ଐତିହ୍ୟ ଧ୍ବଂସ କରି ସଂରକ୍ଷଣ: ଅପରାଜିତା

ଦେଢ ବର୍ଷ ଧରି ସାଂସଦ କେଉଁଠି ଥିଲେ: ମାନସ

ଭୁବନେଶ୍ବର : ଶ୍ରୀକ୍ଷେତ୍ର ଓ ଏକାମ୍ର କ୍ଷେତ୍ରରେ ଚାଲିଥିବା ଐତିହ୍ୟ ବିକାଶ ଯୋଜନାର ବିଭିନ୍ନ ଦିଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଚିଠି ଲେଖି ସମ୍ପୂର୍ଣ୍ଣ ଯୋଜନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ଲଗାଇଛନ୍ତି। ଐତିହ୍ୟକୁ ଧ୍ବଂସ କରି ବିଶ୍ବରେ ଓଡ଼ିଶା ସରକାର ଅଦ୍ବିତୀୟ ତଥା ଅଭିନବ ପଦ୍ଧତ୍ତିରେ ଐତିହ୍ୟ ସଂରକ୍ଷଣ କରୁଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ରଂଜନ ମଙ୍ଗରାଜ ତୀବ୍ର ପ୍ରତିକ୍ରିୟା ରଖି ଅପରାଜିତାଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଶ୍ରୀମତୀ ଷଡ଼ଙ୍ଗୀ ଦର୍ଶାଇଛନ୍ତି ଯେ ଶ୍ରୀକ୍ଷେତ୍ର ଓ ଏକାମ୍ର କ୍ଷେତ୍ରରେ ଚାଲିଥିବା‌ ‘ଐତିହ୍ୟ ବିକାଶ’ ପଦକ୍ଷେପ ବିଶ୍ବରେ ଏକ ଅଦ୍ବିତୀୟ ପଦକ୍ଷେପ, ଯେଉଁଥିରେ କି ଐତିହ୍ୟକୁ ଧ୍ବଂସ କରାଯାଇ ସଂରକ୍ଷଣ କରାଯାଉଛି। ସୌନ୍ଦର୍ଯ୍ୟକରଣ ନାଁରେ ପୁରୀରେ ପବିତ୍ର ମଠଗୁଡ଼ିକୁ ମାଟିରେ ମିଶାଇ ଦିଆଯାଇଛି। ଜଗନ୍ନାଥ ସଂସ୍କୃତିର କ୍ରମବିକାଶରେ ଓତଃପ୍ରୋତ ଭାବେ ଜଡ଼ିତ ଥିବା ଏହି କୀର୍ତ୍ତିରାଜିଗୁଡ଼ିକୁ ଉଚ୍ଛେଦ କରିବା ପାଇଁ କେଉଁ ଐତିହ୍ୟ ସଂରକ୍ଷଣ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ? ଏହି ଦୁର୍ମୁଲ୍ୟ କୀର୍ତ୍ତିରାଜିକୁ ଭାଙ୍ଗି ତାହା ସ୍ଥାନରେ ଲନ୍, ଫାଉଣ୍ଟେନ୍ ଓ ଟଏଲେଟ୍‌ ନିର୍ମାଣ କରାଯାଉଛି। ଲୋକଙ୍କ ଭାବପ୍ରବଣତା ଓ ଧାର୍ମିକ ଭାବନା ସହ ଜଡ଼ିତ ଥିବା ମଠ ଉପରେ ବୁଲ୍‌ଡୋଜର୍‌ ଚଳାଇବା ପରି କାର୍ଯ୍ୟକୁ କେଉଁ ବି‌େଶଷଜ୍ଞ ତଦାରଖ କରୁଛନ୍ତି ?

ସାଂସଦ ଆହୁରି କହିଛନ୍ତି ଯେ ପୁରୀ ଓ ଏକାମ୍ର ଐତିହ୍ୟ ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସଂସ୍ଥାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସଂସ୍ଥ‌ା ଚୟନ ପ୍ରକ୍ରିୟା, ସେମାନଙ୍କ କାମର ପରିସର ଓ ଐତିହ୍ୟସ୍ଥଳୀ ବିକାଶରେ ସେମାନଙ୍କ ଅଭିଜ୍ଞତାକୁ ସମ୍ପର୍କରେ ଓଡ଼ିଶାବାସୀଙ୍କର ଜାଣିବାର ହକ୍‌ ରହିଛି। ଏଏସ୍‌ଆଇକୁ ସଂପୃକ୍ତ କରାଯାଇଛି କି ?ବେପରୱା ଭାବେ ଭଙ୍ଗାଯାଇଥିବା ଐତିହ୍ୟ କୀର୍ତ୍ତିରାଜିରୁ ଦୃଷ୍ଟି ହଟାଇବା ପାଇଁ ଚିଠା ବାଇ-ଲ’କୁ ନେଇ ଅଯଥା ‌େହାହଲ୍ଲା କରାଯାଉଛି ବୋଲି ‌ସେ ଅଭିଯୋଗ କରିଛନ୍ତି।

ସାଂସଦ ଆହୁରି ଅଭିଯୋଗ କରିଛନ୍ତି ଯେ ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ବାଚିତ ସରକାରକୁ କାମ କରିବା ପାଇଁ ସୁଯୋଗ ଦେବାକୁ କହିଥିଲେ। କିନ୍ତୁ ଏକାମ୍ର କ୍ଷେତ୍ରର ବିକାଶମୂଳକ କାର୍ଯ୍ୟରେ ତାଙ୍କୁ ସଂପୃକ୍ତ କରାଯାଇନାହିଁ।

ଅନ୍ୟପକ୍ଷରେ ଅପରାଜିତାଙ୍କ ଏପରି ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ରଂଜନ ମଙ୍ଗରାଜ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ମଙ୍ଗରାଜ କହିଛନ୍ତି, ଏହି ବିକାଶ ପ୍ରକ୍ରିୟା ଆଜିର ନୁହେଁ। ହଠାତ୍ ଏମିତି କଣ ହେଲା ଯେ ଦେଢ ବର୍ଷ ପରେ ଅପରାଜିତା ଏତେ ସକ୍ରିୟ ହୋଇପଡ଼ିଲେ? ତାଙ୍କ ଦଳର ବରିଷ୍ଠ ନେତାମାନେ ଏ ସଂପର୍କରେ ମତ ରଖିସାରିଛନ୍ତି। ଅପରାଜିତା ରାଜନୀତିରେ କେବଳ ନୂଆ, ତା ନୁହେଁ, ଅଣ ଓଡ଼ିଆ ବି। ଏଣୁ ମହାପ୍ରଭୁ ଓ ଶ୍ରୀଲିଙ୍ଗରାଜଙ୍କ ସହିତ ଓଡ଼ିଆଙ୍କ ଭାବାବେଗ ବୁଝିପାରିନାହାନ୍ତି। ବରଂ ତାଙ୍କ ପାଇଁ ଭଲ ହେବ, ସେ ଯାହା ମତ ମନ୍ତବ୍ୟ ଦେଉଛନ୍ତି, ସେସବୁ ଦଳର ଶୀର୍ଷ ନେତୃତ୍ବ ସହିତ ଆଲୋଚନା କରି ଦିଅନ୍ତୁ। ନିଜର ପତିଆରା ବଢ଼ାଇବା ପାଇଁ ମହାପ୍ରଭୁ ଓ ବିକାଶକୁ ଗୋଟି କରନ୍ତୁ ନାହିଁ। ରାଜ୍ୟବାସୀ ଏହାର ପ୍ରତିଜବାବ ଅତି କଡ଼ା ଢଙ୍ଗରେ ଦେବେ। ଏକଥା ସେ ଭୁଲିବା ଉଚିତ୍ ନୁହେଁ।

ସମ୍ବନ୍ଧିତ ଖବର