ହଜାର ହଜାର ଟନ୍‌ ଲୁହାପଥର ଗାଏବ, ପ୍ରୋ ମିନେରାଲକୁ ଖଣି ନିର୍ଦ୍ଦେଶାଳୟର ନୋଟିସ୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଖଣି ଅଞ୍ଚଳ ଭାବେ ପରିଚିତ ଯୋଡ଼ାରେ ଲୁହାପଥର ଲୁଟ୍‌କୁ ନେଇ ସମଗ୍ର ଦେଶରେ ଓଡ଼ିଶା ବଦ୍‌ନାମ ହୋଇଥିଲା। ଏବେ ନୂଆ ଉପାୟରେ ଲୁହାପଥର ଲୁଟ୍‌ ହୋଇଥିବା ନେଇ ସୂଚନା ମିଳିଛି। କେନ୍ଦୁଝର ବସନ୍ତପୁରରେ ଥିବା ବେନିଫିସିଏସନ୍‌ ପ୍ଲାଣ୍ଟ, ପ୍ରୋ-ମିନେରାଲରେ ଷ୍ଟକ ଅନୁସାରେ ଯେତିକି ଲୁହାପଥର ଗଚ୍ଛିତ ହେବା କଥା ତାହା ନାହିଁ। ଖଣି ଉପ ନିର୍ଦ୍ଦେଶାଳୟର ଏକ ସ୍କ୍ବାଡ୍‌ ଅଚାନକ ଚଢ଼ଉ କରିବା ପରେ ଏହା ଜଣାପଡ଼ିଛି। ଏହି ଘଟଣା ପରେ ଖଣି ଉପନିର୍ଦ୍ଦେଶକ ପ୍ରୋ-ମିନେରାଲ କର୍ତ୍ତୃପକ୍ଷଙ୍କୁ କୈଫିୟତ ତଲବ କରିଛନ୍ତି। ଅପରପକ୍ଷରେ ଲୁହାପଥର ଷ୍ଟକରେ ଅମେଳ ହେବା ଘଟଣା ଏକ ବଡ଼ ଧରଣର ଲୁଟ୍‌ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରୁଛି।

ପ୍ରାପ୍ତ ସୂଚନା ଅନୁସାରେ, ନଭେମ୍ବର ୭ ତାରରିଖରୁ ୯ ତାରିଖ ପର୍ଯ୍ୟନ୍ତ ଖଣି ନିର୍ଦ୍ଦେଶାଳୟର ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ବସନ୍ତପୁରସ୍ଥିତ ପ୍ରୋ-ମିନେରାଲ ପ୍ଲାଣ୍ଟ ପରିଦର୍ଶନରେ ଯାଇଥିଲେ। ସେଠାରେ ଲୁହାପଥର ଷ୍ଟକ ଯାଞ୍ଚ ବେଳେ ବ୍ୟାପକ ପରିମାଣର ଲୁହାପଥର ଷ୍ଟକରେ ନଥିବା ଦେଖିବାକୁ ପାଇଥିଲେ। ସ୍କ୍ବାଡ୍‌ର ରିପୋର୍ଟ ଅନୁସାରେ, ୫-୧୮ ଏମ୍‌ଏମ୍‌ ସାଇଜ୍‌ର ଲୁହାପଥର ୧୦୫୩୮.୬୮୧ ମେଟ୍ରିକ ଟନ୍‌ ଗଚ୍ଛିତ ରହିବା କଥା। କିନ୍ତୁ ଏଠାରେ କୌଣସି ଲୁହାପଥର ନଥିଲା। ସେହିପରି ୦-୧୦ ଏମ୍‌ଏମ୍‌ ସାଇଜ୍‌ର ୧୧୦୭୨.୧୪୦ ମେଟ୍ରିକ ଟନ୍‌ ଲୁହାପଥର ଗଚ୍ଛିତ ରହିବା କଥା। ମାତ୍ର ସେଠାରେ ୩୭୦.୯୧୦ ମେଟ୍ରିକ ଟନ୍‌ ଲୁହାପଥର କମ୍‌ ରହିଥିଲା। ସେହିପରି ୦-୫ ଏମ୍‌ଏମ୍‌ ସାଇଜ୍‌ର ୬୩୩୮.୫୩୧ ମେଟ୍ରିକ ଟନ୍‌ ଲୁହାପଥର ରହିବା ସ୍ଥାନରେ ୬୦୪.୭୨୯ ମେଟ୍ରିକ ଟନ୍‌ ଲୁହାପଥର ଅଧିକ ଥିଲା। ୫-୧୦ ଏମ୍‌ଏମ୍‌ ସାଇଜ୍‌ର ଷ୍ଟକ ଅନୁସାରେ ଲୁହାପଥର ନ ଥିଲା। ମାତ୍ର ଯାଞ୍ଚ ବେଳେ ଏହି ସାଇଜ୍‌ର ୫୬୮୭.୫୭୦ ମେଟ୍ରିକ ଟନ୍‌ ଲୁହାପଥର ଗଚ୍ଛିତ ଥିବା ଦେଖିବାକୁ ମିଳିଥିଲା। ଏହାଛଡ଼ା ୦-୫ ଏମ୍‌ଏମ୍‌ ମିଶ୍ରିତ ଲୁହାପଥର ଷ୍ଟକରେ ନ ଥିବା ବେଳେ ଯାଞ୍ଚ ବେଳେ ଏଠାରେ ୭୨୯୮.୦୪୩ ମେଟ୍ରିକ ଟନ୍‌ ଲୁହାପଥର ଦେଖିବାକୁ ମିଳିଥିଲା।

ଯାଞ୍ଚ ବେଳେ ବ୍ୟାପକ ଲୁହାପଥର ନଥିବା ଦେଖି ପ୍ରୋ ମିନେରୋଲ କତ୍ତୃର୍ପକ୍ଷଙ୍କୁ ନୋଟିସ୍‌ ହୋଇଥିଲା। ମାତ୍ର ନୋଟିସ ପରେ ଆଉଥରେ ଯାଞ୍ଚ କରିବାକୁ ପ୍ଲାଣ୍ଟ କର୍ତ୍ତୃପକ୍ଷ ଖଣି ନିର୍ଦ୍ଦେଶାଳୟକୁ ଅନୁରୋଧ କରିଥିଲେ। ଏହି ଅନୁରୋଧ ପରେ ଯୋଡ଼ା ଖଣି ଉପନିର୍ଦ୍ଦେଶାଳୟ ପକ୍ଷରୁ ପୁଣିଥରେ ଯାଞ୍ଚ ହୋଇଥିଲା। ଦୁଇଦୁଇଥର ଯାଞ୍ଚ ପରେ ମଧ୍ୟ ଏହି ପରିମାଣର ଲୁହାପଥର ଷ୍ଟକରେ କମ୍‌ ଥିବା ଜଣାପଡ଼ିଥିଲା। ୧୪ ତାରିଖରେ ଯୋଡ଼ା ଖଣି ଉପନିର୍ଦ୍ଦେଶକ ଆଉଥରେ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ଚିଠି କରି ତୁରନ୍ତ ଏତେ ପରିମାଣର ଲୁହାପଥର ‌କୁଆଡ଼େ ଗଲା ତାହାର କୈଫିୟତ ମାଗିଛନ୍ତି। ଏତେ ପରିମାଣର ଲୁହାପଥର ନ ଥିବା ଜଣାପଡ଼ିବା ପରେ ନୂଆ ଢଙ୍ଗରେ ଲୁଟ୍‌ ହେଉଥିବା ନଜରକୁ ଆସିଛି। ଏ ସଂପର୍କରେ ଯୋଡ଼ା ଖଣି ଉପନିର୍ଦ୍ଦେଶକ ଏଲ୍‌ଡି ନାୟକଙ୍କୁ ପଚାରିବାରୁ, ଦୁଇଥର ଯାଞ୍ଚ ପରେ ଲୁହାପଥର ଷ୍ଟକରେ କମ୍‌ ଥିବା ଜଣାପଡ଼ିଥିଲା। ଏ ସଂପର୍କରେ ଖଣି ନିର୍ଦ୍ଦେଶାଳୟକୁ ରିପୋର୍ଟ ପଠାଯା‌ଇଛି ବୋଲି ସେ କହିଛନ୍ତି। ସେହିପରି ପ୍ରୋ-ମିରୋଲ ବେନିଫିସିଏସନ୍‌ ପ୍ଲାଣ୍ଟର ଡିଜିଏମ୍‌ ଟି.କେ ସାମନ୍ତରାୟ କହିଛନ୍ତି, ଖଣି ନିର୍ଦ୍ଦେଶାଳୟରେ ଆମେ ଆମର ପକ୍ଷ ରଖିଛୁ। ନିର୍ଦ୍ଦେଶାଳୟକୁ ଯାହା ଜଣାଇବା କଥା ଜଣାଇସାରିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର