ଼ ବର୍ଷ ମଧ୍ୟରେ ଉଭୟ କୋଭିଡ୍‌ ଓ ଅଣକୋଭିଡ୍‌ରେ ରାଜ୍ୟର ପ୍ରାୟ ୩୨ ହଜାର ପିଲା ଅଭିଭାବକ ଛେଉଣ୍ଡ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୧୦ ହଜାର ପିଲାଙ୍କୁ ‘ଆଶୀର୍ବାଦ’ ଯୋଜନା‌ରେ ସହାୟତା ରାଶି ପ୍ରଦାନ କରାଯାଇଛି। ଉଭୟ ବାପାମା’ଙ୍କୁ ହରାଇଥିଲେ ମାସିକ ୨୫୦୦ ଟଙ୍କା ଏବଂ ବାପା କିମ୍ବା ମା’ଙ୍କ ଭିତରୁ ଜଣକୁ ହରାଇଥିଲେ ମାସିକ ୧୫୦୦ ଟଙ୍କା ସହାୟତା ରାଶି ମିଳୁଛି। ଏହା ବ୍ୟତୀତ ମାଗଣା ଶିକ୍ଷା ଓ ସ୍ବାସ୍ଥ୍ୟଗତ ସୁବିଧା ମଧ୍ୟ ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଇଛି। ଅବଶିଷ୍ଟ ୨୨ ହଜାର ପିଲାଙ୍କୁ ଚିହ୍ନଟ କରାଯାଇ ସାରିଛି ଏବଂ ସେମାନେ ମଧ୍ୟ ଏହିସବୁ ସୁବିଧା ପାଇବେ। କିନ୍ତୁ ରାଜ୍ୟ ସରକାର ଅଚାନକ ‘ଆଶୀର୍ବାଦ’ ଯୋଜନାରେ ପଞ୍ଜୀକରଣକୁ ବନ୍ଦ କରିଦେବାରୁ ସେପ୍ଟେମ୍ବର ୧୫ ତାରିଖ ପରେ କୋଭିଡ୍‌ ବା ଅଣକୋଭିଡ୍‌ରେ ମୃତକଙ୍କ ସନ୍ତାନ ସେହି ଯୋଜନାରୁ ବଞ୍ଚିତ ହେବେ। ଏମିତି ସମୟରେ କେନ୍ଦ୍ର ସରକାର ଏହି ପିଲାଙ୍କ ପ୍ରତି ଦରଦ ଦେଖାଇଲେ ସେପ୍ଟେମ୍ବର ୧୫ ତାରିଖ ପୂର୍ବରୁ ଏବଂ ୧୫ ତାରିଖ ପରେ ମଧ୍ୟ ଅଭିଭାବକ ଛେଉଣ୍ଡ ପିଲାଙ୍କୁ ଆଶ୍ରା ମିଳିଯିବ। ୨୫ଶହ ଏବଂ ୧୫ଶହର ଟଙ୍କାର ମାସିକ ଭତ୍ତା ନହେଲେ ମଧ୍ୟ ଅନ୍ତତଃ ଏହି ପିଲାମାନେ ଭଲ ସ୍କୁଲରେ ପାଠପଢାର ସୁଯୋଗ ପାଇ ପାରିବେ। ତେଣୁ କେନ୍ଦ୍ରର ଏହି ଯୋଜନା କିଭଳି ଯଥାଶୀଘ୍ର ରାଜ୍ୟରେ ଲାଗୁ ହୋଇ ପାରିବ ଏଥିପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ଉଦ୍ୟମର ଆବଶ୍ୟକତା ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର