ଓଡ଼ିଶା ଅର୍ଥନୀତି ଉପରେ ଚାପ ବଢ଼ିଲା

୨୦୨୦-୨୧ରେ କମିଲା ୧୦ ହଜାର ୮୪୦ କୋଟି
୨୦୨୧-୨୨ରେ ଆକଳନ ଠାରୁ ୩ ହଜାର କୋଟି କମ୍ ମିଳିବା ସୂଚନା
ପୁଣି ସେସ୍‌: କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗ ସଙ୍କୁଚିତ
ଗରିବଙ୍କ ହାତକୁ ଟଙ୍କା ଯିବା ରାସ୍ତା ବନ୍ଦ,ବଡ଼ ଯୋଜନାରେ କମ୍ ଅର୍ଥ
ବନ୍ଦ ହେଲା ଆଇସିଡିଏସ୍ କାର୍ଯ୍ୟକ୍ରମ, ପୋଷଣରେ ଅନୁଦାନ କମିଲା
ଭିତ୍ତିଭୂମି, ଏମ୍‌ଏସ୍‌ଏମ୍‌ଇରେ ଫାଇଦାରେ ରହିବ ରାଜ୍ୟ

ଭୁବନେଶ୍ବର : ଚଳିତ ବର୍ଷ କେନ୍ଦ୍ରୀୟ ଟିକସରେ ଅଂଶ ପ୍ରାୟ ୧୦,୮୪୦ (ଦଶ ହଜାର ଆଠ ଶହ ଚାଳିଶ) କୋଟି ଟଙ୍କା ହ୍ରାସ ପାଇଛି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶ ସାମ୍ନାରେ ଯେଉଁ ବଜେଟ୍ ରଖିଛନ୍ତି, ତାହା ସୂଚାଇ ଦେଉଛି ଯେ ଓଡ଼ିଶା ଆସନ୍ତାବର୍ଷ ମଧ୍ୟ ଆକଳନ ଠାରୁ ପାଖାପାଖି ୩ ହଜାର କୋଟି ଟଙ୍କା କମ୍ ପାଇବ। ଏହି ପରିମାଣ ବଢ଼ିପାରେ। ରାଜ୍ୟ ଆଶା କରୁଥିଲା; ଆସନ୍ତାବର୍ଷ ୩୩ହଜାର କୋଟି ଟଙ୍କା କେନ୍ଦ୍ରୀୟ ସୂତ୍ରରୁ ମିଳିବ। କିନ୍ତୁ ବଜେଟ୍ ଦେଖିବା ପରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଯେଉଁ ହିସାବନିକାସ କରିଛି, ତାହା ସୂଚାଇ ଦେଲାଣି, ଏହି ଅର୍ଥ ରାଶି ୩୦ ହଜାର କୋଟି ଟଙ୍କା ଟପିବ ନାହିଁ।

କେବଳ ସେତିକି ନୁହେଁ, ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ଓ କେନ୍ଦ୍ର ସରକାରଙ୍କ ବଜେଟ୍‌ରୁ ଅର୍ଥନୀତିଜ୍ଞମାନଙ୍କୁ ଆଉ ଗୋଟିଏ ସାଂଘାତିକ ସଙ୍କେତ ମିଳୁଛି। ତାହା ହେଲା, କ୍ରମାଗତ ଭାବେ ଅର୍ଥ କମିସନଙ୍କ ସୁପାରିସରେ ରାଜ୍ୟର କ୍ଷମତାକୁ ଧୀରେ ଧୀରେ ସଙ୍କୁଚିତ କରିଦିଆଯାଉଛି। ଏଥର କମିସନ ଆଉ ପାଦେ ଆଗକୁ ଯାଇ ପୌରସଂସ୍ଥା ଓ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ୪୦ ପ୍ରତିଶତ ଅର୍ଥ ଅନାବଦ୍ଧ ପାଣ୍ଠି ଭାବେ ଖର୍ଚ୍ଚ କରିବାର ସୁଯୋଗ ରଖିଛନ୍ତି। ଅର୍ଥାତ୍ ଏକ ବଡ଼ ପରିମାଣର ଖର୍ଚ୍ଚ କିଭଳି ହେବ, ସେ ନିଷ୍ପତ୍ତି ନିଆସରିଛି।

