ଭିଟାମାଟିକୁ ଆସିବାକୁ ମିଳୁନି ଅନୁମତି : ମୁମ୍ବାଇରେ ପ୍ରବାସୀ ଓଡ଼ିଆଙ୍କ ବି‌କ୍ଷୋଭ

ଶେରଗଡ଼ : ସର୍ବାଧିକ ପଜିଟିଭ୍ ସଂଖ୍ୟାରେ ଦେଶରେ ପ୍ରଥମ ସ୍ଥାନରେ ଥିବା ମୁମ୍ବାଇରେ ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟ ପରୀକ୍ଷା ଓ ମେଡ଼ିକାଲ୍ ଟେଷ୍ଟ୍ ସହ ସ୍ଥାନୀୟ ଥାନାରୁ ମଞ୍ଜୁରୀ ପତ୍ର ମିଳିସାରିଥିଲେ ସେମାନଙ୍କୁ ଭିଟାମାଟିକୁ ଆସିବା ଲାଗି ଅନୁମତି ମିଳୁନି। ଫଳରେ, ଶେରଗଡ଼ ବ୍ଲକ୍ ସମେତ ଗଞ୍ଜାମ ଜିଲ୍ଲାର ୪୦ରୁ ଅଧିକ ପ୍ରବାସୀ ଓଡ଼ିଆ ଗତକାଲି ବିକ୍ଷୋଭ ପ୍ରଦର୍ଶନପୂର୍ବକ ସ୍ବରୋତ୍ତୋଳନ କରିଛନ୍ତି।

ସେମାନଙ୍କ ଅଭିଯୋଗ ହେଉଛି, ମୁମ୍ବାଇର ସାକିନାକା ଅଞ୍ଚଳରେ ଗତ ୪ ତାରିଖରେ ପାଖାପାଖି ୪୦ଜଣଙ୍କ ର୍ଥମାଲ୍ ସ୍କ୍ରିନିଂ ସହ ସମସ୍ତ ମେଡ଼ିକାଲ୍ ପରୀକ୍ଷା ହୋଇଥିଲା। ସବୁ କିଛି ଠିକ୍‌ଠାକ୍ ଥିବାରୁ ସେମାନେ ଟ୍ରେନ୍‌ରେ ବ୍ରହ୍ମପୁର ଆସିବା ପାଇଁ ସ୍ଥାନୀୟ ଥାନାରୁ ଅନୁମତି ଲୋଡ଼ିଥି‌ଲେ। ଥାନା ପକ୍ଷରୁ ମଞ୍ଜୁରୀ ପତ୍ର ତଥା ଟୋକନ୍ ମିଳିଥିଲେ ବି ପ୍ରଶାସନ ଏଥିପାଇଁ ଅନୁମତି ଦେଉନି। ଫଳରେ ବର୍ତ୍ତମାନ ପରିସ୍ଥିତିରେ ସେମାନେ ଭୋକଶୋଷରେ ଦିନ କାଟୁଛନ୍ତି। ୩ ମାସ ହେଲା କାମ ବନ୍ଦ ଯୋଗୁଁ ପାଖ‌ରେ ଆଉ ଟଙ୍କା ନାହିଁ। ସେପଟେ ବସ୍‌ରେ ଆସିବାକୁ ମୁଣ୍ଡ ପିଛା ୬୦୦୦ ଟଙ୍କା ଦରକାର ପଡ଼ୁଛି। ଏଭଳି ପରିସ୍ଥିତିରେ ଟ୍ରେନ୍ ସେମାନଙ୍କ ପାଇଁ ଏକ ମାତ୍ର ଭରସା ପାଲଟିଛି। ହେଲେ ଏଥିପାଇଁ ମହାରାଷ୍ଟ୍ର ସରକାର ନା ଅନୁମତି ଦେଉଛନ୍ତି, ନା ଓଡ଼ିଶା ସରକାର ସହଯୋଗର ହାତ ବଢ଼ାଉଛନ୍ତି। ବର୍ତ୍ତମାନ ଏଠାରେ ଖାଇବାକୁ ମିଳୁ ନଥିବାବେଳେ ପାଣିର ସଂକଟ ବି ଦେଖାଦେଲାଣି।

ଅନ୍ୟପକ୍ଷରେ, ସାକିନାକା ଅନ୍ଧେରି ଇଷ୍ଟ୍ ଇଲାକାରେ ହଜାର ହଜାର ସଂଖ୍ୟାରେ ଓଡ଼ିଆ ଏଭଳି ଦୁର୍ଦ୍ଦଶାନରେ ଫସି ରହିଛନ୍ତି। ଓଡ଼ିଶା ଏବଂ ମହାରାଷ୍ଟ୍ର ସରକାର ସେମାନଙ୍କୁ ବ୍ରହ୍ମପୁର ପଠାଇବା ଲାଗି ପଦକ୍ଷେପ ନେବାକୁ ବଳରାମ ପାଳ, ରାକେଶ ବେହେରା, ନାରାୟଣ ରଥ, ଭଗବାନ ରଥ, ଗିରିଧର ଜେନା, ସିଦ୍ଧାର୍ଥ ଜେନା, ପ୍ରହଲ୍ଲାଦ ଜେନା, ଜିତେନ୍ଦ୍ର ବେହେରା, କୈଳାସ ରଥ, ଗୋପାଳ ପାତ୍ର ଓ ବଳରାମ ସ୍ୱାଇଁଙ୍କ ସମେତ ବହୁ ପ୍ରବାସୀ ଯୁବକ ‘ସମ୍ବାଦ’କୁ ଫୋନ୍ ଯୋଗ‌େ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର