ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ପାଇଁ ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ

ସପ୍ତାହରେ ୫ଦିନ ହେବ ଟିକାକରଣ
ଆଜି ଶେଷ ହେବ ପ୍ରଥମ ଡୋଜ୍ ଟିକାକରଣ ଅବଧି

ଭୁବନେଶ୍ବର : ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କ ପରେ ଏବେ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହେବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯିବା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। କିଭଳି ଢଙ୍ଗରେ ଟିକାକରଣ କରାଯିବ, ତାହାର ଏକ ପ୍ଲାନିଂ ପ୍ରସ୍ତୁତ କରିବା ଲାଗି ସବୁ ଜିଲ୍ଲାପାଳ ଓ ୫ମହାନଗର ନିଗମକୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ମାର୍ଚ ମାସରେ ବୟସ୍କ (୬୦ ବର୍ଷରୁ ଅଧିକ) ଓ ଜଟିଳ ବା କୋ-ମର୍ବିଡ୍‌ ଥିବା ଲୋକଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର କେ‌ଉଁ ତାରିଖରୁ ଆରମ୍ଭ ହେବ, ତାହା ରାଜ୍ୟ ସରକାର ସ୍ପଷ୍ଟ କରିନାହାନ୍ତି। ତେଣୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ସ୍ବାସ୍ଥ୍ୟ ଓ ୱେଲନେସ୍‌ କେନ୍ଦ୍ର ଓ ସବ୍-ସେଣ୍ଟରଗୁଡ଼ିକ ଏଥିପାଇଁ ପ୍ରସ୍ତୁତ କରିବା ଲାଗି କୁହାଯାଇଛି। ରବିବାର ବାଦ୍ ସପ୍ତାହରେ ୫ଦିନ ଟିକାକରଣ କରାଯିବ। ବିକଳ୍ପ ଭ୍ୟାକ୍ସିନେଟରଙ୍କୁ ଚିହ୍ନଟ, ପ୍ରତି ବ୍ଲକ୍‌/ସହରାଞ୍ଚଳରେ ୬-୭‌ ଭ୍ରାମ୍ୟମାଣ ଟିକାକରଣ ଟିମ୍ ଗଠନ କରାଯିବା ସହ ଉପଯୁକ୍ତ ପ୍ଲାନିଂ ସହିତ ଟିକାକରଣ ଅଧିବେଶନ ଆୟୋଜନ କରିବାକୁ କୁହାଯାଇଛି। ପିଏଚ୍‌ସି, ସିଏଚ୍‌ସି ଓ ମେଡିକାଲ କଲେଜକୁ ମଧ୍ୟ ଟିକାକରଣ କେନ୍ଦ୍ର ଭାବେ ଚିହ୍ନଟ କରିବା ସହିତ ବ୍ଲକସ୍ତରରେ ଟିକା, ଟିକା ଅଧିବେଶନ, ଲଜିଷ୍ଟିକ୍ ଓ ଟିକାକରଣ ଟିମ୍‌ର ଗମନାଗମନର ପ୍ଲାନିଂ, ଲାପଟପ୍/‌ଡେସ୍କଟପ୍‌ ପ୍ରଭୃତି ପ୍ରଦାନ କରିବା ଲାଗି ନିର୍ଦ୍ଦେଶକ ଦିଆଯାଇଛି। ତେବେ ନିୟମିତ ଏଏନ୍‌ଏମ୍‌ମାନଙ୍କୁ ଏ କାର୍ଯ୍ୟରେ ନିୟୋଜିତ ନ କରିବା ଲାଗି କୁହାଯାଇଛି। ଏ ସଂକ୍ରାନ୍ତୀୟ ସମସ୍ତ ପ୍ଲାନିଂ ଚଳିତ ମାସ ୨୮ ତାରିଖ ସୁଦ୍ଧା ପ୍ରଦାନ କରିବା ଲାଗି ଶ୍ରୀ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି।

ରାଜ୍ୟରେ ଆଜି ୮୧ଟି ଅଧିବେଶନରେ ପ୍ରଥମ ଡୋଜ୍ ପାଇଁ ୧୦୯ପ୍ରତିଶତ ଓ ଦ୍ବିତୀୟ ଡୋଜ୍ ପାଇଁ ୯୪ପ୍ରତିଶତ ଟିକାକରଣ ସମ୍ଭବ ହୋଇଛି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ୩ଲକ୍ଷ ୩୮ହଜାର ୭ଶହ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୮୬.୯ ପ୍ରତିଶତ ହାରରେ ୨ଲକ୍ଷ ୯୪ହଜାର ୧୭୬ଜଣ ଟିକା ନେଇଛନ୍ତି। ଆସନ୍ତାକାଲି ପ୍ରଥମ ଡୋଜ୍‌ର ଟିକାକରଣ ଅବଧି ଶେଷ ହେବ। ତେବେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଅନେକ ଟିକା ନେଉ ନଥିବାରୁ ରାଜ୍ୟ ସରକାର କରୋନା ସଂକ୍ରମଣ ପାଇଁ ଉପଲବ୍ଧ ହେଉଥିବା ସରକାରୀ ସୁବିଧା ନ ଦେବାକୁ ଚେତାବନୀ ଦେଇଛନ୍ତି। ଏହା ସତ୍ତ୍ବେ ଆସନ୍ତାକାଲି ସୁଦ୍ଧା ଶତପ୍ରତିଶତ ଟିକାକରଣ ନେଇ ଆଶଙ୍କା ସୃଷ୍ଟି ହୋଇଛି। କଟକ ଜିଲ୍ଲାରେ ସବୁଠାରୁ କମ୍ ସ୍ବାସ୍ଥ୍ୟକର୍ମୀ କରୋନା ଟିକା ନେଇଛନ୍ତି। ସେହିପରି ୩୯.୭ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ଅପରପକ୍ଷରେ ପଞ୍ଜୀକୃତ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୭୬ ପ୍ରତିଶତ ଟିକା ନେଇ ସାରିଲେଣି। ସମୁଦାୟ ୨ଲକ୍ଷ ୪ହଜାର ୪୬୯ କୋଭିଡ୍‌ ଯୋଦ୍ଧାଙ୍କ ମଧ୍ୟରୁ ୧ଲକ୍ଷ ୫୬ହଜାର ୧୮୫ଜଣ ଟିକା ନେଇଛନ୍ତି।

ସମ୍ବନ୍ଧିତ ଖବର