ପୁଲିସ ଏସ୍‌ଆଇଙ୍କୁ ୩ ବର୍ଷ ସଶ୍ରମ ଜେଲ୍‌, ଜରିମାନା

ଫୁଲବାଣୀ: ଆଜି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏକ ଲାଞ୍ଚ ମାମଲାର ବିଚାର କରି ଚକାପାଦ ଥାନାର ପୂର୍ବତନ ପୁଲିସ ସବ୍‌ ଇନ୍ସପେକ୍ଟର ହରିବନ୍ଧୁ ପରିଡ଼ାଙ୍କୁ ୩ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ୪ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଗଜପତିନଗର ୪ର୍ଥ ଲାଇନ୍‌ରେ ରହୁଥିବା ହରିବନ୍ଧୁ ପରିଡ଼ାଙ୍କ ଘର ବେଲଗୁଣ୍ଠା ଥାନା ଗହଙ୍ଗୁ ନିକଟ ନାହାଡା ଗ୍ରାମରେ ହୋଇଥିବା ବେଳେ ଗତବର୍ଷ ଜୁନ୍‌ ୩୦ରେ ଅବସର ଗ୍ରହଣ କରିଛନ୍ତି।

ସୂଚନା ଅନୁସାରେ, ୨୦୧୮ରେ ଚକାପାଦ ଥାନା ଚାହାଳି ପଞ୍ଚାୟତରେ ଜଣେ ଟ୍ରାକ୍ଟର୍‌ ଡ୍ରାଇଭର୍‌ଙ୍କୁ କିଛି ଅଜଣା ଦୁର୍ବୃତ୍ତ ହତ୍ୟା କରିଥିଲେ। ଏହି ମାମଲାରେ ତତ୍କାଳୀନ ଏସ୍‌ଆଇ ହରିବନ୍ଧୁ ଗ୍ରାମର କିଛି ବ୍ୟକ୍ତିଙ୍କୁ ଥାନାକୁ ଆଣି ସେମାନଙ୍କ ନାମରେ ମାମଲା ରୁଜୁ ନ କରିବା ପାଇଁ ଜଣ ପିଛା ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ, ସଂପୃକ୍ତ ବ୍ୟକ୍ତିମାନେ ଏହି ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାପରେ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଜଣେ ଅଭିଯୋଗକାରୀ ଭିଜିଲାନ୍ସରେ ଆଶ୍ରୟ ନେଇଥିଲେ। ଲାଞ୍ଚ ଟଙ୍କା ଗ୍ରହଣ କରିବା ସମୟରେ ହରିବନ୍ଧୁ ଭିଜିଲାନ୍ସ ଟିମ୍‌ ହାତରେ ଧରା ପଡ଼ିଥିଲେ। ଏ ନେଇ ଜିଆର୍‌ କେସ ନଂ ୧୦/୧୮ରେ ମାମଲା ବିଚାରଣା ଚାଲିଥିଲା। ଆଜି ଏହି ମାମଲାର ଚୂଡ଼ାନ୍ତ ରାୟ ଘୋଷଣା କରି ସ୍ବତନ୍ତ୍ର ଭିଜିଲାନ୍‌ସ ଜଜ୍‌ ସନ୍ତୋଷ କୁମାର ଜେନା ଉପରୋକ୍ତ ଦଣ୍ଡ ଶୁଣାଇଛନ୍ତି। ଅନ୍ୟପଟେ ୩୦ ହଜାର ଟଙ୍କାର ବେଲ୍‌ବଣ୍ଡ୍‌ ଏବଂ ୨ ଜଣ ଜାମିନଦାରଙ୍କ ବଦଳରେ ହରିବନ୍ଧୁଙ୍କୁ ଜାମିନ ପ୍ରଦାନ କରାଯାଇଛି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଭି.ଭି. ରାମଦାସ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର