ସନ୍ତୋଷ ଟ୍ରଫି ଖେଳାଳିଙ୍କ ଦୟନୀୟସ୍ଥିତି: ମୂଲ ଲାଗି ଘର ଚଳାଉଛନ୍ତି ବିଜୟ

ବୟାଳିଶମୌଜା : କଟକ ସଦର ବ୍ଲକ୍ ୪୨ମୌଜା କଳପଡ଼ା ପଚାଂୟତ ଅନ୍ତର୍ଗତ ଦହିଗାଁ ଗ୍ରାମର ବିଜୟ କୁମାର ଦାସ (୩୪) ହେଉଛନ୍ତି ଜାତୀୟସ୍ତରୀୟ ଫୁଟବଲ୍‌ ଖେଳାଳି। ସନ୍ତୋଷ ଟ୍ରଫିରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିବା ଏହି ଖେଳାଳି ଏବେ ମୂଲଲାଗି ଘର ଚଳାଉଛନ୍ତି। ବିଜୟଙ୍କ ଘରେ ଶୋଭା ପାଉଥିବା ମାଳମାଳ ସାର୍ଟିଫିକେଟ୍, ଫୁଟବଲ୍‌ ଜର୍ସି, ପୁରସ୍କାର ଟ୍ରଫି ଏବେ ତାଙ୍କ ପାଇଁ ଅଲୋଡା ହୋଇଯାଇଛି।

ଖାନନଗର ମା’ମଙ୍ଗଳା କ୍ଲବ୍‌ର କୋଚ୍‌ ଜନାର୍ଦ୍ଦନ ଜେନା ଓ ଜ୍ଞାନ ସାର୍‌ଙ୍କ ପାଖରେ ଫୁଟବଲ୍‌ ଖେଳିବା ଆରମ୍ଭ କରିଥିବା ବିଜୟ ୨୦୦୮ ମସିହାରେ ଓଡ଼ିଶା ଦଳରେ ସୁଯୋଗ ପାଇ ସର୍ବଭାରତୀୟ ସନ୍ତୋଷ ଟ୍ରଫି ଖେଳି ଥିଲେ। ଜାତୀୟସ୍ତରର ଏହି ପ୍ରତିଯୋଗିତାରେ ବିଜୟଙ୍କ ଗୋଲ୍‌ରେ ଓଡ଼ିଶା ଦଳ ଏକ ମ୍ୟାଚ୍ ଜିତିଥିଲା। ପରେ ୨୦୧୩ରେ ମଧ୍ୟ ସନ୍ତୋଷଟ୍ରଫିରେ ସେ ଓଡ଼ିଶା ଦଳର ସଦସ୍ୟ ଥିଲେ।

୧୦ ଜଣ ସଦସ୍ୟଙ୍କୁ ନେଇ ବିଜୟଙ୍କ ପରିବାର। ବର୍ତ୍ତମାନ ସମୟରେ ତାଙ୍କର ପରିବାର ଚଳାଇବା କଷ୍ଟକର ହୋଇ ପଡିଥିବା ବେଳେ ସେ କିଛି ଜମି ଭାଗଚାଷ କରୁଥିବା ବେଳେ ଅନ୍ୟ ଜମିରେ ମୂଲଲାଗି ଦୁଃଖକଷ୍ଟରେ ଗୁଜୁରାଣ ମେଣ୍ଟାଉଛନ୍ତି। ରାଜ୍ୟସ୍ତରୀୟ ଜଣେ ଫୁଟବାଲ୍ ଖେଳାଳିଙ୍କ ଏଭଳି ଦୁର୍ଦ୍ଦଶାରେ ସରକାର ସହାୟତାର ହାତ ବଢାଇବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର