ରାଜନୀତିରେ ଫସିଲା ‘କାଳିଆ’

ଚାଷୀଙ୍କୁ କଳାକନା ବୁଲାଇଲା ପରେ ଏବେ କାଳିଆର ସାହାରା: ଧର୍ମେନ୍ଦ୍ର
ଚାଷୀଙ୍କୁ ଭୁଆଁ ବୁଲାଇବା ପାଇଁ ଯୋଜନା: ନିରଞ୍ଜନ
‘କାଳିଆ’ ଯୋଜନା ସମ୍ପୂର୍ଣ୍ଣ ବାସ୍ତବବାଦୀ: ଅର୍ଥ ମନ୍ତ୍ରୀ

ଭୁବନେଶ୍ବର : କୃଷକଙ୍କ ପାଇଁ ‘କାଳିଆ’ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ସରକାର ପୂରା ଦମ୍‌ରେ ଅଣ୍ଟା ଭିଡ଼ିଛନ୍ତି। ଅଧ୍ୟାଦେଶ ବଳରେ ‘ଓଡ଼ିଶା ଆକସ୍ମିକ ପାଣ୍ଠି’ର ଅର୍ଥ ବଢ଼ାଇ ସେଥିରୁ କାଳିଆ ଯୋଜନା ପାଇଁ ଖର୍ଚ୍ଚ କରିବେ। ଗତକାଲି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଲା ପରେ ତାହାକୁ ନେଇ ରାଜନୀତି ଜୋର୍‌ ଧରିଛି। କେନ୍ଦ୍ର ମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ରାଜ୍ୟ ଅର୍ଥ ମନ୍ତ୍ରୀ ବି ତାହାର ଜବାବ ରଖିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଚାଷୀଙ୍କୁ କଳାକନା ବୁଲାଇଥିବା ଲୋକମାନେ ଏବେ କାଳିଆର ସାହାରା ନେଉଛନ୍ତି। ଏ ସରକାରଙ୍କ ମନ ଭିତରେ କି ଯୋଜନାରେ ସ୍ପଷ୍ଟତା ନାହିଁ। ଓଡ଼ିଶାରେ ନିଜେ କରିବୁନି କି କାହାକୁ କରାଇଦେବୁନି, ଏହି ମାନସିକତାରେ ସରକାର ପହଞ୍ଚିଛନ୍ତି। କେବଳ ଭୋଟ୍ ହାତେଇବା ପାଇଁ ଏବେ ସୁଆଙ୍ଗ କରୁଛନ୍ତି। ବିଜେପି ଶାସିତ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ କୃଷି ଋଣ ଛାଡ଼ ହୋଇଛି। ଓଡ଼ିଶାରେ କୃଷକମାନଙ୍କୁ ନିଜ ଗୋଡ଼ରେ ଛିଡ଼ା କରିବା ପାଇଁ କୃଷି ଋଣ ଛାଡ଼ ବଳିଷ୍ଠ ପଦ‌େକ୍ଷପ ହେବ। ପ୍ରଧାନମନ୍ତ୍ରୀ ଜାତୀୟ ସ୍ତରର ସ୍ଥିତି ନେଇ କହୁଥିଲା ବେଳେ ଯେଉଁମାନେ ଏହାକୁ ପ୍ରସଙ୍ଗ କରୁଛନ୍ତି ସେମାନଙ୍କର ଏପରି କହିବାରେ ନୈତିକ ଅଧିକାର ନାହିଁ। ସେମାନେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କାଳିଆ ଯୋଜନା ପାଇଁ ବିଧାନସଭା ବସାଇ ଅତିରିକ୍ତ ବଜେଟ୍‌ର ବ୍ୟବସ୍ଥା କ’ଣ ପାଇଁ କଲେ ନାହିଁ ? ମନ ଭିତରେ ପାପ ଅଛି। ଚାଷୀମାନଙ୍କୁ ସହାୟତା କରିବା ସରକାରଙ୍କ ମୂଳ ଲକ୍ଷ୍ୟ ନୁହେଁ। ୧୦୦ ଟଙ୍କାର ବୋନସ୍ ଦେବେ ବୋଲି କହିଥିଲେ, ୧୦ ଲକ୍ଷ ହେକ୍ଟର ଜମିକୁ ଜଳ‌େସଚନ କରିବାର କଥା କହିଥିଲେ। ଏହି ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ଟ୍ରିପଲ୍‌ ତଲାକ ଉପରେ ବିଜେଡିର ମତକୁ ନେଇ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଲେ, ଏହା ନୀଳବର୍ଣ୍ଣ ଶୃଗାଳର ମତ। ଗୋଟିଏ ପଟେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କଥା କହୁଛନ୍ତି। ଅନ୍ୟ ପଟେ ମୁସଲମାନ ଭଉଣୀମାନଙ୍କ ଟ୍ରିପଲ୍‌ ତଲାକ ଯୋଗୁ ଜୀବନ ଖରାପ ହେଉଥିବା ବେଳେ ଏହି ବିଲ୍‌କୁ କାହିଁକି ବିରୋଧ କରୁଛନ୍ତି ? ଓଡ଼ିଶାର ୩/୪ ଆସନରେ ଭୋଟ୍‌ ହାତେଇବା ପାଇଁ ମୁସଲ୍‌ମାନ ମା’, ଭଉଣୀମାନଙ୍କ ପ୍ରତି ବିଜେଡି ଅନ୍ୟାୟ କରୁଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ‘କାଳିଆ’କୁ ସମାଲୋଚନା କରି କହିଛନ୍ତି, ଅଣ୍ଟିରେ ନ ଥାଇ ଧନ ପୁଅ ବାହା କରି ମନ। କାଳିଆକୁ ଉପାସରେ ରଖି ତାଙ୍କ ନାଁରେ ଚାଷୀଙ୍କୁ ପ୍ରତାରଣା କରୁଛନ୍ତି। ୧୮ ବର୍ଷ ତଳେ ରାଜ୍ୟର ଋଣ ଭାର ୧୮ ହଜାର କୋଟି ଟଙ୍କା ଥିଲା। ଏବେ ତାହା ଆସି ୯୨ ହଜାର କୋଟିରେ ପହଞ୍ଚିଲାଣି। ସରକାର କେବଳ ଚାଷୀଙ୍କୁ ଭୁଆଁ ବୁଲାଇବା ପାଇଁ କାଳିଆ ଯୋଜନା କରିଛନ୍ତି। ଏହି ଯୋଜନା ପାଇଁ ସରକାରଙ୍କ ପାଖରେ ପାଣ୍ଠି ନାହିଁ। ନିର୍ବାଚନକୁ ଆଖିରେ ରଖି ଏପରି ଉପରଠାଉରିଆ ଘୋଷଣା କରିଛନ୍ତି।

ବିରୋଧୀଙ୍କୁ ଜବାବ ଦେଇ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, କାଳିଆ ଯୋଜନା ସମ୍ପୂର୍ଣ୍ଣ ବାସ୍ତବବାଦୀ। ଯୋଜନାକୁ ନେଇ ବିରୋଧୀଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏଥିରେ ୩୬ ଲକ୍ଷ ଚାଷୀ ଉପକୃତ ହେବେ। ବିରୋଧୀ ସମାଲୋଚନା କରିବା ଆଳରେ ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ସମାଲୋଚନା କରି ଚା‌ଲିଛନ୍ତି। ଲୋକେ ସେମାନଙ୍କୁ ବହୁ ଦିନରୁ ଦୂ‌େରଇ ଦେଇଛନ୍ତି।

ସମ୍ବନ୍ଧିତ ଖବର