ନାବାଳିକା ପୀଡ଼ିତାଙ୍କ ଗର୍ଭଧାରଣ ମାମଲା: ଗର୍ଭପାତ ପାଇଁ ହାଇକୋର୍ଟଙ୍କ ଅନୁମତି

ମେଡିକାଲ ବୋର୍ଡକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

କଟକ: ଅନିଚ୍ଛା ସତ୍ତ୍ବେ ଗର୍ଭବତୀ ହୋଇଥିବା ନାବାଳିକାଙ୍କ ଗର୍ଭପାତ (ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗେନାନ୍ସି) ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ପୀଡ଼ିତାଙ୍କ ଗର୍ଭସ୍ଥ ଭ୍ରୂଣ ୨୦ ସପ୍ତାହରୁ ଅଧିକ ହୋଇଥିଲେ ମଧ୍ୟ ହାଇକୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି। ହାଇକୋର୍ଟଙ୍କ ଏ ସଂପର୍କିତ ରାୟରେ ଉଲ୍ଲେଖ କରାଯାଇଛି ଯେ ପୀଡ଼ିତାଙ୍କ ସ୍ବାସ୍ଥ୍ୟପରୀକ୍ଷା ପାଇଁ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମ୍‌ଇଟି)ଙ୍କ ଅଧ୍ୟକ୍ଷତାରେ ଗଠିତ ମେଡିକାଲ ବୋର୍ଡ ଗର୍ଭପାତ ପ୍ରସଂଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ। ଯଦି ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ନଥିବ, ତେବେ ତାଙ୍କ ଗର୍ଭପାତ କରାଯିବ। ଏସ୍‌ସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ଡାକ୍ତର ତୁଷାର କରଙ୍କ ତତ୍ତ୍ବାବଧାନରେ ପୀଡିତାଙ୍କ ଗର୍ଭପାତ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଯଦି ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଜଣାପଡେ ତେବେ ଏହି ପ୍ରକ୍ରିୟା ବାତିଲ କରିବା ପାଇଁ ବୋର୍ଡର କ୍ଷମତା ରହିବ। ଏହି ପ୍ରକ୍ରିୟା ପୂର୍ବରୁ ପୀଡ଼ିତା ଗର୍ଭଧାରଣ ପାଇଁ ଆଗ୍ରହୀ ନୁହେଁ ଓ ଗର୍ଭପାତ ପାଇଁ ତାଙ୍କର ଅନୁମତି ରହିଛି ବୋଲି ମେଡିକାଲ ବୋର୍ଡ ଏକ ଘୋଷଣାପତ୍ର ପୀଡ଼ିତାଙ୍କ ନିକଟରୁ ରଖିବେ। ପୀଡିତାଙ୍କ ଅଭିଭାବକଙ୍କ ନିକଟରୁ ମଧ୍ୟ ଏଭଳି ଘୋଷଣାନାମା ରଖାଯିବ। ପୀଡିତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଏସସିବି ମେଡିକାଲରେ ପହଞ୍ଚାଇବା ପାଇଁ ଭୁବନେଶ୍ବର ଡିସିପି ଓ ସ୍ଥାନୀୟ ଥାନା ଅଧିକାରୀ ସମସ୍ତ ବ୍ୟବସ୍ଥା କରିବେ। ପୀଡିତାଙ୍କ ଗର୍ଭରେ ଥିବା ଭ୍ରୁଣର ଡିଏନଏ ନମୁନା ସଂରକ୍ଷିତ କରି ରଖାଯିବ। ଏହା ପୀଡ଼ିତାଙ୍କ ସହିତ ‌ଘଟିଥିବା ଅପରାଧର ତଦନ୍ତ ଓ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଆବଶ୍ୟକ ହୋଇପାରେ ବୋଲି ହାଇକୋର୍ଟ କହିଛନ୍ତି। କେତେକ କାରଣ ଯୋଗୁଁ ପୀଡ଼ିତାଙ୍କ ଗର୍ଭପାତ ପାଇଁ ଅନୁମତି ପ୍ରଦାନ କରାଯାଇଛି ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ନାବାଳିକା ପୀଡ଼ିତାଙ୍କ ସହିତ ହୋଇଥିବା ଦୁଷ୍କର୍ମ ଯୋଗୁଁ ଗର୍ଭବତୀ ହୋଇଥିଲେ ଓ ଏ ନେଇ ସିଆରପିସିର ଧାରା ୧୬୪ରେ ଦେଇଥିବା ବୟାନରେ ସେ କହିଥିଲେ।

ଡିସେମ୍ବର ୧୧‌ରେ ଅନୁଷ୍ଠିତ ସ୍ବାସ୍ଥ୍ୟ ପରୀକ୍ଷାରେ ପୀଡ଼ିତାଙ୍କ ଗର୍ଭରେ ଥିବା ଭ୍ରୂଣ ୨୧ ସପ୍ତାହରୁ ଅଧିକ ବୋଲି ଜଣା ପଡ଼ିବାରୁ ମେଡିକାଲ ବୋର୍ଡ ଗର୍ଭପାତ ସପକ୍ଷରେ ମତ ଦେଇ ନଥିଲେ। ଏହି ସବୁ ପ୍ରସଂଗକୁ ବିଚାରକୁ ନେଇ ହାଇକୋର୍ଟ ପୀଡିତାଙ୍କ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି। ଜଷ୍ଟିସ ଏସ.କେ. ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ପୀଡ଼ିତା ଅନିଚ୍ଛା ସତ୍ବେ ଗର୍ଭବତୀ ହୋଇଥିବାବେଳେ ଗର୍ଭପାତ ପାଇଁ ଅନୁମତି ଲୋଡ଼ି ହାଇକୋର୍ଟରେ ଆବେଦନ କରାଯାଇଥିଲା। ଡିସେମ୍ବର ୭ରେ ଖଣ୍ଡପୀଠ ମାମଲାର ଶୁଣାଣି କରି ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରି ରିପୋର୍ଟ ଦାଖଲ ପାଇଁ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଦାଖଲ କରିଥିବା ରିପୋର୍ଟରୁ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ପଷ୍ଟ ହୋଇ ନଥିବାରୁ ହାଇକୋର୍ଟ ଡିଏମ୍‌ଇଟିଙ୍କୁ ନେଇ ଗଠିତ କମିଟିକୁ ଏହି ପ୍ରସଂଗରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର