ଓଡ଼ିଶାର ବିକାଶ ସହିତ  ‘ସବ୍‌କା ସାଥ, ସବ୍‌କା ବିକାଶ’ର ସଙ୍କଳ୍ପ ନେଇ କେନ୍ଦ୍ର ସରକାର ଆଗକୁ ବଢ଼ୁଛନ୍ତି : ପ୍ରଧାନମନ୍ତ୍ରୀ

ପାଇକବିଦ୍ରୋହ ଉପରେ ଡାକଟିକେଟ, ମୁଦ୍ରା ଉନ୍ମୋଚନ ସହିତ ଅରୁଗୁଳ ଆଇଆଟିର ନୂଆ କ୍ୟାମ୍ପସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଅରୁଗୁଳସ୍ଥିତ ଆଇଆଇଟି କ୍ୟାମ୍ପସକୁ ରାଷ୍ଟ୍ର ଉଦେଶ୍ୟରେ ଅର୍ପଣ କରିଛନ୍ତି। ସେଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଇଆଇଟି ଭୁବନେଶ୍ୱରର ନୂଆ କ୍ୟାମ୍ପସକୁ ରାଷ୍ଟ୍ର ଉଦେଶ୍ୟରେ ଅର୍ପଣ କରିବା ସହ  ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଇକ ବିଦ୍ରୋହ ସ୍ମାରକୀ ଡାକଟିକେଟ ଉନ୍ମୋଚନ କରିଥିଲେ। ପରେ ପାଇକ ବିଦ୍ରୋହ ଉପଲକ୍ଷେ ୨ଶହ ଟଙ୍କିଆ ମୁଦ୍ରାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜାରି କରିବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାର ପ୍ରତିଷ୍ଠାର ଶୁଭାରମ୍ଭ କରିଛନ୍ତି। ଉଦଘାଟନ ଏହି ଅବସରରେ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ସଙ୍କଳ୍ପବଦ୍ଧ ବୋଲି କହିବା ସହିତ ଆଜି ପ୍ରାୟ ୧୪ ହଜାର ୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ଓଡ଼ିଶା ପୂର୍ବ ଭାରତର ବିକାଶ ଦିଗରେ ପ୍ରମୁଖ ଭୁମିକା ତୁଲାଇବ ବୋଲି ଶ୍ରୀ ମୋଦି କହିଛନ୍ତି। ଓଡ଼ିଶାର ବିକାଶ ସହିତ  ‘ସବ୍‌କା ସାଥ, ସବ୍‌କା ବିକାଶ’ର ମନ୍ତ୍ରର ସଙ୍କଳ୍ପ ନେଇ କେନ୍ଦ୍ର ସରକାର ଆଗକୁ ବଢ଼ୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।


ଉତ୍ସବର ପ୍ରାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ସାଂସଦ ଡ. ପ୍ରସନ୍ନ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ସହିତ ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ପାଇକ ବିଦ୍ରୋହର ସ୍ମୃତି ଓ ଓଡ଼ିଶା ବିକାଶ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଷ୍ଠାକୁ ପ୍ରଶଂସା କରିଥିଲେ। ବିଶେଷକରି ଆଇଆଇଟି ଭୁବନେଶ୍ୱର ଆଗାମୀ ଦିନରେ ଦେଶର ଶୈକ୍ଷିକ ପରିମଣ୍ଡଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।


ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ବିକାଶ ପାଇଁ ବିଭିନ୍ନ ପ୍ରକଳଳ୍ପର ଶିଳାନ୍ୟାସ କରୁଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ। ଏହି ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲିି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଓଡ଼ିଶାର ବରପୁତ୍ର ବକ୍ସି ଜଗବନ୍ଧୁଙ୍କର ତୁଳନା ନାହିଁ। ସେ ଉତ୍କଳର ବୀର ସନ୍ତାନ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ବକ୍ସି ଜଗବନ୍ଧୁଙ୍କ ସହିତ ସମସ୍ତ ପାଇକବୀରଙ୍କ ପ୍ରତି ଶ୍ରୀ ପଟ୍ଟନାୟକ ଏହି ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଇଆଇଟି ଭୁବନେଶ୍ୱର ପରିସରରୁ ଭିଡ଼ିଓ କଡ଼ଫରେନ୍ସିଂ ଜରିଆରେ ୧୪ହଜାର ୫ଶହ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଶ୍ରୀ ମୋଦି ଇଣ୍ଡିଆନ ଅଏଲ ପାରାଦୀପ- ହାଇଦ୍ରାବାଦ ଉତ୍ପାଦ ପାଇପ ଲାଇନଏବଂ ଗେଲର ବୋକାରୋ-ଅନୁଗୁଳ ଗ୍ୟାସ ପାଇପ ଲାଇନ୍‌ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଜାତୀୟ ରାଜପଥର ୧୬ର ଚଣ୍ଡିଖୋଲ-ଭଦ୍ରକ ସେକ୍ସନ୍‌ ୬ ଥାକିଆ ରାସ୍ତା, ୧୬ ନମ୍ବର ଜାତୀୟ ରାଜପଥ ଉପରେ ଭୁବନେଶ୍ୱରର ଖଣ୍ଡଗିରି ଠାରେ ଫ୍ଲାଏ ଓଭର ନିର୍ମାଣ, ଅନୁଗୁଳ-କଟକର ୪ ଥାକିଆ ଲେନ୍‌, ଆଇଜର ବ୍ରହ୍ମପୁରର ଶିଳାନ୍ୟାସ କରିଥିଲେ।

ସମ୍ବନ୍ଧିତ ଖବର