ନକଲି ଚାକିରି ରାକେଟ୍‌ର ଜାଲ: ହାତ ଟେକି ଦେଇଛି ପୁଲିସ, ଜାରି ହେବ କି ଆଡଭାଇଜରି?

ସାରା ରାଜ୍ୟରେ ସକ୍ରିୟ, କାମରେ ଆସୁନି ସ୍ବତନ୍ତ୍ର ୱିଙ୍ଗ

ଭୁବନେଶ୍ବର: ମାତିଛନ୍ତି ଜାଲ୍ ନିଯୁକ୍ତି ରୢାକେଟ୍। ନକଲି ଚାକିରି ଜାଲ ବିଛାଇ ବେକାର ଯୁବକଯୁବତୀଙ୍କୁ ଟାର୍ଗେଟ୍ କରୁଛନ୍ତି। ନିଯୁକ୍ତି ଆଶା ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି। ଲକଡାଉନ୍ ପରଠୁ ରୢା‌କେଟ ଅଧିକ ସକ୍ରିୟ ହୋଇ ଉଠିଛି। ଚାକିରି ହରାଇଥିବା ତଥା ବେକାର ଯୁବକଯୁବତୀଙ୍କୁ ଟାର୍ଗେଟ୍ କରି ଲୁଟି ଚାଲିଛନ୍ତି ଠକ। ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା ପଦାକୁ ଆସିବା ପରେ ସାରା ରାଜ୍ୟରେ ଏମିତି ରୢାକେଟ ଚାଲିଥିବା ଜଣାପଡ଼ିଛି।

ଲକଡାଉନ୍‌ରେ ଜାଲ୍‌ ଚାକିରି ଜାଲ ବିଛାଇଥିଲେ ଆକାଶ ପାଠକ। ଠକେଇର ଅନ୍ୟତମ ମାଷ୍ଟରମାଇଣ୍ଡ ଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ପୂରା ଠକେଇ ଘଟଣା ପଦାକୁ ଆସିଛି। ଆକାଶ ଓ ପ୍ରଦୀପଙ୍କୁ ରିମାଣ୍ଡରେ ନେଇ ମୁହାଁମୁହିଁ ଜେରା କରିବା ପରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବହୁ ଦସ୍ତାବିଜ୍। ପୁନେରେ ଟାଟା ମୋଟର୍ସ ନାଁରେ ଅଫିସ ଖୋଲି ନିଜକୁ ନକଲି ଏମଡି ସଜାଇଥିଲେ ଆକାଶ। ଠକେଇର ଶିକାର ହୋଇଥିଲେ ଗୋପାଳପୁର ଓ ବ୍ରହ୍ମପୁରର ବେକାର ଯୁବକଯୁବତୀ। ମାଧ୍ୟମ ସାଜିଥିଲେ ପ୍ରଦୀପ ଓ ତାଙ୍କ ଘନିଷ୍ଠ ସହଯୋଗୀ। କିନ୍ତୁ ଲକଡାଉନ୍‌ରେ ଏହି ଘଟଣା ନୂଆ ନ ଥିଲା। ସିଙ୍ଗାପୁର, ଜର୍ମାନୀ, ଦୁବାଇ, ନାଇଜେରିଆରେ ଚାକିରି ଦେବା ନାଁରେ ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ମାମଲା ଘଟିଥିଲା ରାଜଧାନୀରେ। ଗତ ନଭେମ୍ବର ୨୪ ତାରିଖରେ ସୁନ୍ଦରପଦା ସୃଷ୍ଟି ପ୍ଲାଜାରେ ରହୁଥିବା ଜଟଣୀ ଗଜପତିନଗରର ମହମ୍ମଦ ଅନସାରିକୁ ଗିରଫ କରିଥିଲା ଏୟାରଫିଲ୍ଡ ଥାନା ପୁଲିସ। ସେହିପରି ଏମ୍‌ସରେ ନର୍ସିଂ ଚାକିରି କରାଇ ଦେବା ନାଁରେ ବେକାର ଯୁବତୀଙ୍କଠାରୁ ଠକେଇ କରିବା ମାମଲାରେ ଗତ ଜୁଲାଇ ୨୬ ତାରିଖରେ ଦୁଇ ଜଣ ନର୍ସଙ୍କୁ ଗିରଫ କରିଥିଲା ଏୟାରଫିଲ୍ଡ ଥାନା ପୁଲିସ। ଅନ୍ୟ ଏକ ଘଟଣାକ୍ରମରେ ବିଏମସିରେ ଚାକିରି କରାଇ ଦେବା ନାଁରେ ୫ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ନୟାଗଡ଼ ପୁଲିସ ମୁଖ୍ୟ ଅଭିଯୁକ୍ତ ଅଭିଜିତ ପ୍ରଧାନ ସମେତ ତିନି ଜଣଙ୍କୁ ଗିରଫ କରିଥିଲା। ଠକେଇ ସଂକ୍ରାନ୍ତରେ ଜଣାପଡ଼ିବା ପରେ ନିକଟରେ ଏକ ସିମେଣ୍ଟ କମ୍ପାନି ପକ୍ଷରୁ ବିଜ୍ଞାପନ ମଧ୍ୟ ଦିଆଯାଇଛି। ତାଙ୍କ କମ୍ପାନି ନାମକୁ କେହି ଜାଲ୍ କରି ଚାକିରି ନାଁରେ ଠକେଇ କରୁଥିବା ବିଜ୍ଞାପନରେ ଉଲ୍ଲେଖ ରହିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି ଯେ, ଜାଲ୍ ନିଯୁକ୍ତି ରୢାକେଟ୍ ସକ୍ରିୟ ରହିଛି।

ମିଳିଥିବା ସୂଚନା ଅନୁସାରେ, ଲକଡାଉନ୍ ସମୟରେ ରାଜ୍ୟରେ ୧୪ଟି ଜାଲ ଚାକିରି ରୢାକେଟ୍ ଠାବ ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୧୬ରେ ପୂର୍ବତଟ ରେଳପଥରେ ଚାକିରି ନାଁରେ ବଡଧରଣର ଠକେଇ ରୢାକେଟକୁ ଠାବ କରିଥିଲା କମିସନରେଟ ପୁଲିସ। ଏହି ମାମଲାରେ ୮ରୁ ଅଧିକ ଅଭିଯୁକ୍ତ ଗିରଫ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ ସୁପାରିସ କରାଯାଇଥିଲା। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ, ୨୦୧୯ରେ ୧୭ ଜଣ ବେକାରୀ ଆତ୍ମହତ୍ୟା କରିଥିଲେ। ୨୦୧୮ରେ ଏହାର ଦୁଇଗୁଣା ବେକାରୀ ଅର୍ଥାତ୍ ୩୪ ଜଣ ଆତ୍ମହତ୍ୟା କରିଥିବା ରିପୋର୍ଟ ହୋଇଥିଲା। ରୋଜଗାର ହରାଇ ଲକଡାଉନ୍ ସମୟରେ ମଧ୍ୟ କେତେକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

କେବଳ ଏହି କେତେକ ଘଟଣା ନୁହେଁ ସାରା ରାଜ୍ୟରେ ସକ୍ରିୟ ହୋଇ ଉଠିଛନ୍ତି ଜାଲ ଚାକିରି ରୢାକେଟ୍। ଡିଗ୍ରିଧାରୀ ବେକାର ଯୁବକଯୁବତୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଲକଡାଉନ୍‌ରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଅନେକଙ୍କୁ ଚାକିରି ହରାଇବାକୁ ପଡ଼ିଛି। ଏହି ସୁଯୋଗର ଫାଇଦା ଉଠାଇବାକୁ ଠକ ତିଆରି କରିଛନ୍ତି ଜାଲ୍ ରୢାକେଟ୍। ଜାଲ ଅଫିସ ମଧ୍ୟ ଖୋଲୁଛନ୍ତି। ଅନଲାଇନ୍ ଏବଂ ଅଫଲାଇନରେ ଲୋଭନୀୟ ଚାକିରି ବିଜ୍ଞାପନ ଦେଇ ଜାଲରେ ଫସାଉଛନ୍ତି ଠକ। ଯିଏ ଜାଲରେ ପଡ଼ିଲା ତାକୁ ଲକ୍ଷାଧିକ ଟଙ୍କାର ଚୂନ ଲଗାଉଛନ୍ତି। ମିଳିଥିବା ସୂଚନା ଅନୁସାରେ, ସାରା ରାଜ୍ୟରେ ଲକଡାଉନ୍‌ ଭିତରେ ଚାକିରି ନାଁରେ ପ୍ରାୟ ୫୦ରୁ ଅଧିକ ଠକେଇ ଅଭିଯୋଗ ଆସିଛି। ସର୍ବାଧିକ ଭୁବନେଶ୍ବରରେ ହୋଇଥିବା ଜଣାପଡିଛି। ଏବେ ବି ରାଜଧାନୀ ସମେତ ବିଭିନ୍ନ ଅଞ୍ଚଳରେ ଏକାଧିକ ଜାଲ ଠକେଇ ରାକେଟ୍ ସକ୍ରିୟ ରହିଛି। ବେକାର ଯୁବକଯୁବତୀଙ୍କୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କା ଲୁଟୁଛନ୍ତି।

କାମରେ ଆସୁନି ସ୍ବତନ୍ତ୍ର ୱିଙ୍ଗ
କ୍ରାଇମବ୍ରାଞ୍ଚ ସମେତ ଏହାର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଏବଂ ସ୍ପେସାଲ ଟାସ୍କ ଫୋର୍ସ(ଏସଟିଏଫ୍) ସ୍ବତନ୍ତ୍ର ୱିଙ୍ଗ ରହିଛି। ନିଶା କାରବାର ଠାରୁ ଆରମ୍ଭ କରି ସମସ୍ତ କଳା କାରବାରର ପର୍ଦ୍ଦାଫାସ୍ କରିବା ପାଇଁ ଏସଟିଏଫ୍ ସ୍ବତନ୍ତ୍ର ଭାବେ ରହିଛି। କିନ୍ତୁ ଏଯାବତ୍ ଗୋଟିଏ ବି ଜାଲ ଚାକିରି ରୢାକେଟର ଟେର୍ ପାଇପାରି ନାହାନ୍ତି। ବ୍ରାଉନସୁଗାର, ବନ୍ୟଜନ୍ତୁ ଶିକାରୀ, ଚୋରା କିରୋସିନ୍ ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବା ଏସଟିଏଫ୍ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଫେଲ୍ ମାରିଛି। କାହିଁକି ଏହି ଠକ ରୢାକେଟ୍‌ର ସନ୍ଧାନ ପାଇପାରୁ ନାହିଁ ତାକୁ ନେଇ ଏସଟିଏଫ୍ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଠକେଇ ରୢାକେଟ ସକ୍ରିୟ ଥିବା ବେଳେ ଜନସାଧାରଣଙ୍କ ପାଇଁ କୌଣସି ଆଡଭାଇଜରି ମଧ୍ୟ ଜାରି କରାଯାଉ ନାହିଁ। ବିଦେଶ ସର୍ଭର ଜରିଆରେ ଅନଲାଇନରେ ଜାଲ୍ ଚାକିରି ବିଜ୍ଞାପନରେ ଠକେଇ ଘଟଣା ସାମ୍ନାକୁ ଆସିବା ପରେ ସବୁ ଜିଲ୍ଲା ଏସପିଙ୍କୁ ସତର୍କତା ଜାରି କରି କ୍ରାଇମବ୍ରାଞ୍ଚ ତା’ର କାମ ସାରି ଦେଇଛି। କିନ୍ତୁ ଛତୁ ଫୁଟିଲା ଭଳି ଖୋଲିଥିବା ନକଲି ପ୍ଲେସମେଣ୍ଟ ଏଜେନ୍ସିକୁ ସ୍ଥାନୀୟ ପୁଲିସ ମଧ୍ୟ ଠାବ କରିପାରୁ ନାହିଁ। କେତେକ ଥାନାରେ ଅଭିଯୋଗ ପହଞ୍ଚୁଥିଲେ ମଧ୍ୟ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।

କେମିତି ଲୁଟୁଛନ୍ତି ଠକ?
ବିଭିନ୍ନ ସହରରେ ଠକମାନେ ପ୍ରଥମେ ଅଫିସ୍ ଖୋଲୁଛନ୍ତି। ଏହା ପରେ ଚାକିରି ନାଁରେ ଅଫିସ ଆଗରେ ହୋର୍ଡିଂ ଲଗାଉଛନ୍ତି। ଅନଲାଇନରେ ବିଜ୍ଞାପନ ଦେଉଛନ୍ତି। ବେକାର ଯୁବକଯୁବତୀମାନେ ଆବେଦନ କରୁଛନ୍ତି। ନକଲି ସାକ୍ଷାତକାର ମଧ୍ୟ ନିଆଯାଉଛି। ଦରମା ମଧ୍ୟ ଚୂଡ଼ାନ୍ତ କରାଯାଉଛି। ଏ ବାବଦରେ ଅର୍ଥ ଆଦାୟ କରାଯାଉଛି। ସେହିପରି ଚାକିରି ଆବେଦନ କରୁଥିବା ପ୍ରାର୍ଥୀମାନଙ୍କଠାରୁ ରେଜିଷ୍ଟ୍ରେସନ୍ ଫି’ ବାବଦରେ ଅଳ୍ପ କିଛି ଟଙ୍କା ଆଦାୟ କରାଯାଉଛି। ଶହ ଶହ ପ୍ରାର୍ଥୀଙ୍କ ଠାରୁ ଏଭଳି ଲକ୍ଷାଧିକ ଟଙ୍କା ଆଦାୟ କରି ପରବର୍ତ୍ତୀ ସମୟରେ ଅଫିସ ଭାଙ୍ଗି ପଳାଉଛନ୍ତି ଠକ।

‘ଜମ୍‌ତରା’ ଗ୍ୟାଙ୍ଗ ଦେଉଛି ନିଯୁକ୍ତି
ଝାଡ଼ଖଣ୍ଡର ‘ଜମ୍‌ତରା’ ଗ୍ୟାଙ୍ଗ ବି ଓଡ଼ିଶାରେ ନିଯୁକ୍ତି ଦେଉଛି। ଜମ୍‌ତରା ନିଜ ଗ୍ୟାଙ୍ଗର ଜାଲ ଚାରିଆଡେ ବିଛାଇବାକୁ ଲକ୍ଷ୍ୟ ରଖିଛି। ସେମାନେ ବେକାର ଯୁବକ ଯୁବତୀ ଏବଂ ଆଇଟି ଇଞ୍ଜିନିୟରଙ୍କୁ ଟାର୍ଗେଟ୍ କରିଛନ୍ତି। ଯେମିତି ଭୁବନେଶ୍ବରରେ ଏକ ଜଣାଶୁଣା ମଦ ଦୋକାନ ଓ ରେସ୍ତୋରାଁ ନାଁରେ ଫେସବୁକରେ ବିଜ୍ଞାପନ ଦିଆଯାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ ଘଟଣାରେ ଜମ୍‌ତରା ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି। କାରଣ ଭୁବନେଶ୍ବରରେ ସେମାନଙ୍କ ଗ୍ୟାଙ୍ଗରେ କାମ କରୁଥିବା ବ୍ୟକ୍ତି ଏ ସମ୍ପର୍କରେ ସୂଚନା ଦେଇଥାଇ ପାରନ୍ତି ବୋଲି ଜଣେ ସାଇବର ବିଶେଷଜ୍ଞ କହିଛନ୍ତି। ସେହିପରି ପୁଲିସ କମିସନର, ଗୁଇନ୍ଦା ଡିଆଇଜି, ବରିଷ୍ଠ ଅଧିକାରୀ, ସେଲିବ୍ରିଟିଙ୍କ ଆକାଉଣ୍ଟ ହ୍ୟାକ୍ ଓ ନକଲ ପଛରେ ମଧ୍ୟ ସେମାନଙ୍କ ହାତ ଥାଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର