ରାସ୍ତା ନିର୍ମାଣରେ କତାଜାଲ ବ୍ୟବହାର ପାଇଁ ପ୍ରସ୍ତୁତି, ଓରମାସର ସହାୟତା ନେବ କୟର ବୋର୍ଡ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଅନ୍ତର୍ଗତରେ ରାସ୍ତା ନିର୍ମାଣରେ କତାଜାଲ ବ୍ୟବହାର ପାଇଁ ପ୍ରସ୍ତୁତ ଆରମ୍ଭ କରିଛନ୍ତି ଓଡ଼ିଶା ସରକାର। ଓର୍‌ମାସ ସହାୟତାରେ କୟର ବୋର୍ଡ କତାଜାଲ ପ୍ରସ୍ତୁତ କରୁଛନ୍ତି। ଆଜି ବୋର୍ଡ ପକ୍ଷରୁ ନିର୍ଦେଶକ (ମାର୍କେଟିଂ) ଏମ୍ କ୍ରିଷ୍ଣା ଏହି ସୂଚନା ଦେଇଛନ୍ତି। ରାସ୍ତା ନିର୍ମାଣରେ କତାଜାଲ ବ୍ୟବହାର ପାଇଁ ଗତବର୍ଷ ଏପ୍ରିଲ ମାସରେ ଓଡ଼ିଶା ସହିତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ, ଗୁଜରାଟ, ମହାରାଷ୍ଟ୍ରର ରାଜ୍ୟ ଗ୍ରାମୀଣ ରାସ୍ତା ବିକାଶ ପ୍ରାଧିକରଣର ସିଇଓଙ୍କୁ କୁହାଯାଇଥିଲା। କେଉଁ ରାସ୍ତା ନିର୍ମାଣ ବେଳେ କତାଜାଲ ବ୍ୟବହାର ହୋଇ ପାରିବ ଏହାର ଚିହ୍ନଟ ପାଇଁ ମଧ୍ୟ କୁହାଯାଇଥିଲା।

ବୋର୍ଡ ପକ୍ଷରୁ କୁହାଯାଇଛି ଯେ ନିର୍ମାଣ ବେଳେ କତାଜାଲ ବ୍ୟବହାର ହେଲେ ରାସ୍ତାର ସ୍ଥାୟିତ୍ବ ବୃଦ୍ଧି ପାଇବା ସହିତ ପାଣି ପକାଇଲେ ଦୀର୍ଘ ସମୟ ଧରି ଜମି ରହିବ। ସେହିଭଳି ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, କେନ୍ଦ୍ର ସରକାରଙ୍କ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ବିଭାଗ ପକ୍ଷରୁ କୟର ବୋର୍ଡ ସହାୟତାରେ କତାରେ ଉତ୍ପାଦିତ ଦ୍ରବ୍ୟକୁ ପ୍ରୋତ୍ସାହିତ କରୁଛି। ରାସ୍ତା ନିର୍ମାଣ ବେଳେ ଯେଉଁଠି କତାଜାଲ ବ୍ୟବହାର ହେବ ସେଠି କିମ୍ବା ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଯେପରି ବ୍ୟାପକ ଭାବରେ କତା ଉପଲବ୍ଧ ହେଉଥିବ ଏଥିପ୍ରତି ଦୃଷ୍ଟି ଦିଆଯିବ। ସମୁଦାୟ ରାସ୍ତା ନିର୍ମାଣ ବେଳେ ୫ ପ୍ରତିଶତ କତାଜାଲ ବ୍ୟବହାର ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର