ମହାପ୍ରୟାଣ ଗାଡିରେ ଶବକୁ ଛାଡି ପଳାଇଲା ପୁଲିସ; ଡାକ୍ତରଖାନାରୁ ମଶାଣି, ମଶାଣିରୁ ଡାକ୍ତରଖାନା ବୁଲିଲା

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ ସହରରେ ଏକ ସମ୍ବେଦନଶୀଳ ଘଟଣା ଘଟିଛି। ଜଣେ ଅସହାୟ ମହିଳାଙ୍କ ଶବ ବ୍ଯବଚ୍ଛେଦ ପରେ ପୁଲିସ ମହାପ୍ରୟାଣ ଗାଡିରେ ଛାଡି ପଳାଇଥିବା ବେଳେ ବିଚରା ଗାଡି ଚାଳକ ଶବକୁ ଡାକ୍ତରଖାନାରୁ ମଶାଣି, ମଶାଣିରୁ ଡାକ୍ତରଖାନା, ସେଠାରୁ ପୁଣି ମଶାଣିକୁ ୩ ଘଣ୍ଟା ଧରି ବୁଲାଇ ଚାଲିଥିଲେ। ଶବ ଦାହ ନେଇ ପୁଲିସ କୌଣସି ବ୍ଯବସ୍ଥା କି କାହାକୁ ଯୋଗାଯୋଗ କରି ନଥିବାରୁ ଏହି ଅଭାବନୀୟସ୍ଥିତି ସୃଷ୍ଟି ହୋଇଥିବା ପ୍ରକାଶ ପାଇଛି। ଶେଷକୁ ଶ୍ମଶାନବନ୍ଧୁ ସୂଚନା ପାଇ ସନ୍ଧ୍ୟା  ୬ଟାରେ ସ୍ବର୍ଗଦ୍ବାରରେ ଶବ ସତ୍କାର କରିଛନ୍ତି। ମୃତା ମହିଳା ହେଲେ ସୁନ୍ଦରଗଡ଼ ପତ୍ରାପଡାର ସୁନିତ ବେହେରା(୩୫)। ଭୂୟାଁ ଆଦିବାସୀ ସମ୍ପ୍ରଦାୟର ସୁନିତାଙ୍କୁ ପତ୍ରାପଡାର ସ୍ଵର୍ଗତ କାହ୍ନୁଚରଣ ମହାନ୍ତିଙ୍କ ପୁତ୍ର ଅଜୟ ମହାନ୍ତି ସ୍ତ୍ରୀ ଭାବେ ରଖିଥିଲେ।

ବର୍ଷେ ଆଗରୁ ତାଙ୍କ ଭିତରେ କଳହ ହେବାରୁ ସୁନିତାଙ୍କୁ ବାହାର କରିଦେଇଥିଲେ। ତେବେ ଭିନ୍ନ ଜାତିରେ ବିବାହ କରିଥିବାରୁ ତାଙ୍କୁ ବାପ ଘରେ ବି ପୂରାଇ ଦେଇ ନଥିଲେ। ସୁନିତା ଅନ୍ୟ ଘରେ କାମ କରି ଏକା ଏକା ଚଳୁଥିଲେ। ଆଜି ସକାଳୁ ଆରଟିଓ ଅଫିସ ପାଖରେ ଅସହାୟ ଅବସ୍ଥାରେ ତାଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତ୍ଯୁର କାରଣ ଜଣାପଡି ନଥିବାବେଳେ ପୁଲିସ ଶବକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବ୍ଯବଚ୍ଛେଦ କରାଇଥିଲେ। ଏହା ପରେ ଶବକୁ ମହାପ୍ରୟାଣ ଗାଡିରେ ଛାଡି ପୁଲିସ ଚାଲି ଯାଇଥିଲା। ଗାଡି ଚାଳକ ଶବକୁ ରାଣୀବଗିଚା ସ୍ବର୍ଗଦ୍ବାରକୁ ନେଇଯାଇଥିଲେ। ହେଲେ ଘଣ୍ଟାଏ ଅପେକ୍ଷା କରିବା ପରେ ବି ଶବ ସତ୍କାର ପାଇଁ କେହି ନ ଆସିବାରୁ ଡାକ୍ତରଖାନା ଫେରାଇ ନେଇଥିଲେ। କିନ୍ତୁ ବ୍ଯବଚ୍ଛେଦ ହୋଇଥିବା ଶବକୁ ଶବଗୃହରେ ରଖିବାକୁ ମନା କରିଥିଲେ ଦାୟିତ୍ବରେ ଥିବା କର୍ମଚାରୀ। ମହାପ୍ରୟାଣ ଗାଡି ଚାଳକ କିଂକର୍ତ୍ତବ୍ୟବିମୁଢ଼ ହୋଇ ଶେଷକୁ ଶ୍ମଶାନବନ୍ଧୁଙ୍କୁ ଘଟଣା ସମ୍ପର୍କରେ ସୂଚୀତ କରି ସହଯୋଗ ଲୋଡିଥିଲେ। ଏହାପରେ ପୁଲିସ ଶ୍ମଶାନବନ୍ଧୁଙ୍କୁ ଶବ ଦାହ ପାଇଁ କୌଣସି ସୂଚନା ଦେଇ ନଥିବା କଥା ସାମ୍ନାକୁ ଆସିଥିଲା। ଶବ ପ୍ରତି ପୁଲିସର ଅବହେଳା ସମ୍ପର୍କରେ ଚର୍ଚ୍ଚା ହେବା ପରେ ଜଣେ ପୁଲିସ ଅଧିକାରୀ ଆସି ଶ୍ମଶାନବନ୍ଧୁଙ୍କୁ ଭେଟିଥିଲେ। ସନ୍ଧ୍ୟା ୬ଟାରେ ଶବକୁ ଡାକ୍ତରଖାନାରୁ ନିଆଯାଇ ସତ୍କାର କରାଯାଇଥିଲା।

ସମ୍ବନ୍ଧିତ ଖବର