ଲୁଟ୍‌ ବେଳେ ପହଞ୍ଚିଲା ପୁଲିସ; ଟଙ୍କା, ସୁନା, ବାଇକ୍‌ ଛାଡ଼ି ଦୁଇ ଲୁଟେରା ଚମ୍ପଟ

ଟିଟିଲାଗଡ଼ : ସୋମବାର ଲୁଟ୍‌ ସମୟରେ ପୁଲିସ ପହଞ୍ଚିଯିବାରୁ ସୁନା, ଟଙ୍କା ଓ ଏକ ବାଇକ୍‌ ଛାଡ଼ି‌ ଦୁଇ ଲୁଟେରା ଫେରାର୍‌ ହୋଇଯାଇଛନ୍ତି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ଅମୁର୍ଲା ଗାଁର ଟଙ୍କଧର ବାଗଙ୍କ ଝିଅ ବାହାଘର ଆସନ୍ତା ୫ ତାରିଖ ଦିନ ସ୍ଥିର ହୋଇଛି। ଏଥିପାଇଁ ସେ ତାଙ୍କ ଝିଅ ଶଳାଙ୍କୁ ସାଙ୍ଗରେ ନେଇ ଟିଟିଲାଗଡ଼ ଆସିଥିଲେ। ଏସ୍‌ବିଆଇ ମୁଖ୍ୟ ଶାଖାରୁ ଟଙ୍କା ଉଠାଇବା ପରେ ଏକ ଗହଣା ଦୋକାନରୁ ୫୦ ହଜାର ଟଙ୍କାରେ ଏକ ସୁନାହାର କଣିଥିଲେ। ସୁନାହାର ଓ ୪୯ ହଜାର ଟଙ୍କ ବାଇକ୍‌ ଡିକିରେ ରଖି ଧର୍ମଶାଳା ରୋଡରେ ଥିବା ଏକ ଶାଢ଼ି ଦୋକାନକୁ ଯାଇଥିଲେ। ଦୋକାନ ସାମନାରେ ଗାଡ଼ି ରଖି ତାଙ୍କ ଶଳାଙ୍କୁ ସେଠାରେ ରହିବାକୁ କହିଥିଲେ। ଝିଅ ସହ ସେ ଦୋକାନ ଭିତରକୁ ଶାଢ଼ି କିଣିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଜଣେ ଲୁଟେରା ବାଇକ୍‌ ଡିକି ଖୋଲି ଟଙ୍କା ଓ ଗହଣା ନେଇଯାଇଥିଲା।

ପେଟ୍ରୋଲିଂରେ ଥିବା ଡିଏସ୍‌ପି ସୁରେନ୍ଦ୍ର ଶତପଥୀ ଏହା ଦେଖି ପାରିଥିଲେ। ତାଙ୍କ ଗାଡ଼ିର ଚାଳକ ଦିଲୀପ ମହାରଣା ତୁରନ୍ତ ଗାଡ଼ିରୁ ଓହ୍ଲାଇ ଲୁଟେରାକୁ କାବୁ କରିବାକୁ ‌ଚେଷ୍ଟା କରିଥିଲେ। ହେଲେ ଲୁଟେରା ତାଙ୍କୁ ଧକ୍କା ଦେଇ ପଳାଇଥିଲା। କିଛି ଦୂରରେ ଏକ ନମ୍ବର ବିହୀନ ଆପାଚି ବାଇକ ଧରି ଠିଆ ‌ହୋଇଥିବା ଅନ୍ୟ ଜଣେ ଲୁଟେରା ବ୍ୟାଗ୍‌କୁ ଧରି ପଳାଉଥିଲା। ଡିଏସ୍‌ପି ଶ୍ରୀ ଶତପଥୀ ଅନ୍ୟ ରାସ୍ତାରୁ ଯାଇ ତା’ ପାଖରୁ ବ୍ୟାଗ୍‌ ଛଡ଼ାଇ ଆଣିଥିଲେ। ହେଲେ ଲୁଟେରା ଦ୍ବୟ ଉକ୍ତ ବାଇକ୍‌ ଛାଡ଼ି ଫେରାର୍‌ ହୋଇଯାଇଥିଲେ। ପରେ ଶ୍ରୀ ଶତପଥୀ ଟଙ୍କଧରଙ୍କୁ ଥାନାକୁ ଡାକି ଲୁଟ୍‌ ସାମଗ୍ରୀ ଫେରାଇଥିଲେ।

ସମ୍ବନ୍ଧିତ ଖବର