୫୮ ଦିନ ପରେ ଗାନ୍ଧୀମାର୍ଗରୁ ହଟିଲେ ଏଏନ୍‌ଏମ୍ ସ୍ବାସ୍ଥ୍ୟକର୍ମୀ, ଧାରଣାସ୍ଥଳରୁ ବଳପୂର୍ବକ ଉଠାଇଦେଲା ପୁଲିସ

ଭୁବନେଶ୍ବର : ସରକାରୀ ସ୍ଥାୟୀ ନିଯୁକ୍ତି ଦାବିରେ ଦୀର୍ଘ ୫୮ ଦିନ ଧରି ବିଧାନସଭା ସମ୍ମୁଖ ଲୋୟର୍‌ ପିଏମ୍‌ଜିର ଗାନ୍ଧୀ ମାର୍ଗରେ ଧାରଣା ଦେଇଥିବା ଏଏନ୍‌ଏମ୍‌ ସ୍ବାସ୍ଥ୍ୟକର୍ମୀଙ୍କୁ ଶନିବାର ପୁଲିସ୍‌ ବଳପୂର୍ବକ ଉଠାଇ ଦେଇଛି। ଦୁଇ ଦିନ ପରେ ସାଧାରଣତନ୍ତ୍ର ଦିବସ ଥିବାରୁ ରାଜ୍ୟସ୍ତରୀୟ ପରେଡ୍‌କୁ ଦୃଷ୍ଟିରେ ରଖି ଆଜି ସେମାନଙ୍କୁ ଉଠାଇ ଦିଆଯାଇଛି।

ଶନିବାର ସକାଳ ପ୍ରାୟ ୬ଟା ୧୫ରେ ପୁଲିସ୍ ଫୋର୍ସ ସମେତ ତିନିଟି ଗାଡ଼ି ଧାରଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ପ୍ରଥମେ ଏଏନ୍‌ଏମ୍‌ କର୍ମୀଙ୍କୁ ଧାରଣାସ୍ଥଳରୁ ଉଠିଯିବା ପାଇଁ କହିଥିଲା। ମାତ୍ର ସେମାନେ ଅମଙ୍ଗ ହେବାରୁ ପୁଲିସ୍‌ କିଛି ଏଏନ୍‌ଏମ୍‌ ନେତାଙ୍କୁ ଧାରଣାସ୍ଥଳରୁ ଜୋର୍ କରି ଉଠାଇ ନେଇଥିଲା। ଏହା ପରେ ପୁଲିସ୍‌କୁ ଆଉ ବେଶି କସରତ୍ କରିବାକୁ ପଡ଼ି ନଥିଲା। ନେତାଙ୍କ ପଛେ ପଛେ ଅନ୍ୟ ଏଏନ୍‌ଏମ୍‌ କର୍ମୀ ଧାରଣାସ୍ଥଳରୁ ହଟି ଯାଇଥିଲେ। ଏ ସଂପର୍କରେ କୋଭିଡ୍-୧୯ ନିଯୁକ୍ତିପ୍ରାପ୍ତ ସିସିଏଚ୍ ମହିଳା ସ୍ବାସ୍ଥ୍ୟକର୍ମୀ ସଂଘର ରାଜ୍ୟ ସଭାନେତ୍ରୀ ଦୀପ୍ତିମୟୀ ନାଗ କହିଛନ୍ତି, ପୁଲିସ୍‌ ସେମାନଙ୍କୁ ଧାରଣାସ୍ଥଳରୁ ଉଠାଇ ଦେଇଛି ସତ; ମାତ୍ର ଜାନୁଆରି ୨୬ ପରେ ଅର୍ଥାତ୍ ୨୭ ତାରିଖ ଦିନ ସେମାନେ ପୁଣି ଧାରଣାସ୍ଥଳରେ ବସିବେ।

ସୂଚନା ମୁତାବକ, ଧାରଣାସ୍ଥଳ ଖାଲି କରିବା ପାଇଁ ଏଏନ୍‌ଏମ୍‌ କର୍ମୀମାନଙ୍କୁ ଗତ ୭ ତାରିଖରେ ପୁଲିସ୍‌ ନୋଟିସ୍‌ କରିଥିଲା। କିନ୍ତୁ ସେମାନେ ନ ଉଠିବାରୁ ୧୮ତାରିଖ ଦିନ ପୁଲିସ୍ ସେମାନଙ୍କୁ ବୁଝାସୁଝା କରି ରାସ୍ତାରୁ ଉଠାଇ ଦେଇଥିଲା। ଏହାପରେ ଏଏନ୍‌ଏମ୍‌ କର୍ମୀମାନେ ସ୍ବାଧୀନତା ସଂଗ୍ରାମୀ ପଡ଼ିଆ ସମ୍ମୁଖ ଓ ପରେ ରେଡକ୍ରସ୍ ଭବନ ସମ୍ମୁଖରେ ଧାରଣା ଦେବାକୁ ଯାଇଥିଲେ। ମାତ୍ର ପୁଲିସ୍‌ ସେଠାରେ ବସିବାକୁ ନ ଦେବାରୁ ପୁଣିଥରେ ସେମା‌ନେ ଲୋୟର୍‌ ପିଏମ୍‌ଜିକୁ ଫେରି ଆସିଥିଲେ।

ସମ୍ବନ୍ଧିତ ଖବର