ଅନ୍ୟ ଦିଗଟି ହେଲା, ୨୦୧୧ ମସିହାଠାରୁ ଅର୍ଥନୀତି ପରିଚାଳନାରେ ସୁଧାର ଆସିବା ଓ ଓଡ଼ିଶା ବଳକା ରାଜ୍ୟ ଭାବେ ପରିଗଣିତ ହେବା ପରିପ୍ରେକ୍ଷୀରେ ରାଜ୍ୟ ସ୍ବତନ୍ତ୍ର ଅନୁଦାନ ହରାଉଛି। ଅନେକ ରାଜ୍ୟ ଏ ବାବଦରେ ଏକ ବଡ଼ ଅର୍ଥ ରାଶି ପାଉଛନ୍ତି। ରାଜ୍ୟ ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି, କେନ୍ଦ୍ରୀୟ ବଜେଟ୍‌ରେ ପୁଞ୍ଜି ଖର୍ଚ୍ଚ ଉପରେ ଗୁରୁତ୍ବ ଦିଆଯାଇଥିଲେ ହେଁ, ଓଡ଼ିଶା ଏଥିରୁ କେତେ ଲାଭ ପାଇବ, ତାହା ଏବେ ଠାରୁ ଆକଳନ କରିବା ମୁସ୍କିଲ୍। କିନ୍ତୁ ରାଜ୍ୟର ଗରିବ ଲୋକଙ୍କ ହାତକୁ ପଇସା ଯିବା ଲାଗି ଏହି ବଜେଟ୍‌ରେ ବିଶେଷ କୌଣସି ସୁଯୋଗ ନାହିଁ। କରୋନା ପରବର୍ତ୍ତୀ ପରିସ୍ଥିତିରେ ଏହାର ଆବଶ୍ୟକତା ବେଶି ଥିଲା।

Pinterest

ଚାଷୀଙ୍କୁ କୃଷି ଋଣ ଛାଡ଼, ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ସାମାଜିକ ସୁରକ୍ଷା ଯୋଜନା ପାଇଁ ଅଧିକ ଅର୍ଥ ବରାଦ କରାଯାଇନାହିଁ। ଏହା ଫଳରେ ସମାଜର ତଳସ୍ତରର ଲୋକ ପ୍ରଭାବିତ ହେବେ। ମନରେଗାରେ ମଧ୍ୟ ପୂର୍ବାପେକ୍ଷା କମ୍ ଅର୍ଥ ବରାଦ ହୋଇଛି। ଏହା ଏକ ଚାହିଦା ଭିତ୍ତିକ କାର୍ଯ୍ୟକ୍ରମ ହୋଇଥିବାରୁ ଏହାର ପ୍ରତ୍ୟେକ୍ଷ ପ୍ରଭାବ ଅନୁଭୂତ ହେବ। ସେହିଭଳି ବାର୍ଦ୍ଧକ୍ୟ ଭତ୍ତା ଆଦି କ୍ଷେତ୍ରରେ ହିତାଧିକାରୀ ବୃଦ୍ଧି ପାଉଥିବା ବେଳେ ଅର୍ଥରାଶି ବୃଦ୍ଧି ପାଇନାହିଁ, ଯାହା ରାଜ୍ୟ ବଜେଟ୍‌ରେ ଅପେକ୍ଷା ରଖୁଥିଲା।

କେନ୍ଦ୍ର ସରକାର ଏଥର ବଜେଟ୍‌ରେ ଆଇସିଡିଏସ୍ ବା ସମନ୍ବିତ ଶିଶୁ ବିକାଶ ଯୋଜନାକୁ ବନ୍ଦ କରିଦେଇଛନ୍ତି। ଏହା ବଦଳରେ ୧୧୨ ଆକାଂକ୍ଷୀ ଜିଲ୍ଲା ପାଇଁ ପୋଷଣ-୨.୦ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ହେଲେ ସେଥିରେ ଅନୁଦାନ ପାଖାପାଖି ୮ହଜାର କୋଟି ଟଙ୍କା କମିଛି। ପୂର୍ବରୁ ଆଇସିଡିଏସ୍‌ରେ ୨୮ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ହେଲେ ଏହି ନୂଆ ଯୋଜନାକୁ ୨୦ ହଜାର କୋଟିକୁ ଖସାଇ ଦିଆଯାଇଛି।

ସର୍ବନିମ୍ନ ସହାୟକ ମୂଲ୍ୟ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଓଡ଼ିଶା ଭଳି ରାଜ୍ୟ ପାଇଁ ମଧ୍ୟ ଝଟ୍‌କା େବାଲି କୁହାଯାଇପାରେ।

ଏଇଥିପାଇଁ ଯେ ଏଫ୍‌ସିଆଇ ପ୍ରତ୍ୟକ୍ଷ ଭାବେ କିଣାବିକା କରୁଥିବା କ୍ଷେତ୍ରରେ ଅର୍ଥରାଶି ବୃଦ୍ଧି ପାଇଥିବା ବେଳେ ଓଡ଼ିଶା ଭଳି ରାଜ୍ୟ ଯେଉଁଠାରେ ଖାଦ୍ୟ ସଂଗ୍ରହରେ ବିକେନ୍ଦ୍ରୀକରଣ ବ୍ୟବସ୍ଥା ରହିଛି, ସେ କ୍ଷେତ୍ରରେ ଅର୍ଥରାଶି କମାଇ ଦିଆଯାଇଛି।

ଏବେ ଯେଉଁ କ୍ଷେତ୍ରଟି ରାଜ୍ୟ ସରକାରଙ୍କୁ ବେଶି ଆନ୍ଦୋଳିତ କରୁଛି, ତାହା ହେଲା ଗତ କିଛି ବର୍ଷ ଧରି କେନ୍ଦ୍ର ସରକାର ଟିକସ ଉପରେ ଫୋକସ୍‌ ନ କରି ସେସ୍‌କୁ ଗୁରୁତ୍ବ ଦେଉଛନ୍ତି। ଆହୁରି ସରଳ ଭାବେ କହିବାକୁ ଗଲେ, କେନ୍ଦ୍ର ସରକାର ସେସ୍ ଆଦି ବାବଦରେ ଅଧିକ ଟିକସ ଅର୍ଥ ଟାଣି ନେଉଛନ୍ତି, ଯେଉଁଥିରେ ରାଜ୍ୟର ଭାଗ ନାହିଁ। ଏଣୁ ରାଜ୍ୟ ଅର୍ଥନୀତିରେ କେନ୍ଦ୍ରୀୟ ଯୋଗଦାନ କମୁଛି।

କୃଷି ଓ ବିକାଶ ସେସ୍‌କୁ ଏଥର ଉଦାହରଣ ଭାବେ ନିଆଯାଇପାରେ। ଏ କ୍ଷେତ୍ରରେ ଯେଉଁ ବଡ଼ ପୁଞ୍ଜି ସଂଗ୍ରହ େହବ, ସେଥିରେ କେନ୍ଦ୍ର ସରକାରଙ୍କ ହାତଟେକା ଅର୍ଥକୁ ରାଜ୍ୟ ଅପେକ୍ଷା କରିବ। ଏହାଦ୍ବାରା ସଂଘୀୟ ବ୍ୟବସ୍ଥା ମଧ୍ୟ ପରାହତ ହେଉଥିବା ଅର୍ଥନୀତିଜ୍ଞମାନେ ମତ ରଖୁଛନ୍ତି।

Andrew Weaver, MLA

ସ୍ବାସ୍ଥ୍ୟ କ୍ଷେତ୍ରକୁ କେନ୍ଦ୍ର ସରକାରଙ୍କ ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି। ହେଲେ ରାଜ୍ୟର ଯୁକ୍ତି ହେଉଛି, ସେଥିରେ ମଧ୍ୟ ବିଶେଷ ସହାୟତା ମିଳିବ ନାହିଁ। ଏଇଥିପାଇଁ ଯେ ରାଜ୍ୟ ସରକାର ନିଜସ୍ବ ଅର୍ଥରେ ଏ ବାବଦ କାର୍ଯ୍ୟକ୍ରମ ଆରମ୍ଭ କରିସାରିଛନ୍ତି।

ବଜେଟ୍‌ର ସବୁଠାରୁ କୌତୂହଳପୂର୍ଣ୍ଣ ଦିଗଟି ହେଲା, ଓଡ଼ିଶା ସରକାରଙ୍କ ଢାଞ୍ଚାରେ କେନ୍ଦ୍ର ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି ଓ ୩୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

ତେବେ ବଜେଟ୍‌ରେ ଏମ୍‌ଏସ୍‌ଏମ୍‌ଇ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଓଡ଼ିଶା ପାଇଁ ସକାରାତ୍ମକ ରହିବ ବୋଲି ଅଧିକାରୀମାନେ କହିଛନ୍ତି। ସେହିଭଳି ଦୀର୍ଘ ବର୍ଷ ପରେ ଅର୍ଥ କମିସନ ରାଜ୍ୟର ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ଅର୍ଥ ବରାଦର ବାଟ ଖୋଲିଛନ୍ତି। ଏଥିରେ ୬ଟି ବଡ଼ ପ୍ରକଳ୍ପ ନିଆଯାଇଛି।

ଏଠାରେ ଉଲ୍ଲେଖଥାଉକି, କେନ୍ଦ୍ର ସରକାରଙ୍କ ବଜେଟ୍‌ରେ କିଛି ଦୀର୍ଘମିଆଦୀ କାର୍ଯ୍ୟକ୍ରମ ସଂପର୍କରେ ସୂଚୀତ କରାଯାଇଛି। ଆସନ୍ତା ବର୍ଷମାନଙ୍କରେ ଏ ବାବଦରେ କାର୍ଯ୍ୟକ୍ରମ ସରକାର ହାତକୁ ନେବ। ଏବେଠାରୁ ଏହା ଆଶା ଦେଖାଉଥିଲେ ହେଁ, ଆସନ୍ତାଦିନର ଅର୍ଥନୀତି ଉପରେ ଏହାର ଭାଗ୍ୟ ନିର୍ଭର କରିବ।

ଏସବୁ କାରଣରୁ ଏଥର ଓଡ଼ିଶା ବଜେଟ ବି ଚାପଗ୍ରସ୍ତ ରହିବ। ରାଜ୍ୟର ନିଜସ୍ବ ଟିକସ ବୃଦ୍ଧି ନହେଲେ, ସ୍ଥିତି ଯେ ଆସନ୍ତା ଦିନରେ ଅସମ୍ଭାଳ ହେବ, ଏହା ଜଳ ଜଳ ହୋଇ ଦିଶୁଛି।

‘ଓଡ଼ିଶା ଦେଶ ପାଇଁ ବେଞ୍ଚ ମାର୍କ’
ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ବଜେଟ୍‌କୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ରୋଚକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାକୁ କେନ୍ଦ୍ର ସରକାର ଅନୁସରଣ କରିବା ଆରମ୍ଭ କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ବର୍ଷ ଠାରୁ ଓଡିଶା ଡିଜିଟାଲ୍ ବଜେଟ୍ କରିସାରିଛି। ଏବର୍ଷ ଏହି ରାସ୍ତାରେ କେନ୍ଦ୍ର ଯାଇଛି। ସେହିଭଳି ମହିଳା ସଶକ୍ତୀକରଣ ଉପରେ ଓଡ଼ିଶା ବହୁ ଦିନରୁ ଧ୍ୟାନ ଦେଇ ମିସନ ଶକ୍ତି କାର୍ଯ୍ୟକ୍ରମ ହାତକୁ ନେଇଛି। ଏହାର ପ୍ରତିଫଳନ ମଧ୍ୟ କେନ୍ଦ୍ର ସରକାରଙ୍କ ବଜେଟ୍‌ରେ ଦେଖାଦେଇଛି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମୁଁ ଆହୁରି ଆନନ୍ଦିତ ଏଇଥିପାଇଁ ଯେ ୨୦୧୧-୧୨ରୁ ରାଜ୍ୟ ମମତା କାର୍ଯ୍ୟକ୍ରମ ହାତକୁ ନେଲାଣି। କେନ୍ଦ୍ର ସରକାର ଏଥର ଏହାକୁ ଗ୍ରହଣ କରିଛନ୍ତି। ଅର୍ଥାତ୍ ଆମ ରାଜ୍ୟର ଫ୍ଲାଗସିପ୍ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ଦେଶ ପାଇଁ ବେଞ୍ଚ ମାର୍କ ଭାବେ ପରିଗଣିତ ହୋଇଛି। ମୁଁ ଆଶା କରୁଛି, ମହିଳା ସଶକ୍ତୀକରଣ ଦିଗରେ ପରବର୍ତ୍ତୀ ଯୁକ୍ତିଯୁକ୍ତ ପଦକ୍ଷେପ ହେଲା ଲୋକସଭା ତଥା ରାଜ୍ୟସଭାରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ହେବା ଦରକାର। ଏଥିପାଇଁ ରାଜ୍ୟ ସଂଗ୍ରାମ ଜାରି ରଖିଛି। କେନ୍ଦ୍ର ଏହାକୁ କାର୍ଯ୍ୟକାରୀ କରିବା ଉଚିତ୍।

ସମ୍ବନ୍ଧିତ ଖବର