ହ୍ବାଟସ୍‌ଆପ୍‌ରେ ଚାଟ୍ ପରେ ଶରୀରରୁ‌ ପୋଷାକ ଖୋଲିଦେଇ ଯୁବତୀ କରିଥିଲେ ଭିଡ଼ିଓ କଲ୍

ରାୟଗଡ଼ା: ହ୍ୟାଲୋ ବେବି.. ହାଓ ଆର୍ ୟୁ.., ୟୁ ଆର୍ ଭେରି ସୁଇଟ୍..। ବେବି ଆପ୍ ଆପନା ଚେହେରା ଦିଖାଇଏ ନା, ଚେହେରା କିଉଁ ଛୁପା ରହେ ହୋ…। ଅଜଣା ନମ୍ବରରୁ ହ୍ବାଟସଅପକୁ ଏମିତି ଅନେକ ଆକର୍ଷଣୀୟ ମେସେଜ୍ କରି ହନି ଟ୍ରାପ୍ କରିବାକୁ ଚେଷ୍ଟା କରୁଛନ୍ତି ଯୁବତୀ। ପ୍ରଥମେ ମେସେଜ୍ ଏବଂ ପରେ ଭିଡ଼ିଓ କଲ୍ କରି ଉତ୍ତେଜନା ପ୍ରବଣ କଥା କହିବା ସହ ଶରୀରରୁ ପୋଷାକ ଖୋଲିବାକୁ ପ୍ରବର୍ତ୍ତାଉଛନ୍ତି। ବହୁ ଯୁବକ, ସରକାରୀ ଓ ବେସରକାରୀ ଅଧିକାରୀ ଯୁବତୀଙ୍କ ଜାଲରେ ଫଶି ହଇରାଣ ହରକତ ହେଉଥିବା ବେଳେ ଅଜଣା ସୁନ୍ଦରୀ ଯୁବତୀଙ୍କ ହନିଟ୍ରାପରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ପୁଲିସ୍ ଅଧିକାରୀ ଓ କର୍ତ୍ତବ୍ୟରତ ସାମ୍ବାଦିକ। ଯୁବତୀଙ୍କ ଭିଡ଼ିଓ କଲର ଶିକାର ହୋଇଥିବା ପୁଲିସ୍ ଅଧିକାରୀଙ୍କ ଚାଟ୍ ସମୟର ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ରାୟଗଡ଼ାରେ ହଟଚମଟ ସୃଷ୍ଟି ହୋଇଛି। ସୋସିଆଲ୍ ମିଡ଼ିଆରେ ଘୁରି ବୁଲୁଥିବା ସଂପୃକ୍ତ ଫଟୋକୁ କିଏ ଛାଡ଼ିଲା ତାକୁ ନେଇ ପୁଲିସ୍ ଛାନଭିନ୍ ଜାରି ରଖିଛି।

ତେବେ ଜଣେ ସ୍ଥାନୀୟ ପୁଲିସ୍  ଅଧିକାରୀଙ୍କ କହିବାନୁଯାୟୀ, ହନି ଟ୍ରାପ୍ ନୁହେଁ କେହି ଦୁର୍ବୃତ୍ତ ସଂପୃକ୍ତ ପୁଲିସ୍ ଅଧିକାରୀଙ୍କୁ ବଦନାମ କରିବା ପାଇଁ ଏମିତି କରିଛନ୍ତି। ଶରୀରରୁ ପୋଷାକ ଖୋଲିଥିବା ଯୁବତୀଙ୍କ ସହ ପୁଲିସ୍ ଅଧିକାରୀଙ୍କ ଫଟୋକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ହନିଟ୍ରାପର ଶିକାର ହୋଇ ଯୁବତୀଙ୍କ ମାୟାଜାଲରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜନୈକ ସାମ୍ବାଦିକ।

ଗତ ୨୦ ତାରିଖରେ ରାୟଗଡ଼ାର ଜନୈକ ସାମ୍ବାଦିକଙ୍କୁ ଜଣେ ବାହାର ରାଜ୍ୟର ଯୁବତୀ ଫେସବୁକରେ ଫ୍ରେଣ୍ଡସିପ୍ ନିବେଦନ ପଠାଇଥିଲେ। ଜନୈକ ସାମ୍ବାଦିକ ଫ୍ରେଣ୍ଡସିପ୍ ନିବେଦନକୁ ଗ୍ରହଣ କରିବା ପରେ ଯୁବତୀ ଜଣଙ୍କ ଫେସବୁକ୍ ପୃଷ୍ଠାରୁ ସାମ୍ବାଦିକଙ୍କ ମୋବାଇଲ୍ ନମ୍ବର ସଂଗ୍ରହ କରି ସେହି ଦିନ ରାତି ୮ଟାରେ ହ୍ବାଟସ୍‌ଆପରେ ମେସେଜ୍ କରିଥିଲେ। ଉଭୟଙ୍କ ମଧ୍ୟରେ ହ୍ବାଟସଅପରେ କିଛି ସମୟ ବାର୍ତ୍ତାଳାପ ପରେ ଯୁବତୀ ଜଣଙ୍କ ଭିଡ଼ିଓ କଲ୍ କରିବାକୁ କହିଥିଲେ। କିନ୍ତୁ ଜନୈକ ସାମ୍ବାଦିକ ଭିଡ଼ିଓ କଲ୍ କରିବାକୁ ମନା କରି ଦେଇଥିଲେ। ଯୁବତୀ ଜଣଙ୍କ ବାରମ୍ବାର ନିବେଦନ କରି ଶେଷରେ ନିଜ ଆଡ଼ୁ ସାମ୍ବାଦିକଙ୍କ ହ୍ବାଟସ୍‌ଆରେ ଭିଡ଼ିଓ କଲ୍ କରିଥିଲେ।

ଅତି ସତର୍କତାର ସାମ୍ବାଦିକ ବନ୍ଧୁ ନିଜ କ୍ୟାମେରାକୁ ଅଫ୍ ମୋଡ଼ରେ ରଖି ଭିଡ଼ିଓ କଲ୍ ଗ୍ରହଣ କରିଥିଲେ। ଭିଡ଼ିଓ କଲର କିଛି ସମୟ ମଧ୍ୟରେ ହିଁ ଯୁବତୀ ଜଣଙ୍କ ନିଜ ଶରୀରରୁ ପୋଷାକ ଖୋଲି ଦେଇଥିଲେ। ଭୟରେ ଜନୈକ ସାମ୍ବାଦିକ ଭିଡ଼ିଓ କଲକୁ ବନ୍ଦ କରି ଦେଇଥିଲେ। ଏହା ପରେ ଯୁବତୀ ଜଣଙ୍କ ବାରମ୍ବାର ହ୍ବାଟସଅପକୁ ମେସେଜ୍ କରି ବିନା ପୋଷାକରେ ଭିଡ଼ିଓ କଲ୍ କରିବାକୁ କହିଥିଲେ। କିନ୍ତୁ ଜନୈକ ସାମ୍ବାଦିକ ଯୁବତୀଙ୍କ ନମ୍ବରକୁ ବ୍ଲକ୍ କରି ଅଳ୍ପକେ ହନି ଟ୍ରାପରୁ ବର୍ତ୍ତି ଯାଇଥିଲେ। ଯଦି ଭିଡ଼ିଓ କଲ୍ ସମୟରେ କ୍ୟାମେରାକୁ ଅଫ୍ ମୋଡ଼ରେ ରଖିନଥାନ୍ତେ ତାହାହେଲେ ଅସୁବିଧାରେ ପଡ଼ିଥାନ୍ତି ବୋଲି ଜନୈକ ସାମ୍ବାଦିକ ମତ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ହନି ଟ୍ରାପ୍ ମାଧ୍ୟମରେ ସୁନ୍ଦରୀ ଯୁବତୀମାନେ ଯୁବକଙ୍କୁ ଫସାଇ ଟଙ୍କା ଆଦାୟ କରିବାର ନଜିର ଅନେକ ରହିଛି। ଫେସବୁକରେ ବନ୍ଧୁତା କରିବା ପରେ ପ୍ରେମଜାଲରେ ଫଶାଇ ପରବର୍ତ୍ତୀ ସମୟରେ ଭିଡ଼ିଓ କଲ୍ କରୁଛନ୍ତି। ନିଜ ଉପରୁ ନିୟନ୍ତ୍ରଣ ହରାଇ ଉତ୍ତେଜିତ ହୋଇ ଅନେକ ଯୁବକ, ସରକାରୀ ଓ ବେସରକାରୀ ଅଧିକାରୀ ଯୁବତୀଙ୍କ ସହ ଭିଡ଼ିଓ କଲରେ ମାତୁଥିବା ବେଳେ ସେହି ସମୟର ଫଟୋକୁ ସ୍କ୍ରିନ୍ ସଟ୍ କରି ଯୁବତୀମାନେ ବ୍ଲାକମେଲ୍ କରି ଟଙ୍କା ଆଦାୟ କରୁଛନ୍ତି।

ସମ୍ବନ୍ଧିତ ଖବର