ପୁଲିସର ନକ୍ସଲ ମୁକାବିଲା ଏମିତି ! ଗାଡ଼ି ନାହିଁ କି କର୍ମଚାରୀ ନାହାନ୍ତି

ଫର୍ଟିଫାଏଡ୍‌ ଥାନାରେ କର୍ମଚାରୀ ନାହାନ୍ତି, ଶହେ ପୁଲିସକୁ ୭ ଗାଡ଼ି

ଭୁବନେଶ୍ବର: ନକ୍ସଲ ଦମନ ଉଦ୍ଦେଶ୍ୟରେ ପୁଲିସକୁ ସଶକ୍ତୀକରଣ କରିବ ପାଇଁ କେନ୍ଦ୍ର ସରକାର ଫର୍ଟିଫାଏଡ୍‌ ପୁଲିସ ଷ୍ଟେସନ(ଏଫ୍‌ପିଏସ୍‌)ର ପରିକଳ୍ପନା କରିଥିଲେ। ଦେଶରେ ଏଭଳି ୪ଶହ ଥାନା ନିର୍ମାଣ ଯୋଜନା ଥିବା ବେଳେ ଓଡ଼ିଶାରେ ୭୦ ଥାନା ନିର୍ମାଣ ହୋଇଥିଲା। ୧୮ ମାସରେ ନିର୍ମାଣ ସାରିବା ପାଇଁ କେନ୍ଦ୍ର ସରକାର ସୀମା ଧାର୍ଯ୍ୟ କରିଥିଲେ। ରାଜ୍ୟସରକାର ଏହାର ନିର୍ମାଣ ପାଇଁ ୮ ବର୍ଷ ନେଇଥିଲେ। ଗୋଟିଏ ପଟେ ଧାର୍ଯ୍ୟ ସମୟ ଠାରୁ ଢେର ବିଳମ୍ବ‌ରେ ଥାନା ନିର୍ମାଣ ହୋଇଥିବା ବେ‌ଳେ ନିର୍ଦ୍ଦେଶାବଳୀ ମୁତାବକ କର୍ମଚାରୀ ଓ ଗାଡ଼ି ଯୋଗାଇ ଦିଆ ଯାଇନାହିଁ। ୨୮ ଥାନାରେ ସର୍ବନିମ୍ନ କର୍ମଚାରୀରୁ କମ୍‌ ରହିଛନ୍ତି। ଶହେ ପୁଲିସ ପିଛା ଗୋଟିଏ ଗାଡ଼ି ରହିଛି। ଏଣୁ କେମିତି ହେବ ନକ୍ସଲ ମୁକାବିଲା? ଏହି ଯୋଜନା(ଏଫ୍‌ପିଏସ୍‌)ର ଅଡିଟ୍‌ କଲା ବେଳେ ଏଜି ଏଭଳି ପ୍ରଶ୍ନ ଉଠାଇଛନ୍ତି। ସମ୍ବେଦନଶୀଳ ଜାଗାରେ ପୁଲିସର ଏଭଳି ସ୍ଥିତି ବିପଜ୍ଜନକ ଓ ନକ୍ସଲ ମୁକାବିଲା ଏକ ଆହ୍ବାନ ବୋଲି ଏଜି ଦର୍ଶାଇଛନ୍ତି। ବିଭାଗୀୟ ସମନ୍ବୟ ଅଭାବ ଓ ଅଧିକାରୀଙ୍କ ଅପାରଗତାକୁ ନେଇ ନକ୍ସଲ ଦମନ‌ରେ ସରକାର ଭୂମିକା ଉପରେ ପ୍ରଶ୍ନ ଉଠିଛି।

