ହଜିଗଲା ମାନବିକତା: ପିଞ୍ଜରାରେ ବନ୍ଦୀ ଥିବା କଲରାପତରିଆ ବାଘକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ଡେରାଡୁନ: ବାଘ ଆକ୍ରମଣର ଶିକାର ହୋଇଥିଲେ ଗ୍ରାମବାସୀ | ଆଉ ବାଘଠାରୁ ପ୍ରତିଶୋଧ ନେବାକୁ ଜିଅନ୍ତା ଜାଳିଦେଲେ ଲୋକ | ପିଞ୍ଜରାରେ ବନ୍ଦ ହୋଇ ରହିଥିବା କଲରାପତରିଆ ବାଘକୁ ସ୍ଥାନୀୟ ଲୋକମାନେ ଆଜି ପୋଡି ମାରିଦେଇଛନ୍ତି | ଉତ୍ତରାଖଣ୍ଡର ପଓଡି ଜିଲ୍ଲାର ସପ୍ଲୋଡି ଗାଁରେ ଏଭଳି ଏକ ଅମାନବୀୟ ଘଟଣା ଘଟିଛି | ତେବେ ଅଭିଯୋଗ ହୋଇଛି ଯେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଙ୍ଗଲ ବିଭାଗର ଟିମ୍ ପକ୍ଷରୁ ବାରମ୍ବାର ମନା କରିବା ସତ୍ତ୍ୱେ ଉତ୍ୟକ୍ତ ଗ୍ରାମବାସୀ ଏହି କାଣ୍ଡ ଘଟାଇଥିଲେ | ଘଟଣା ପରେ ସିସିଏଫ୍ ସୁଶାନ୍ତ କୁମାର ପଟ୍ଟନାୟକ ସମ୍ପୃକ୍ତ ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଡିଏଫଓଙ୍କୁ କହିଛନ୍ତି।

ମିଳିଥିବା ସୂଚନା ମୁତାବକ ସପ୍ଲୋଡି ଗାଁରେ, ମେ ୧୫ ରେ, ଜାଳେଣି ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା ଜଣେ ମହିଳାଙ୍କୁ କଲରାପତରିଆ ବାଘ ଆକ୍ରମଣ କରିଥିଲା | ଆଉ ଏଥିରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା | ସେହିପରି ସୋମବାର ରାତିରେ ସପ୍ଲୋଡି ନିକଟ କୁଲମୋରୀ ଗାଁର ଜଣେ ମହିଳାଙ୍କ ଉପରେ ମଧ୍ୟ କଲରାପତରିଆ ବାଘ ଆକ୍ରମଣ କରିଥିଲା । ଏହି ଘଟଣା ପରେ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଏକ ଯନ୍ତା ରଖାଯାଇଥିଲା |

ଆଉ ଏହି ଯନ୍ତାରେ କଲରାପତରିଆ ବାଘଟି ପଡିଯାଇଥିଲା | ଆଜି ବନ ବିଭାଗ ପକ୍ଷରୁ ଜଙ୍ଗଲରୁ କଲରାପତରିଆ ବାଘକୁ ଅଣାଯାଇଥିଲା | ତେବେ କଲରାପତରିଆ ବାଘକୁ ଦେଖି ଉତ୍ୟକ୍ତ ଗ୍ରାମବାସୀ ନିଆଁ ଲଗାଇଦେଇଥିଲେ | ବନ ଅଧିକାରୀ ଅନିଲ ଭଟ୍ଟ କହିଛନ୍ତି ଯେ ଲୋକମାନଙ୍କୁ ବାରମ୍ବାର ମନା କରିବା ସତ୍ତ୍ୱେ ଉତ୍ୟକ୍ତ ଲୋକମାନେ ଶୁଖିଲା ଘାସ ପକାଇ ନିଆଁ ଲଗାଇଦେଇଥିଲେ | ଆଉ କଲରାପତରିଆ ବାଘକୁ ପୋଡି ମାରିଦେଇଥିଲେ | ତଦନ୍ତ ପରେ ଏଫଆଇଆର ପଞ୍ଜୀକୃତ ହେବ ବୋଲି ଡିଏଫଓ କହିଛନ୍ତି।

ସମ୍ବନ୍ଧିତ ଖବର