ରାଜଗାଙ୍ଗପୁର : ସୀମା ଟପିଲା ପ୍ରଦୂଷଣ, ଆନ୍ଦୋଳନ ପାଇଁ ୫ ପଞ୍ଚାୟତବାସୀ ସଜବାଜ

ରାଜଗାଙ୍ଗପୁର : ରାଜଗାଙ୍ଗପୁର ବ୍ଲକ୍‌ର ୫ଟି ପଞ୍ଚାୟତର ଲୋକେ ବାୟୁ ପ୍ରଦୂଷଣରେ ଅତିଷ୍ଠ ହେଲେଣି। ବାୟୁ ପ୍ରଦୂଷଣରେ ବର୍ତ୍ତମାନ ଲାଇଙ୍ଗ, କେଶ୍ରାମାଲ, ଢ଼େଲୁଆ, ପାନପୋଷ, ଚୁଙ୍ଗିମାଟି, ଝଗରପୁରର ଲୋକେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଯାହାଫଳରେ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି।

ରାଜଗାଙ୍ଗପୁର ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ୍‌ ୱେ’ ପାର୍ଶ୍ବରେ ୪ଟି ସ୍ପଞ୍ଜ୍‌ ଆଇରନ କାରଖାନା ରହିଛି। ୪ଟି ଯାକ କେଶ୍ରାମାଲ ଝଗରପୁର ଏବଂ ଲାଇଙ୍ଗ ପଞ୍ଚାୟତରରେ ଦୀର୍ଘ ୨୦-୨୫ବର୍ଷରୁ କାର୍ଯ୍ୟକରୁଛି। ସ୍ପଞ୍ଜ କାରଖାନାରେ ପ୍ରତିଦିନ କଳାଧୂଆଁ ବାହାରିବା ଦ୍ବାରା ରାସ୍ତାଘାଟ ଏବଂ ଅଂଚଳରେ ବାୟୁ ପ୍ରଦୂଷଣ ମାତ୍ର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ରାଜପଥ ଧାରରେ ଲାଗିଥିବା ଗଛଗୁଡ଼ିକରେ କଳା ଆସ୍ତରଣ ଯୋଗୁଁ ଗଛ ବଢ଼ି ପାରୁ ନଥିବା ପରିଲକ୍ଷିତ ହେଉଛି। ରାଜପଥରୁ କାରଖାନାକୁ ରାସ୍ତାର ଦୃଶ୍ୟକୁ ରାଜ୍ୟ ପ୍ରଦୂଷଣ ଏବଂ ପରିବେଶ ବିଭାଗ କିପରି ଦେଖି ପାରୁନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଦୂଷଣ ବିଭାଗର ନିୟମ ଅନୁଯାୟୀ କାରଖାନା ଭିତର ଏବଂ ବାହାର ରାସ୍ତାଗୁଡ଼ିକ କଂକ୍ରିଟ୍‌ ଢ଼ଳେଇ ହେବା ଉଚିତ। ମାତ୍ର ଅଧିକାଂଶ କାରଖାନା ନିୟମକୁ ଖୋଲା ଖୋଲି ଉଲଂଘନ କରିଥିବାରୁ ଅଂଚଳରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି।

ଅନ୍ୟ ପକ୍ଷରେ କାରଖାନାରେ ବାୟୁ ପ୍ରଦୂଷଣକୁ ଯାଞ୍ଚ କରିବା ପାଇଁ ଅନ୍‌ଲାଇନ୍‌ ମନିଟରିଂ ମେସିନ ଖଞ୍ଜା ହୋଇଛି। ତଥାପି କାରଖାନାର ୧୦୦/୨୦୦ ମିଟର ବାୟୁ ପରିଧିରେ କଳାଗୁଣ୍ଡ ଉଡୁଥିଲେ ମଧ୍ୟ ତାହା କିପରି ଧରା ପଡୁନାହିଁ ବୋଲି ପ୍ରଶ୍ନ ଉଠୁଛି। ରାଜପଥରୁ ମାତ୍ର ୧୦୦ ମିଟରରୁ କମ୍ ଦୂରରେ ଥିବା କାରଖାନାରୁ କଳାଗୁଣ୍ଡ ଆସି ଯାନବାହାନ ଚଳାଚଳରେ ଘୋର ଅସୁବିଧା ଦେଖା ଦେଉଛି। କାରଖାନାଗୁଡ଼ିକୁ ବାହାରୁଥିବା କଳାଗୁଣ୍ଡର ଅାସ୍ତରଣ କେଶ୍ରାମାଲ, ଝଗରପୁର, ଲାଇଙ୍ଗ, ବିଲେଇଗଡ଼, କାଂସବାହାଲ ଆର୍‌ଏସ୍‌ କଲୋନି, କାଂସବାହାଲ, ପାନପୋଷ, ଚୁଙ୍ଗିମାଟିର ଓ ମାଣ୍ଡିଆକୁଦରରେ ମାଟି ଓ ଗଛପତ୍ର ଉପରେ ସ୍ପଷ୍ଟ ଦେଖିବାକୁ ମିଳୁଛି। ଯାହାଫଳରେ‌ ଜମିରେ ଚାଷ କରିବା ମଧ୍ୟ ସମ୍ଭବପର ହେଉନାହିଁ। କଳାଗୁଣ୍ଡ ଜନବସତିରେ ପଡ଼ିବା ଦ୍ବାରା ପାନୀୟ ଜଳ ଦୂଷିତ ହେବା ସହିତ ଲୋକଙ୍କର ଶ୍ବାସପ୍ରଶ୍ବାସରେ ପ୍ରବେଶ କରି ବିଭିନ୍ନ ରୋଗର କାରଣ ସାଜୁଛି। ଏହି ସବୁ କାରଣରୁ କାରଖାନା ଉପରେ କଡ଼ା ପଦକ୍ଷେପ ଗ୍ରହଣ କରି ବାୟୁ ପ୍ରଦୂଷଣକୁ ବନ୍ଦ କରିବାକୁ ଅଂଚଳବାସୀ ଦାବି କରିଛନ୍ତି। ଯଦି ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରା ନଯାଏ ତେବେ ‌ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର