ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାର୍ଜସିଟ୍‌ ପରେ ସରକାରଙ୍କୁ ଘେରିଲେ ବିରୋଧୀ

ଭୁ‌ବନେଶ୍ବର : ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ ଦାଖଲ କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟ ସରକାର ଘଟଣାକୁ ଚପାଇଦେବାକୁ ସଫଳ ହୋଇଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି।

ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଚାର୍ଜସିଟରେ ହତ୍ୟାର କାରଣ ସ୍ପଷ୍ଟ ନାହିଁ। ନବ ଦାସ ଏବଂ ତାଙ୍କ ଲୋକମାନଙ୍କ ପାଖରୁ ଗୋପାଳ ଦାସକୁ ଯଦି ଭୟ ଥିଲା, ତାହେଲେ କ’ଣ ପାଇଁ ଭୟ ଥିଲା ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିନାହିଁ। ମିଛ କଥା ସବୁ ଲେଖିଛନ୍ତି। କ’ଣ ଓ କାହିଁକି ଭୟ ଥିଲା ତାହାର ଉତ୍ତର ନାହିଁ। ଗୋପାଳ ଦାସ ଜଣେ ସାଧାରଣ ଲୋକ କି ଅପରାଧୀ ନୁହନ୍ତି। ସେ ଜଣେ କାର୍ଯ୍ୟରତ ପୁଲିସ କର୍ମଚାରୀ। ତାଙ୍କର ବ୍ୟକ୍ତିଗତ ରାଗ କଣ ? ଯଦି ପ୍ରି ପ୍ଲାନ୍ କରିଥିଲେ କେବେ ଓ କଣ ପାଇଁ କରିଥିଲେ ? ନିଜ କ୍ୟାରିୟର ଓ ପରିବାରକୁ ଜଳାଞ୍ଜଳି ଦେଇ କାହିଁକି ଏଭଳି କାମ କଲେ? ଏଭଳି ମାନସିକ ସ୍ଥିତିରେ ଦିବା ଲୋକରେ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଚାର୍ଜସିଟରେ ଦୁର୍ବଳ ଦେଖାଯାଇଛି। ଘଟଣାକୁ ଚପେଇବା ଉଦ୍ୟମରେ ଓଡ଼ିଶା ସରକାର ସଫଳ ହେଲା ପରି ଲାଗୁଛି। ରାଜ୍ୟବାସୀଙ୍କ ମନରେ ହତ୍ୟା ପଛରେ ଥିବା ସଂପୃକ୍ତିକୁ ନେଇ ପ୍ରଶ୍ନ ହୋଇ ରହିଗଲା। ଘଟଣାକୁ ଘଣ୍ଟ ଘୋଡ଼ାଇବାକୁ କ୍ରାଇମବ୍ରାଞ୍ଚକୁ ଯାଞ୍ଚ ଦାୟିତ୍ୱ ଦିଆଯାଇଥିଲା। ପ୍ରମାଣ ଅଭାବରୁ ଗୋପାଳ ଦାସଙ୍କୁ ଖସାଇବାକୁ ସଫଳ ହେବେ। ହତ୍ୟା ପଛରେ ବଡ଼ ଧରଣର ଷଡ଼ଯନ୍ତ୍ର ରହିଛି। ରାଜ୍ୟ ସରକାର ଖୁଲାସା କରନ୍ତୁ। ଭୟ କ’ଣ ପାଇଁ ଥିଲା ତାହାର ଉତ୍ତର ମଧ୍ୟ ସରକାର ଲୋକଙ୍କ ଆଗରେ ରଖନ୍ତୁ ବୋଲି ସେ କହିଛନ୍ତି।

Update Odisha

ଅପରପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ନବ ଦାସଙ୍କୁ କାହିଁକି ହତ୍ୟା କରାଗଲା ତାହାର ପର୍ଦ୍ଦାଫାଶ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କରିପାରିଲେ ନାହିଁ। ଗୃହ ବିଭାଗର ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିଛି। ଏତେ ବଡ଼ ବଡ଼ ପୁଲିସ ଅଧିକାରୀ ଅଛନ୍ତି। ତଥାପି ହତ୍ୟାର ଠିକ୍ କାରଣ ଖୋଜା ହୋଇପାରିଲା ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ତେବେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ରାଜ୍ୟସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଶ୍ରୀମତୀ ମଲ୍ଲିକ କହିଛନ୍ତି, କ୍ରାଇମବ୍ରାଞ୍ଚ ଯାହା କରିବ ନ୍ୟାୟ ସମସ୍ତଙ୍କୁ ମିଳିବ। ଯେଉଁମାନେ ଦୋଷୀ ସେମାନଙ୍କୁ ଦଣ୍ଡ ନିହାତି ମିଳିବ। ବିରୋଧୀ ସବୁବେଳେ ସମାଲୋଚନା କରିବେ। ସରକାର ତାଙ୍କ କାମ କରିବେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତ ବିଗିଡ଼ିନାହିଁ। ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ଗୁଜୁରାଟଠାରୁ ଭଲ ସ୍ଥିତିରେ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର