ଗୋପାଳପୁର ବେଳାଭୂମି ମହୋତ୍ସବ: ତୃତୀୟ ରାଜନୀରେ ମନ ମୋହିଲା ପ୍ରଜ୍ଞା, ଶିଳ୍ପାଙ୍କ ସଂଗୀତ 

ଗୋପାଳପୁର: ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଲୋକକଳା ନୃତ୍ୟ ସମେତ ଷ୍ଟାର୍‌ ନାଇଟ୍‌ କାର୍ଯ୍ୟକ୍ରମର ମନଭରି ଉପଭୋଗ କରିଛନ୍ତି ଦର୍ଶକ। ଆଜିର ଷ୍ଟାର୍‌ ନାଇଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ପାଲଟିଥିଲେ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ଓ ଶିଳ୍ପା ରାଓ। ପ୍ରଜ୍ଞା ପ୍ରଥମ ଗୀତ ଓ ବେବି ଓ ବେବି…ରୁ ଆରମ୍ଭ କରି ତୋ’ ପାଇଁ ମୋ ଦିଲ୍‌ ଆସିକାନା.., ମୋତେ ତୁ ତୋ’ ମନରେ ଟୋପା ଟୋପା ମେଘ କରି ଦେ.., ରାମା ରାମ ଏଇ ଝିଅ ଟା’.., ଚିହ୍ନା ଚିହ୍ନା ଲାଗେ ମୁହଁ ଟା’ ଭଳି ବିଭିନ୍ନ ଗୀତ ଗାଇ ଦର୍ଶକଙ୍କ ମନୋରଂଜନ କରିଥିଲେ। ସେହିପରି ଅନ୍ୟତମ କଣ୍ଠଶିଳ୍ପୀ ଶିଳ୍ପା କେସେ ଜିଆ ଯାଏ.., ମୋଲା ମେରେ ମୋଲା.., ତେରେ ହୱାଲେ କରଦିଆ ଭଳି ବିଭିନ୍ନ ହିନ୍ଦୀ ଗୀତ ଗାଇ ଦର୍ଶକଙ୍କ ମନ ମୋହିଥିଲେ।


ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସଭାପତିତ୍ବରେ ଆୟୋଜିତ ତୃତୀୟ ସନ୍ଧ୍ୟାରେ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଏଥିପାଇଁ ଯେଉଁମାନଙ୍କ ଅକ୍ଳାନ୍ତ ପରିଶ୍ରମ ରହିଛି, ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ସେହିପରି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି କହିଥିଲେ। ସନ୍ଧ୍ୟାରେ ବ୍ରହ୍ମପୁରର ଆରାଧ୍ୟା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିଭଳି ଗୁରୁ କେଳୁ ଚରଣ କଳା ତୀର୍ଥ କଳାକେନ୍ଦ୍ର, ନାଟରାଜ ଡ୍ୟାନ୍ସ ଗ୍ରୁପ, ନୃତ୍ୟସୀ ଏକାଡେମୀ, ଲିସମ୍‌ ଡ୍ୟାନ୍ସ ଷ୍ଟୁଡ଼ିଓ, ମୀନା କଲଚୁରାଲ୍‌ ଆର୍ଟିଷ୍ଟ, ଓଡ଼ିଶୀ ନୃତ୍ୟାୟନ, ଟ୍ୱିଙ୍କିଲ୍‌ ଫେସନ୍‌ ଏକାଡେମି, ରକଷ୍ଟାର୍‌ ଡ୍ୟାନ୍ସ ଏକାଡେମି, ବ୍ରହ୍ମପୁର ସ୍କେଟିଂ ଏକାଡେମି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସେହିପରି କୋରାପୁଟର ଢେମସା, ପୁରୀର ସାହି ଯାତ୍ରା ମେଢ଼ ନାଚ, ବଲାଙ୍ଗୀରର ଜୟ ମା ଦୁର୍ଗା କଳା ପରିଷଦର ଘୁଡକୀ ନୃତ୍ୟ, କଟକ ଚୌଦ୍ବାର ସଂଗୀତ କଳା ସଂସଦ ପକ୍ଷରୁ ଘୋଡ଼ା ନାଚ ପରିବେଷଣ କରାଯାଇଥିଲା। ଗତକାଲି ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ବଲିଉଡ଼ର ଜଣାଶୁଣା କଣ୍ଠଶିଳ୍ପୀ ଯୋଡ଼ି ସଚିତ-ପରମ୍ପରାଙ୍କ କଣ୍ଠର ଯାଦୁରେ ଦର୍ଶକ ନାଚି ଉଠିଥିଲେ। ସେହିଭଳି କଣ୍ଠଶିଳ୍ପୀ ସ୍ବୟଂ ଓ ଦୀପ୍ତିରେଖାଙ୍କ ଦ୍ବାରା ପରିବେଷିତ ସଂଗୀତ ଶୀତୁଆ ସନ୍ଧ୍ୟାକୁ ଉତ୍ସବମୁଖର କରିଥିଲା। ସେହିପରି ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ ତରଫରୁ ଦମଦାର ନୃତ୍ୟ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର