ଜଗତସିଂହପୁର : କରୋନା ଆଳରେ ବଳ ପାଉଛି ଦୁର୍ନୀତି, ଗୋଟିଏ ପରିବାରକୁ ମିଳିଛି ୩ ଘର, ପତି-ପତ୍ନୀ ବି ହାତେଇଛନ୍ତି

ଜଗତସିଂହପୁର/ଗାରୋଇ : ଜଗତ୍‌ସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଅନ୍ତର୍ଗତ ଓଷକଣା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଜାଲିଆତି ଚିତ୍ର ସାମ୍ନାକୁ ଆସିଛି। ଏହି ପଞ୍ଚାୟତରେ ପତିପତ୍ନୀ ଆବାସ ଯୋଜନାରେ ଘର ହାତେଇଥିବାବେଳେ ଗୋଟିଏ ପରିବାର ତିନିତିନିଟା ଘର ପାଇଛନ୍ତି। ଏହି ଦୁର୍ନୀତିକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ବ୍ଳକ୍‌ ପ୍ରଶାସନ ଏଯାବତ୍‌ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ଏପରିକି, ୩ ମାସ ତଳୁ ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କରୋନା କାମ ଆଳରେ ଏହାକୁ ବିଳମ୍ବିତ କରାଯାଇଛି। କାହା ଚାପରେ କି କାହା ସ୍ବାର୍ଥରେ ଏତେବଡ଼ ଦୁର୍ନୀତିକୁ ପ୍ରଶାସନ ଚପେଇ ଦେଇଛି ‌ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦୁର୍ନୀତିର ବହୁ ଉଦାହରଣ ଥିଲାବେଳେ ୧୯୯୭ ମସିହାରେ ଭଟଣା ଗାଁର ରଘୁ ମହାନ୍ତିଙ୍କୁ ଇନ୍ଦିରା ଆବାସ ଯୋଜନାରେ ଘର ମିଳିଥିବାବେଳେ ବର୍ତ୍ତମାନ ତାଙ୍କ ପତ୍ନୀ ଖୁଲଣା ମହାନ୍ତି ଆବାସ ଯୋଜନାରେ ଆଉ ଏକ ଘର ହାତେଇବା ଏହାର ଆଉ ଏକ ଘଟଣା। ସେହପରି ଯୋଗେନ୍ଦ୍ର କାଣ୍ତି, ପିତା-ସନାତନ କାଣ୍ତି ମଧ୍ୟ ୧୯୯୭ରେ ଇନ୍ଦିରା ଆବାସ ଯୋଜନାରେ ଘର ମିଳିଥିବାବେଳେ ପୁଣିଥରେ ଘର ହାତେଇଛନ୍ତି। ଭ୍ରମରି ଜେନା ସ୍ବାମୀ ଭାସ୍କର ଜେନା ୨୦୦୨ ମସିହାରେ ଓ ତାଙ୍କ ଶ୍ବଶୁର ଜନାର୍ଦ୍ଦନ ଜେନାଙ୍କୁ ୧୯୯୭ ମସିହାରେ ଇନ୍ଦିରା ଆବାସ ଯୋଜନାରେ ଘର ମିଳିଛି। ବର୍ତମାନ ପୁଣି ଏକ ଘର ହାତେଇଛନ୍ତି। ସେହିପରି ନମିତା ସ୍ବାଇଁ, ସ୍ବାମୀ- ଦିଲ୍ଲୀପ ସ୍ବାଇଁ ୨୦୦୨ ମସିହାରେ ଓ ବର୍ତମାନ ଘର ହାତେଇଛନ୍ତି। ଚଳିତବର୍ଷ ଆବାସ ଯୋଜନାରେ ଘର ପାଇବା ପାଇଁ ବହୁ ଅଯୋଗ୍ୟ ହିତାଧିକାରୀ ଯୋଗ୍ୟ ତାଲିକାରେ ସ୍ଥାନ ପାଇଛନ୍ତି ବୋଲି ସେହି ପଞ୍ଚାୟତର ଖୋଦ୍‌ ସମିତିସଭ୍ୟା ଜୟନ୍ତୀ ଭୋଇ ବିଡିଓଙ୍କ ନିକଟରେ ଏ ନେଇ ଅଭିଯୋଗ କଲା ପରେ ଜାଲିଆତି ପ୍ରଘଟ ହୋଇଛି। ସମିତିସଭ୍ୟାଙ୍କ ଅଭିଯୋଗ ଅନୁସାରେ ଆବାସ ଯୋଜନାରେ, ପଞ୍ଚାୟତ ଦ୍ବାରା ପ୍ରସ୍ତୁତ ହିତାଧିକାରୀ ତାଲିକାରେ ୮୩ ଜଣ ସମ୍ପୂର୍ଣ୍ଣ ଅଯୋଗ୍ୟ। ଏହାର ବିଧବଦ୍ଧ ତଦନ୍ତ କରାଗଲେ ବହୁ ଦୁର୍ନୀତି ସାମ୍ନାକୁ ଆସିବ।

ଗତ ମାର୍ଚ୍ଚ ୫ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ବଂଟନ କରାଯାଉଛି। ଏହି ତାଲିକାରେ ସାମିଲ ଏକାଧିକ ହିତାଧିକାରୀ ପୂର୍ବରୁ ଆବାସ ଯୋଜନରେ ଘର ‌ହାତେଇଛନ୍ତି। ପୁଣିଥରେ ଘର ପାଇବାକୁ ଯୋଗ୍ୟ ହୋଇଛନ୍ତି ନଚେତ ସେମାନଙ୍କ ପରିବାରର କାହାକୁ ଏଥିରେ ସାମିଲ କରାଇଛନ୍ତି। ଏଣୁ ବ୍ଲକ୍ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ତାଲିକାକୁ ପୁନଃ ଯାଞ୍ଚ କରାଯିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସମିତି ସଭ୍ୟା ବାଧ୍ୟ ହୋଇ ପଂଚାୟତବାସୀଙ୍କୁ ସାଥୀରେ ନେଇ ବ୍ଲକ୍ କାର୍ଯ୍ୟାଳୟ ସାମ୍ନାରେ ଅନଶନ କରିବେ ବୋଲି ଚିଠି ଲେଖି ବିଡିଓଙ୍କୁ ଜଣାଇବା ସହ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ମଧ୍ୟ ଅବଗତ କରିଥିଲେ। ପରେ ପ୍ରକଳ୍ପ ନିର୍ଦ୍ଦେଶକ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ଗତ ଫେବ୍ରୁଆରି ୨୯ ତାରିଖରୁ ଏହା ଉପରେ ତଦନ୍ତ କରି ରିପୋର୍ଟ ଦେବାପାଇଁ ବିଡିଓଙ୍କୁ ଚିଠି ଲେଖିଥିଲେ। ମାତ୍ର ଇତିମଧ୍ୟରେ ୩ ମାସ ବିତିଯାଇଥିଲେ ମଧ୍ୟ ତଦନ୍ତର କେଉଁ ଦିଗରେ ଗତି କରୁଛି, ତାହା ଜଣାପଡ଼ୁନାହିଁ। ଏ ନେଇ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ପଚାରିବାରୁ କରୋନା କାମର ବ୍ୟସ୍ତତା ଥିବାରୁ ତଦନ୍ତରେ ବିଳମ୍ବ ହୋଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର