ସଡ଼କ ଦୁର୍ଘଟଣା ରେକର୍ଡ ରଖିବ ପୁଲିସ୍‌

ଓଡ଼ିଶା ପୁଲିସକୁ ୧୫୦ ଟ୍ୟାବ୍ ପ୍ରଦାନ କଲା ପରିବହନ ବିଭାଗ

କଟକ : ଇଣ୍ଟିଗ୍ରେଟେଡ୍ ରୋଡ୍ ଆକ୍ସିଡେଣ୍ଟ୍ ଡାଟା ବେସ୍ (ଆଇ୍ଆରଏଡି) ଅଧୀନରେ ମୋଟର ଯାନ ଦୁର୍ଘଟଣାର ବିବରଣୀ ରେକର୍ଡ ପାଇଁ ସୋମବାର ଦିନ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ପୁଲିସକୁ ୧୫୦ ଟାବ୍ ପ୍ରଦାନ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ଶାସନ ସଚିବ ବିଷ୍ଣୁପଦ ସେଠୀ, ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲଙ୍କୁ ଏହି ଟ୍ୟାବ୍ ହସ୍ତ‌ାନ୍ତର କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଡିଜିପି ଶ୍ରୀ ବଂଶଲ କହିଛନ୍ତି ଯେ ରାଜ୍ୟରେ ସଡକ ଦୁର୍ଘଟଣାର ମୂଳ କାରଣ ଖୋଜିବା ହେଉଛି ଗୁରୁତ୍ବପୂର୍ଣ୍ଣ। ଅନୁସନ୍ଧାନକାରୀ ଅଧିକାରୀ ଘଟଣାସ୍ଥଳରେ ଦୁର୍ଘଟଣା ତଥ୍ୟ ସଂଗ୍ରହ କରିବାରେ ଟ୍ୟାବ୍ ଗୁଡିକ ସହାୟକ ହେବ। ଏହାଦ୍ବାରା ସୂଚନା ଆଦାନ ପ୍ରଦାନ ମଧ୍ୟ ସହଜ ହେବ। ଏହା ରାଜ୍ୟରେ ସଡ଼କ ସୁରକ୍ଷାକୁ ସୁଦୃଢ କରିବା ଦିଗରେ ଏକ ଏବଂ ସମାନ ଦୁର୍ଘଟଣା ସଂପର୍କିତ ତଥ୍ୟ ସଂଗ୍ରହ କୌଶଳ ପ୍ରତିଷ୍ଠା କରିବାରେ ସହାୟକ ହେବ। ସଡ଼କ ଦୁର୍ଘଟଣାରେ ଡାଟାବେସ୍ ବଜାୟ ରଖିବା ପାଇଁ ସଡ଼କ ପାର୍ଶ୍ବ ପୁଲିସ ଥାନାର ଅନୁସନ୍ଧାନକାରୀ ଅଧିକାରୀମାନେ ଏହି ଟ୍ୟାବ୍ ଗୁଡିକୁ ବ୍ୟବହାର କରିବେ। ଏହି ଅବସରରେ ସଚିବ ଶ୍ରୀ ସେଠୀ କହିଛନ୍ତି, ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ପୁଲିସ ଏବଂ ପରିବହନ ବିଭାଗ ମିଳିତ ଭାବେ କାର୍ଯ୍ୟ କରି ପାରିବେ। ସମସ୍ୟାର ବିଶ୍ଳେଷଣ ତଥା ସେହି ଅନୁଯାୟୀ ସମାଧାନ ଖୋଜିବାରେ ଦୁର୍ଘଟଣା ତଥ୍ୟ ସାହାଯ୍ୟ କରିବ। ଅନ୍ୟମାନଙ୍କ ମଧ୍ୟରେ ପରିବହନ କମିସନର ଅରୁଣ ବୋଥ୍ରା, ଅତିରିକ୍ତ କମିସନର ପରିବହନ ଧନଞ୍ଜୟ ସେନାପତି, ସଂଜୟ ବିଶ୍ବାଳ ଓ ବିକାଶ ଚନ୍ଦ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର