‘ମହିଳାଙ୍କ ଖବର ପରିବେଷଣ ସମୟରେ ସତର୍କତା ଜରୁରି’

ପୁରୀରେ ଲିଙ୍ଗଗତ ସମ୍ବେଦନଶୀଳତା କର୍ମଶାଳା

ପୁରୀ: ଅନେକ ସମୟରେ ଖବରରେ ଲିଙ୍ଗଗତ ବୈଷମ୍ୟତା ରହୁଥିବା ଅନୁଭବ ହୁଏ। ଏମିତିକି ଖବରରେ ମହିଳାଙ୍କ ସଂପର୍କିତ ଯେଉଁ ତଥ୍ୟ ଆମେ ଗୁପ୍ତ ରଖିବା କଥା ତାକୁ ମଧ୍ୟ ଗୁରୁତ୍ବ ଦେଉନଥାଉ। ଏହା କେବଳ ମହିଳାଙ୍କୁ ନୁହେଁ, ତାଙ୍କ ପରିବାର ଓ ପୂରା ସମାଜକୁ ପ୍ରଭାବିତ କରିଥାଏ। ନିନ୍ଦା ଓ ଅପବାଦ ପାଇଁ ସଂପୃକ୍ତ ମହିଳା ଆତ୍ମହତ୍ୟାର ବାଟ ବାଛିନିଏ। ଗୋଟିଏ ଛୋଟିଆ ଖବର ଜଣଙ୍କୁ ମୃତ୍ୟୁ ମୁହଁକୁ ଠେଲିଦିଏ। ସୁତରାଂ ମହିଳାଙ୍କ ସଂପର୍କରେ କୌଣସି ଖବର ପରିବେଷଣ ବେଳେ ସାମ୍ବାଦିକମାନେ ଅଧିକ ଯତ୍ନବାନ ହେବା ଉଚିତ। ବୁଧବାର ପୁରୀ ବଳିଆପଣ୍ଡାସ୍ଥିତ ଓମ୍ ଲିଜର୍‌ ରିସର୍ଟଠାରେ ‘ସମ୍ବାଦ’ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପପୁଲେସନ୍‌ ଫାଷ୍ଟ (ଲାଡଲି)’ର ମିଳିତ ଆନୁକୂଲ୍ୟରେ ‘ଖବର ପରିବେଷଣରେ ଲିଙ୍ଗଗତ ସମ୍ବେଦନଶୀଳତା’ ଶୀର୍ଷକ ଦୁଇଦିନିଆ କର୍ମଶାଳା ଉଦ୍‌ଘାଟନ ଅବସରରେ ବକ୍ତାମାନେ ଏଭଳି ମତବ୍ୟକ୍ତ କରିଛନ୍ତି। ‘ସମ୍ବାଦ’ ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଓଡ଼ିଶା ନାଗରିକ ସମାଜର ପ୍ରତିଷ୍ଠାତା ତଥା ବରିଷ୍ଠ ଉପଦେଷ୍ଟା ଡ. ଭଗବାନ ପ୍ରକାଶ, ‘ପପୁଲେସନ୍ ଫ‌ାଷ୍ଟ’ର ନିର୍ଦେଶିକା ଏ.ଏଲ. ସାରଦା ଓ ମଞ୍ଜୁଲ ଭରଦ୍ବାଜ ଅତିଥି ଭାବେ ଯୋଗ ଦେଇଥିଲେ। ‘ସମ୍ବାଦ’ର ମୁଖ୍ୟ ବାର୍ତା ମହାପ୍ରବନ୍ଧକ ଅରବିନ୍ଦ ଦାସ ଅତିଥି ପରିଚୟ ଓ ‘ସମ୍ବାଦ’ର ବରିଷ୍ଠ ସାମ୍ବାଦିକ ଅମିତାଭ ଚୌଧୁରୀ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଡ. ପ୍ରକାଶ କହିଥିଲେ, ଭାରତରେ ମହିଳା ହିଂସା ଦିନକୁ ଦିନ ବଢ଼ିଚାଲିଛି। ପ୍ରତି ଦୁଇ ମିନିଟରେ ମହିଳାଙ୍କୁ ନେଇ ହିଂସାକାଣ୍ଡ ଘଟୁଛି। ଏହାର ପ୍ରମୁଖ କାରଣ ସାଜିଛି ସୋସିଆଲ ମିଡିଆ। ସୋସିଆଲ ମିଡିଆ ଯୁବପିଢ଼ିଙ୍କୁ ଖରାପ ବାଟରେ ନେଉଛି। ଇଣ୍ଟରନେଟ୍‌କୁ ଖରାପ ବାଟରେ ବ୍ୟବହାର ଯୁବପିଢ଼ିଙ୍କ ମନରେ ମହିଳାଙ୍କ ପ୍ରତି ନକରାତ୍ମକ ଭାବନା ସୃଷ୍ଟି କରୁଛି। ଏ ଦିଗରେ ବିଚାର କରିବାର ସମୟ ଆସିଛି ବୋଲି ସେ ମତ ଦେଇଥିଲେ। ଖବର ପରିବେଷଣ ସଂପର୍କରେ ମତ ଦେଇ ସେ କହିଥିଲେ, ଜଣେ ସାମ୍ବାଦିକ ମହିଳାଙ୍କୁ ନେଇ‌ କୌଣସି ଖବର ପରିବେଷଣ ସମ‌ୟରେ ଅଧିକ ଯତ୍ନବାନ ରହିବା ଉଚିତ୍। ମହିଳାଙ୍କ ବ୍ୟକ୍ତିଗତ ଗୋପନୀୟତା ଯେମିତି ପ୍ରକାଶିତ ନ ହେବ ସେଥିପ୍ରତି ଦୃଷ୍ଟି ଦେବା ଉଚିତ୍। ଏହି ଅବସରରେ ସେ ଲିଙ୍ଗଗତ ସମ୍ବେଦନଶୀଳତା ସଂପର୍କରେ ୟୁନେସ୍କୋର ୧୦ ଟିକିଆ କୋଡ୍ ସଂପର୍କରେ କହିଥିଲେ।