IBC

ସରକାରୀ ସୂଚନା ମୁତାବକ, ରାଜ୍ୟର ୧୫ ନକ୍ସଲ ଉପଦ୍ରୁତ ଜିଲ୍ଲାରେ ୭୦ ଏଫ୍‌ପିଏସ୍‌ ନିର୍ମାଣ କରା ଯାଇଥିଲା। ଏହି ଥାନା ନିର୍ମାଣରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ୮୦:୨୦ ଅନୁପାତରେ ୧୪୭ କୋଟି ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ପ୍ରତ୍ୟେକ ପୁଲିସ ଷ୍ଟେସନରେ ଅତି କମ୍‌ରେ ୪୦ କର୍ମଚାରୀ ରଖିବାକୁ ସ୍ଥିର ହୋଇଥିଲା‌। ଏଥିପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟ ସରକାର ଏକ ଅଣ୍ଡରଟେକିଂ ଲେଖିଥିଲେ। ଏଜି ଏହାର ଅଡିଟ୍‌ କଲା ବେଳେ ବିଚିତ୍ର ତଥ୍ୟ ପଦାକୁ ଆସିଥିଲା। ୭୦ରୁ ଥାନାରୁ ୨୮ ଥାନାରେ ସର୍ବନିମ୍ନ ୬ ଜଣ ଓ ସର୍ବାଧିକ ୩୯ ଜଣ ଏଭଳି ୪୦ରୁ କମ୍‌ କର୍ମଚାରୀ ରହିଥିବା ଅତିରିକ୍ତ ଡିଜି(ଅପରେସନ) ଏଜି ପାଖରେ ତଥ୍ୟ ରଖିଥିଲେ। ଏହି ୨୮ ଥାନାରୁ ୧୪ରେ ସିଆରପିଏଫ୍‌ର ଅସ୍ଥାୟୀ କ୍ୟାମ୍ପ ରହିଛି। ଯାହା କେବଳ ଉପରକୁ ପୁଲିସ ଭର୍ତ୍ତି ହେବା ଭଳି ଦିଶୁଛି। କିନ୍ତୁ ପୁଲିସର ବାସ୍ତବ ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ୪ଟି ଥାନାରେ ୧୦ରୁ କମ୍‌ କର୍ମଚାରୀ ରହିଛନ୍ତି। କେବଳ ସେତିକି ନୁହେଁ, ଅପରାଧ ଦମନ ଓ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅସ୍ତ୍ରଶସ୍ତ୍ର ସହ ଗାଡ଼ି ପ୍ରମୁଖ ଭୂମିକା ନିଭାଇଥାଏ। ଗତ ୧୮ ବର୍ଷ ମଧ୍ୟରେ ରାଜ୍ୟ ପୁଲିସକୁ ଆଧୁନିକୀକରଣ କରିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଅର୍ଥର ୨୦ ପ୍ରତିଶତ ପୁଲିସର ‘ମୋବିଲିଟି’ ପାଇଁ ଗାଡ଼ି ସହ ଅନ୍ୟାନ୍ୟ ସାମଗ୍ରୀ କିଣା ଯାଇଛି। ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋ(ବିପିଆର ଆଣ୍ଡ ଡି) ତଥ୍ୟ ମୁତାବକ, ୩୪ ଜିଲ୍ଲା ପୁଲିସ ଲାଇନ୍‌ ସମେତ ୨୧ ସଶସ୍ତ୍ର ବାଟାଲିୟନ, ପୁଲିସ ମୁଖ୍ୟାଳୟ, ସ୍ପେଶାଲ ସେଲ୍‌ ଓ ବ୍ରାଞ୍ଚରେ ମୋଟ ୭ ହଜାର ୪୭୭ ଗାଡ଼ିର ଆବଶ୍ୟକତା ରହିଛି। ୨୦୧୯ ଜୁନ୍‌ ସୁଦ୍ଧା ଏହି ସଂଖ୍ୟା ୫ ହଜାର ୬୩ ରହିଛି। ଅର୍ଥାତ୍‌ ୧୪୩୯ ଗାଡ଼ିର ଅଭାବ ରହିଛି। ୨୦୧୫ ମସିହାରେ ଏହି ଗାଡ଼ିର ସଂଖ୍ୟା ୫ ହଜାର ୫୩୭ ରହିଥିଲା। ୪ ବର୍ଷ ମଧ୍ୟରେ ଏଥିରୁ ୪୭୪ (୮.୫୬ପ୍ରତିଶତ) ଗାଡ଼ି କମି ଯାଇଛି। କୌତୁହଳପ୍ରଦ ହେଉଛି ମୋଟ ୬୨୦ ଥାନାରୁ ୫୯ଟି ଥାନା ବିନା ଗାଡ଼ିରେ ଚାଲିଛି। ପ୍ରତି ୧୦ଟି ଥାନାରେ ଗୋଟିକରେ ଗାଡ଼ି ନଥିବା ପରିସଂଖ୍ୟାନ କହୁଛି। ଏହି ପରିସଂଖ୍ୟାନ ମୁତାବକ ୧୦୦ ପୁଲିସଙ୍କ ପାଇଁ ପାଖାପାଖି ୭ଟି ଗାଡ଼ି ରହିଛି। ୨୦୧୫ରେ ଏହି ଅନୁପାତ ୧୧ ରହିଥିଲା। ଏଭଳି ବିଚିତ୍ର ସ୍ଥିତି ନକ୍ସଲ ମୁ୍କାବିଲା ପାଇଁ ପୁଲିସକୁ ଆହ୍ବାନ ବୋଲି ଏଜି ରିପୋର୍ଟରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର