କଂଗ୍ରେସରୁ ଛୁଟୁଛି ଇସ୍ତଫାର ସୁଅ; ଜିଲ୍ଲା ମହିଳା ସଭାନେତ୍ରୀଙ୍କ ସମେତ ଦଳ ଛାଡ଼ିଲେ ୬

ରାୟଗଡ଼ା: ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ। ଲଢ଼େଇ ପାଇଁ ଆରମ୍ଭ ହୋଇ ସାରିଛି ପ୍ରାର୍ଥୀଙ୍କ  ନାମାଙ୍କନ ଦାଖଲ ପ୍ରକ୍ରିୟା। ଏପରି ସ୍ଥିତିରେ ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟିର ଗୁରୁତ୍ବପୂର୍ଣ୍ଣ ପଦ ପଦବିରେ ନେତା ଦଳରୁ ଇସ୍ତଫା ଦେବାରେ ଲାଗିଛନ୍ତି। ଦଳ ଛାଡ଼ିଥିବା ନେତାଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ, ଜିଲ୍ଲା ମହିଳା ସଭାନେତ୍ରୀଙ୍କ ଭଳି ନେତା ଥିବାରୁ କଂଗ୍ରେସ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି।

ଏକଦା କଂଗ୍ରେସର ଗଡ଼ ଥିବା କୋଲନରା ବ୍ଲକରୁ ଦିନକରେ ୫ ବରିଷ୍ଠ ନେତୃବୃନ୍ଦ କଂଗ୍ରେସକୁ ବାଏ ବାଏ କରିଛନ୍ତି। ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ଇପିଲି ନାଗଲକ୍ଷ୍ମୀ, ଜିଲ୍ଲା ପରିଷଦ ସଦସ୍ୟ ଆଶୁତୋଷ କିଲାକା, କୋଲନରା ବ୍ଲକ୍ ଯୁବ କଂଗ୍ରେସ ସଭାପତି ତଥା ସାଂସଦ ପ୍ରତିନିଧି ବି. ଧବଳେଶ୍ବର, ପୂର୍ବତନ କୋଲନରା ବ୍ଲକ୍ ଉପାଧ୍ୟକ୍ଷା ଏସ୍. ରାଜେଶ୍ବରୀ, କଂଗ୍ରେସ ଏସଟି ସେଲ୍ କୋଲନରା ବ୍ଲକ୍ ସଂପାଦକ ତଥା ପୂର୍ବତନ ସରପଞ୍ଚ ତ୍ରିନାଥ ତୋଇକା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ମହିଳା ସଭାନେତ୍ରୀ ଶ୍ରୀମତି ନାଗଲକ୍ଷ୍ମୀ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ସେହିପରି ଏସ୍. ରାଜେଶ୍ବରୀ, ବି. ଧବଳେଶ୍ବର, ଶ୍ରୀ ତୋଇକା ଜିଲ୍ଲା କଂଗ୍ରେସ ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି। କଂଗ୍ରେସ ଛାଡ଼ିଥିବା ଜିଲ୍ଲା ପରିଷଦ ସଦସ୍ୟ ଆଶୁତୋଷ କିଲାକା କୋଲନରା ଖ ଆସନରୁ ୨୦୧୭ ନିର୍ବାଚନରେ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ କଂଗ୍ରେସ ଛାଡ଼ିଥିବା ଜିଲ୍ଲା ମହିଳା ସଭାନେତ୍ରୀ ନାଗଲକ୍ଷ୍ମୀ ୨୦୧୨ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଭାବେ ବିଜୟୀ ହୋଇଥିଲେ।

୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ କୋଲନରା ଖ ଆସନ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷଣ ରହିଛି। ଖ ଆସନ ଅଧୀନରେ ସୁରି, ବାଡାଖିଲାପଦର, ବାଙ୍କିଲି, କୈଳାସପୁର, ରେଖାପଦର, ଭୋଇମଡ଼ା, ମୁକୁନ୍ଦପୁର, ଝରଡ଼ି, କାଟିକଣା ପଞ୍ଚାୟତ ରହିଛି। ସେପଟେ କୋଲନରା କ ଆସନ ଅଣସଂରକ୍ଷିତ ରହିଛି। କ ଆସନ ଅଧୀନରେ କୋଲନରା, ଗାଡ଼ିଶେଷଖାଲ, ଡୁମୁରିଗୁଡା, ଥେରୁବାଲି, ଖେଦାପଡା, କାର୍ତ୍ତିକଗୁଡା, କେଲିଗୁଡା ରହିଛି। ଖ ଆସନ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷଣ ପରେ କୋଲନରା କ ଆସନ ଉପରେ ସଭିଁଏ ନଜର ପକାଇଛନ୍ତି। କଂଗ୍ରେସ ଛାଡ଼ିଥିବା ଯୁବ ବ୍ଲକ୍ ସଭାପତି ବି. ଧ‌ବଳେଶ୍ବରଙ୍କୁ କଂଗ୍ରେସ କ ଆସନରୁ ପ୍ରାର୍ଥୀ କରିବାକୁ ଯୋଜନା କରିଥିଲା। ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇ ସାରିଥିବା ବେଳେ ଶେଷ ମୁହୂର୍ତ୍ତରେ ଧବଳେଶ୍ବର ଦଳ ଛାଡ଼ିବା କଂଗ୍ରେସ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। କଂଗ୍ରେସ ଛାଡ଼ିଥିବା ସମସ୍ତ ନେତୃବୃନ୍ଦ ବିଜେଡ଼ିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏ ନେଇ କୌଣସି ସ୍ପଷ୍ଟତା ବିଜେଡ଼ି ପକ୍ଷରୁ ମିଳିପାରିନି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ ନିର୍ବାଚନରେ କଂଗ୍ରେସକୁ ଚକ୍କମା ଦେଇ ବିଜୟ ସୁନିଶ୍ଚିତ କରିବାକୁ ବିଜେଡ଼ି ବି. ଧବଳେଶ୍ବରଙ୍କୁ ଦଳର ପ୍ରାର୍ଥୀ କରିପାରେ। ଏଥି ପାଇଁ ବିଜେଡ଼ି ଦଳର ଆଶାୟୀ ନେତାଙ୍କୁ ଅଣଦେଖା କରିପାରେ। କୋଲନରା ବ୍ଲକକୁ ଛାଡ଼ିଲେ ବିଷମକଟକ କ ଜୋନର କଂଗ୍ରେସ ଜିଲ୍ଲା ପରିଷଦ ସଦସ୍ୟ ନନ୍ଦ କିଶୋର ଚୌଧୁରୀ ମଧ୍ୟ ଦଳ ଛାଡ଼ିଛନ୍ତି। ଜିଲ୍ଲା କଂଗ୍ରେସ ଓବିସି ସେଲର ସଭାପତି ଭାବେ ଶ୍ରୀ ଚୌଧୁରୀ ଦାୟିତ୍ବ ତୁଲାଉଥିଲେ।

ସୂଚନାଯୋଗ୍ୟ, ୨୦୧୭ ପଞ୍ଚାୟତ ନିର୍ବାଚନରେ ରାୟଗଡ଼ା ଜିଲ୍ଲାର ୨୨ ଜିଲ୍ଲା ପରିଷଦ ଆସନ ମଧ୍ୟରୁ କଂଗ୍ରେସ ୧୧ଟି ଅକ୍ତିଆର କରି ଜିଲ୍ଲା ପରିଷଦ ଦଖଲ କରିଥିଲା। କିନ୍ତୁ ନିର୍ବାଚନୀ ମାମଲାକୁ ନେଇ ୨୦୧୯ ଆସନରେ କୋର୍ଟ ଅଧ୍ୟକ୍ଷ ପଦବିକୁ ଅସିଦ୍ଧ ଘୋଷଣା ପରେ ୨୦୨୦ ଉପନିର୍ବାଚନରେ ବିଜେଡ଼ି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ହାତେଇ ନେଇଥିଲା। ୨୦୨୨ ନିର୍ବାଚନରେ ପୁଣି ଜିଲ୍ଲା ପରିଷଦକୁ ଅକ୍ତିଆର କରିବାକୁ ବିଜେଡ଼ି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇ ଥିବାରୁ ପ୍ରତି ଜୋନକୁ ଫୋକସ କରୁଛି। କୋଲନରା ବ୍ଲକର ଦୁଇ ଆସନ ପାଇଁ ଫେବ୍ରୁଆରି ୨୨ ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୧୭ଟି ପଞ୍ଚାୟତ, ୨୨ଟ ୱାର୍ଡର ୪୯ ହଜାର ୫୦୯ ମତଦାତା ସେମାନଙ୍କ ମତଦାନ କରିବେ।

ସମ୍ବନ୍ଧିତ ଖବର