‘ସମ୍ବାଦ’ର ସଂପାଦକ ଶ୍ରୀ ପଟ୍ଟନାୟକ କହିଥିଲେ, ଅନେକ ସମୟରେ ସାମ୍ବାଦିକଙ୍କ ଭିତରେ ଥିବା ଅହଂକାର ତାକୁ ଭୁଲ କରିବାକୁ ବାଧ୍ୟ କରିଥାଏ। ଆଗକୁ ଯିବାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ଏଣୁ ସାମ୍ବାଦିକମାନେ ପ୍ରଥମେ ଅହଂକାର ପରିତ୍ୟାଗ କରିବା ଉଚିତ। ପ୍ରତି ମୁହୂର୍ତ୍ତରେ ଜାଣିବାର ଜିଜ୍ଞାସା ରଖିବା ଉଚିତ। ପୂର୍ବାପେକ୍ଷା ମାନସିକତାରେ ଏବେ ଯଥେଷ୍ଟ ପରିବର୍ତନ ଆସିଛି। ମହିଳାମାନେ କର୍ମକ୍ଷେତ୍ରରେ ବଡ଼ ବଡ଼ କଂପାନିରେ କାମ କଲେଣି। ପୁରୁଷ ଓ ମହିଳାଙ୍କ ଭିତରେ ସମାନତା ଆଣିବାକୁ ହେଲେ ଉଭୟଙ୍କର ମାନସିକତାରେ ପରିବର୍ତନ ଆବଶ୍ୟକ। ଖବର ପରିବେଷଣ ସମୟରେ ଅଧିକ ସତର୍କତା ଅବଲମ୍ବନ ଜରୁରି। ପରେ ମଞ୍ଜୁଲ ଭରଦ୍ବାଜ ମହିଳା ଓ ପୁରୁଷଙ୍କ ମଧ୍ୟରେ ରହିଥିବା ବିଭେଦତା ସଂପର୍କରେ ବୁଝାଇଥିଲେ। ନିଜ ନିଜ ଭିତରେ ଦୂରତ୍ବ, ଭିନ୍ନ ଚିନ୍ତାଧାରା ଆମକୁ ଭୁଲ ବାଟରେ ନେଇ ଯାଉଥିବା ବେଳେ ମିଳିମିଶି ଚଳିଲେ ସମାଜରେ ଯେଉଁ କୁସଂସ୍କାର ସବୁ ରହିଛି ତାହା ଦୂର ହୋଇପାରିବ ବୋଲି ସେ କହିଥିଲେ। ପପୁଲେସନ୍ ଫାଷ୍ଟର ନିର୍ଦେଶିକା ଡ. ସାରଦା ମହିଳା ଓ ପୁରୁଷଙ୍କୁ ନେଇ ରହିଥିବା ମତପାର୍ଥକ୍ୟ ଉପରେ ଆଲୋଚନା କରି କହିଲେ, ପୁରୁଷ-ମହିଳା ମଧ୍ୟରେ ସମାନତା ଆଣିବାକୁ ହେଲେ ପ୍ରଥମେ ମାନସିକତାରେ ପରିବର୍ତନ ଆବଶ୍ୟକ। ଦ୍ବିତୀୟ ‌ପର୍ଯ୍ୟାୟରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପିକକ୍’ର ନିର୍ଦେଶିକା ଅନୁରାଧା ମହାନ୍ତି ଯୋଗ ଦେଇ ମହିଳା ହିଂସା ସଂପର୍କିତ ବିଭିନ୍ନ ଆଇନଗତ ଦିଗ ଉପରେ ଆଲୋଚନା କରିଥିଲେ। ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ଡ. ଜ୍ୟୋତି ପାଣିଗ୍ରାହୀ ମହିଳାଙ୍କ ସୁରକ୍ଷା ‌ପାଇଁ ରହିଥିବା ବିଭିନ୍ନ ସରକାରୀ ବିଧିବ୍ୟବସ୍ଥା ଓ ଅନୁଷ୍ଠାନ ସଂପର୍କରେ ଆଲୋଚନା କରିଥିଲେ। ଏହି ଦୁଇଦିନିଆ କର୍ମଶାଳାରେ ‘ସମ୍ବାଦ’ର ମାନବ ସମ୍ବଳ ଉପମହାପ୍ରବନ୍ଧକ ବୈଜୟନ୍ତୀ କର, ବାର୍ତା ଉପମହାପ୍ରବନ୍ଧକ ଭବାନୀ ଶଙ୍କର ତ୍ରିପାଠୀଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ୨୫ ଜଣ ସାମ୍ବାଦିକ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର